ରିଜର୍ଭ ବ୍ୟାଙ୍କଙ୍କ ଅପ୍ରତ୍ୟାଶିତ ନିଷ୍ପତ୍ତି : ରେପୋ ହାର ୦.୪% ବୃଦ୍ଧି, ମହଙ୍ଗା ହୋଇପାରେ ବ୍ୟାଙ୍କ ଋଣ

ମୁମ୍ବାଇ : ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ, ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବୁଧବାରଦିନ ରେପୋ ହାର ୪୦ ବେସିସ ପଏଣ୍ଟ ବା ୦.୪ ପ୍ରତିଶତ ବୃଦ୍ଧି କରି ୪.୪୦ ପ୍ରତିଶତ କରାଯାଇଛି । ଏହା ସହିତ କ୍ୟାସ ରିଜର୍ଭ ରେସିଓ ବା ନଗଦ ଜମା ଅନୁପାତ ୫୦ ବେସିସ ପଏଣ୍ଟ ବା ୦.୫ ପ୍ରତିଶତ ବୃଦ୍ଧି କରି ୪.୫ ପ୍ରତିଶତ କରାଯାଇଛି । ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣ କରିବାକୁ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ନେଇଥିବା କୁହାଯାଉଛି । ଏହା ଦ୍ବାରା ବ୍ୟାଙ୍କଗୁଡ଼ିକରୁ ୮୩,୭୧୧ କୋଟି ଟଙ୍କାର ନଗଦ ଅର୍ଥ ରିଜର୍ଭ ବ୍ୟାଙ୍କ ନିକଟକୁ ଚାଲିଯିବ ।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାରଦିନ ଏକ ସମ୍ବାଦିକ ସମ୍ମିଳନୀ କରି ଏ ସଂପର୍କରେ ଘୋଷଣା କରିଛନ୍ତି । ବର୍ତ୍ତମାନର ଅର୍ଥନୈତିକ ପ୍ରେକ୍ଷାପଟ୍ଟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି । ଗତ ଏପ୍ରିଲ ମାସରେ ଅନୁଷ୍ଠିତ ରିଜର୍ଭ ବ୍ୟାଙ୍କର ଦ୍ବିମାସିକ ଋଣନୀତି ସମୀକ୍ଷାରେ ସୁଧହାର ଅପରିବର୍ତ୍ତିତ ରଖାଯାଇଥିଲା ।

ରିଜର୍ଭ ବ୍ୟାଙ୍କର ଏହି ଘୋଷଣା ପରେ ଷ୍ଟକ ବଜାରରେ ବ୍ୟାପକ ହ୍ରାସ ପରିଲକ୍ଷିତ ହୋଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଚର ସୂଚକାଙ୍କ ସେନସେକ୍ସ ୧୩୦୦ ପଏଣ୍ଚରୁ ଅଧିକ ହ୍ରାସ ପାଇଛି । ସେହିପରି ନ୍ୟାସନ୍ୟାଲ ଷ୍ଟକ ଏକ୍ସଚେଞ୍ଜର ନିଫଟି ୪୧୪ ପଏଣ୍ଟ ହ୍ରାସ ପାଇ ୧୬,୫୦୦ ପଏଣ୍ଟ ତଳକୁ ଖସିଯାଇଛି ।

ସମ୍ବନ୍ଧିତ ଖବର