ରିଜର୍ଭ ବ୍ୟାଙ୍କର ଆକଳନ : ଏ ବର୍ଷ ଅଭିବୃଦ୍ଧି ବିଯୁକ୍ତ ୯.୫%

ରେପୋ ହାର ୪%ରେ ସ୍ଥିର, ଗୃହ ଋଣ ନିୟମ କୋହଳ ହେଲା

ମୁମ୍ବାଇ : କରୋନା ମହାମାରୀ ଦ୍ବାରା ଭାରତୀୟ ଅର୍ଥନୀତି ଭୟଙ୍କର ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୨୩.୯ ପ୍ରତିଶତ ତଳକୁ ଖସିଯାଇଥିଲା। ଉକ୍ତ ରିପୋର୍ଟ ଆସିବାର କିଛିଦିନ ପରେ ଆଜି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଚତୁର୍ଥ ମୁଦ୍ରାନୀତି ସମୀକ୍ଷା ରି‌ପୋର୍ଟ ଘୋଷଣା କରାଯାଇଛି। ଏଥିରେ ‌ଅଭିବୃଦ୍ଧିକୁ ସହାୟତା ଦେବା ଏବଂ ଦରଦାମକୁ ନିୟନ୍ତ୍ରଣରେ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ସର୍ବାଧିକ ଗୁରୁତ୍ବ ଦେଇଛି। ତେବେ ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ମାଇନସ ବା ବିଯୁକ୍ତ ୯.୫ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଏହାର ଆକଳନରେ ରହିଛି। ଅଭିବୃଦ୍ଧିରେ ଧୀରେ ଧୀରେ ସୁଧାର ଆସିବ ବୋଲି ରିଜର୍ଭ ବ୍ୟାଙ୍କ କହିଛି। ଏଥିପାଇଁ ରେପୋ ହାର (ଯେଉଁ ହାରରେ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କଗୁଡ଼ିକୁ ଋଣ ପ୍ରଦାନ କରିଥାଏ)କୁ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ସୁଧାର ଆଣିବା ପାଇଁ ଋଣର ରିସ୍କକୁ କେବଳ ‌ଏଲ୍‌ଟିଭି ସହିତ ଯୋଡ଼ାଯାଇଛି। ଏଲ୍‌ଟିଭି (ଲୋନ୍ ଟୁ ଭାଲ୍ୟୁ) କହିଲେ ଗୋଟିଏ ସମ୍ପତ୍ତି ମୂଲ୍ୟ ଅନୁସାରେ କେତେ ପରିମାଣର ଋଣ ବ୍ୟାଙ୍କ ଦେଇପାରିବ ତାହାକୁ ବୁଝାଯାଇଥାଏ। ଏହି ନୂଆ ବ୍ୟବସ୍ଥାରେ ବ୍ୟାଙ୍କଗୁଡ଼ିକ ୨୦୨୨ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଋଣ ପ୍ରଦାନ କରିବେ। ଏହାଦ୍ବାରା ଗୃହଋଣକାରୀଙ୍କୁ ଅଧିକ ପରିମାଣର ଋଣ ମିଳିବ। ବିଶେଷକରି ମୋଟା ଅଙ୍କର ଗୃହଋଣ ନେଉଥିବା ବ୍ୟକ୍ତି ଅଧିକ ଲାଭବାନ ହେବେ ବୋଲି କୁହାଯାଇଛି। ଏଥିସହିତ ବଜାରରେ ନଗଦ ଅର୍ଥର ଉପଲବ୍ଧତାକୁ ବଜାୟ ରଖିବା ପାଇଁ ଖୋଲା ବଜାରରୁ ଋଣ ସଂଗ୍ରହ ଏବଂ ଅନ୍ୟାନ୍ୟ ପଦକ୍ଷେପ ରିଜର୍ଭ ବ୍ୟାଙ୍କ ଘୋଷଣା କରିଛି।

ମୁଦ୍ରାନୀତି ରିପୋର୍ଟ ଘୋଷଣା କରି ଗଭର୍ଣ୍ଣର ଶକ୍ତିକାନ୍ତ କହିଛନ୍ତି, କରୋନା ମହାମାରୀ ବିରୋଧୀ ଲଢ଼େଇର ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ଭାରତୀୟ ଅର୍ଥନୀତି ଏବେ ପହଞ୍ଚିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଅର୍ଥନୈତିକ ଅଭିବୃଦ୍ଧିରେ ଯେଉଁ ସ‌ଙ୍କୋଚନ ହୋଇଛି ତାହାକୁ ଆମେ ପଛରେ ଛାଡ଼ି ସାରିଛେ। ଏବେ ଆଶାର ଆଲୋକ ଦୃଶ୍ୟମାନ ହେଲାଣି। ତେଣୁ ଏବେ ଅଭିବୃଦ୍ଧିରେ ସୁଧାର ଆଣିବା ଉପରେ ଏବେ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ପ୍ରଥମ ତ୍ରୟମାସରେ ଅଭିବୃଦ୍ଧି ବିଯୁକ୍ତ ୨୩.୯ ପ୍ରତିଶତ ରହିଥିବାବେଳେ ଦ୍ବିତୀୟ ତ୍ରୟମାସରେ ଏହା ବିଯୁକ୍ତ ୯.୮ ପ୍ରତିଶତ, ତୃତୀୟ ତ୍ରୟମାସରେ ବିଯୁକ୍ତ ୫.୬ ପ୍ରତିଶତ। କିନ୍ତୁ ଚତୁର୍ଥ ତ୍ରୟମାସରେ ଅଭିବୃଦ୍ଧି ୦.୫ ପ୍ରତିଶତ ଏବଂ ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ୨୦.୬ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି।

କ୍ରିକେଟ ଭାଷାରେ ଶକ୍ତିକାନ୍ତ ବୁଝାଇଲେ ଅର୍ଥନୀତି
ମୁମ୍ବାଇ : ଅର୍ଥନୀତି ସଂପର୍କରେ ବୁଝାଇବାବେଳେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଅର୍ଥନୀତିର ଭାଷା ପରିବର୍ତ୍ତେ କ୍ରିକେଟ ଖେଳର ଭାଷା ବ୍ୟବହାର କରିଛନ୍ତି। ଏବେ ଆଇପିଏଲ ଚାଲିଥିବାବେଳେ ଶକ୍ତିକାନ୍ତଙ୍କ ଦ୍ବାରା କ୍ରି‌କେଟ ଶବ୍ଦାବଳି ବ୍ୟବହାର ଚର୍ଚ୍ଚାର ବିଷୟ ପାଲଟିଛି। ସେ ସ୍ଲଗ୍ ଓଭରଠାରୁ ଆରମ୍ଭ କରି ଇନିଂସ, ଷ୍ଟ୍ରାଇକ ଫର୍ମ ଆଦି ଶବ୍ଦର ଉପଯୋଗ କରିଛନ୍ତି। କରୋନା ମହାମାରୀ ପ୍ରଭାବିତ ଅର୍ଥନୀତିରେ ସୁଧାର ଆସିବା ବିଷୟରେ ବୁଝାଇବାବେଳେ ଶକ୍ତିକାନ୍ତ କହିଥିଲେ, ଅର୍ଥନୀତିରେ ୩ଟି ବେଗରେ ସୁଧାର ଆସିବ। ଯେଉଁସବୁ କ୍ଷେତ୍ରରେ ସୁଧାର ଆସିବ ତାହାକୁ ଶକ୍ତିକାନ୍ତ ‘ଓପନ୍ ଦେୟାର ଆକାଉଣ୍ଟ’ ବୋଲି କହିଥିଲେ। ଶକ୍ତିକାନ୍ତଙ୍କ ମତରେ ଦ୍ବିତୀୟ ବର୍ଗରେ ଯେଉଁଗୁଡ଼ିକ ଷ୍ଟ୍ରାଇକ ଫର୍ମକୁ ଆସିବେ ସେଗୁଡ଼ିକରେ ଏବେ ଅବସ୍ଥା ଧୀରେ ଧୀରେ ସ୍ବାଭାବିକ ହେଉଛି। ତୃତୀୟ ବର୍ଗର କ୍ଷେତ୍ର ଗୁଡ଼ିକ ସ୍ଲଗ ଓଭରର ସାମ୍ନା କରୁଛନ୍ତି। ସେହିଗୁଡ଼ିକ ଇନିଂସରେ ସୁଧାର ଆଣିବେ ବୋଲି ଶକ୍ତିକାନ୍ତ କହିଛନ୍ତି। ଏହିସବୁ କ୍ଷେତ୍ର ସାମାଜିକ ଦୂରତା ଓ ଅନ୍ୟାନ୍ୟ କରୋନା କଟକଣା ଦ୍ବାରା ପ୍ରଭାବିତ ହୋଇଛନ୍ତି।

ସମ୍ବନ୍ଧିତ ଖବର