ୟେସ୍‌ ବ୍ୟାଙ୍କ ସଙ୍କଟ, ଛାନିଆ ହୋଇ ଟଙ୍କା ଉଠାଅନି: ଶକ୍ତିକାନ୍ତ

ବୁଧବାର ସନ୍ଧ୍ୟାରେ ୟେସ୍‌ ବ୍ୟାଙ୍କରୁ କଟକଣା ହଟିବ

ମୁମ୍ବାଇ: ୟେସ୍‌ ବ୍ୟାଙ୍କ ପାଖରେ ଯଥେଷ୍ଟ ପରିମାଣର ନଗଦ ରାଶି ରହିଛି। ଯଦି ଦରକାର ପଡ଼ିବ ତେବେ ଅଧିକ ପାଣ୍ଠି ଦେବାକୁ ରିଜର୍ଭ ବ୍ୟାଙ୍କ ପ୍ରସ୍ତୁତ। ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ଅଯଥା ଚିନ୍ତା କରିବା କିମ୍ବା ଛାନିଆ ହୋଇ ଟଙ୍କା ଉଠାଇବା ଭଳି କୌଣସି ପଦକ୍ଷେପ ଗ୍ରହଣ ନକରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗ୍ରାହକମାନଙ୍କୁ କହିଛନ୍ତି। ସେ କହିଛନ୍ତି, ଆସନ୍ତା ୨୬ରେ ୟେସ୍ ବ୍ୟାଙ୍କ ପାଇଁ ନିଯୁକ୍ତ ହୋଇଥିବା ପ୍ରଶାସକଙ୍କ ଠାରୁ ନୂତନ ବୋର୍ଡ ଦାୟିତ୍ବ ଗ୍ରହଣ କରିବ। ୟେସ୍ ବ୍ୟାଙ୍କ ମାମଲାରେ ରିଜର୍ଭ ବ୍ୟାଙ୍କ ତ୍ବରିତ ପଦକ୍ଷେପ ନେଇଥିବା ସେ କହିଛନ୍ତି। ବ୍ୟାଙ୍କର ପନୁର୍ଗଠନ ଲାଗି ପ୍ରସ୍ତୁତ କରାଯାଇଥିବା ଯୋଜନା ବେଶ ଆକର୍ଷଣୀୟ ରହିଛି। ଆସନ୍ତା ବୁଧବାର ସନ୍ଧ୍ୟା ୬ଟାରେ ବ୍ୟାଙ୍କ ଉପରେ ଲଗାଯାଇଥିବା କଟକଣା ପ୍ରତ୍ୟାହାର କରିନିଆଯିବ ବୋଲି ସେ କହିଛନ୍ତି। ଏହା ପରେ ୟେସ୍ ବ୍ୟାଙ୍କରେ ସମସ୍ତ ପ୍ରକାର ବ୍ୟାଙ୍କିଙ୍ଗ୍‌ ସେବା ସୁବିଧାରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି।

ଚଳିତ ମାସ ୫ ତାରିଖରେ ୟେସ୍ ବ୍ୟାଙ୍କର ବୋର୍ଡକୁ ସରକାର ନିଜ କବ୍‌ଜାକୁ ନେଇଥିଲେ ଓ ୩୦ ଦିନ ପାଇଁ ବ୍ୟାଙ୍କ ଉପରେ କଟକଣା ଲଗାଇଥିଲେ। କୌଣସି ଗ୍ରାହକ ଏହି କଟକଣା ସମୟରେ ୫୦ ହଜାରରୁ ଅଧିକ ଟଙ୍କା ଉଠାଇପାରିବେନି ବୋଲି କୁହାଯାଇଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ନେତୃତ୍ବରେ ୟେସ୍ ବ୍ୟାଙ୍କର ପୁନରୁଦ୍ଧାର ଯୋଜନା ପ୍ରସ୍ତୁତ କରାଯାଇଛି। ଷ୍ଟେଟ୍‌ ବ୍ୟାଙ୍କ ୬୦୫୦ କୋଟି ଟଙ୍କା ନିବେଶ କରିବ। ଏହା ବ୍ୟତୀତ ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି, ଆକ୍ସିସ୍ ବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ବନ୍ଧନ ବ୍ୟାଙ୍କ, ଫେଡେରାଲ୍ ବ୍ୟାଙ୍କ ଓ ଆଇଡିଏଫ୍‌ସି ଫାଷ୍ଟ୍‌ ୟେସ୍ ବ୍ୟାଙ୍କରେ ପୁଞ୍ଜିନିବେଶ କରିବାକୁ ଆଗେଇ ଆସିଛନ୍ତି। ଘୋର ସଙ୍କଟରେ ଫସିଥିବା ୟେସ୍‌ ବ୍ୟାଙ୍କ ୨୦୧୯ର ଅକ୍ଟୋବରରୁ ଡିସେମ୍ବର ତିନି ମାସ ମଧ୍ୟରେ ୧୮,୫୬୪ କୋଟି ଟଙ୍କାର କ୍ଷତି ସହିଛି। ୟେସ୍‌ ବ୍ୟାଙ୍କର ପୂନର୍ଗଠନ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଅଛନ୍ତି। ରିଜର୍ଭ ବ୍ୟାଙ୍କ ସହ ମିଶି ସେ ଏଦିଗରେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର