ନୂଆଦିଲ୍ଲୀ: ଷ୍ଟାର୍ ଚିହ୍ନ ଥିବା ସବୁ ନୋଟ୍ ଅସଲି। ଅନ୍ୟ ଯେକୌଣସି ନୋଟ୍ ଭଳି ତାହା ବୈଧ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛନ୍ତି। ଷ୍ଟାର୍ ଚିହ୍ନ ଥିବା ନୋଟ୍ ବୈଧ ନୁହେଁ ବୋଲି କିଛି ଦିନ ହେଲାଣି ସୋସିଆଲ ମିଡିଆରେ ପୋଷ୍ଟ୍ ଭାଇରାଲ୍ ହୋଇଥିଲା। ରିଜର୍ଭ ବ୍ୟାଙ୍କ ତାହାକୁ ଖଣ୍ଡନ କରିଛି। ଏଥି ସହିତ ଅବଗତ କରିଛି ଯେ ଯେଉଁ ନୋଟ୍ଗୁଡ଼ିକୁ ପୁନର୍ବାର ଛପାହୁଏ ସେଥିରେ ଷ୍ଟାର୍ ଚିହ୍ନ ଆସିଥାଏ। ରିଜର୍ଭ ବ୍ୟାଙ୍କ ଏକକାଳୀନ ୧୦୦ ନୋଟ୍ ଛପାଇଥାଏ। ସେଥିରୁ କିଛି ନୋଟ୍ ଭଲ ଭାବେ ଛପା ହୋଇନଥାଏ। ସେଗୁଡ଼ିକୁ ବାହାର କରି ପୁନର୍ବାର ତାହାକୁ ଛପାଯାଏ। ସେହି ସମୟରେ ସେଥିରେ ଷ୍ଟାର୍ ଚିହ୍ନ ବ୍ୟବହାର କରାଯାଏ। ତେଣୁ ଅସଲି ନୋଟ୍ ଭଳି ସେଗୁଡ଼ିକର ମୂଲ୍ୟ ସମ୍ପୂର୍ଣ୍ଣ ସମାନ। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୦୬ ପରଠାରୁ ଷ୍ଟାର ଚିହ୍ନ ଥିବା ନୋଟ୍ ଛପା ଆରମ୍ଭ କରାଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ୧୦ ଟଙ୍କିଆ, ୨୦ ଟଙ୍କିଆ ଓ ୫୦ ଟଙ୍କିଆ ନୋଟ୍ ଛପା ହେଉଥିଲା। ଏବେ ବଡ଼ ନୋଟ୍ଗୁଡ଼ିକୁ ପୁନର୍ବାର ଛପାଇବା ବେଳେ ସେଥିରେ ଷ୍ଟାର୍ ଚିହ୍ନ ବ୍ୟବହାର କରାଯାଉଛି। ସେହି ଚିହ୍ନକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ୍ ଭାଇରାଲ୍ କରି ଲୋକଙ୍କୁ ବିଭ୍ରାନ୍ତ କରିବା ଉଦ୍ୟମ ହୋଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp