ମୁମ୍ବାଇ: ବିଶ୍ବର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ ଭାବେ ସୋସିଆଲ୍ ମିଡିଆ ସାଇଟ୍‌ ଟ୍ବିଟର୍‌ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆର୍‌ବିଆଇର ଅନୁଗାମୀ (ଫଲୋଅର୍‌) ସଂଖ୍ୟା ୧୦ ଲକ୍ଷରୁ ଅଧିକ ହୋଇଛି। ଅନ୍ୟ କୌଣସି ଦେଶର କେନ୍ଦ୍ରୀୟ ବ୍ୟାଙ୍କର ଭେରିଫାଏଡ୍‌ ଟ୍ବିଟର୍‌ ଆକାଉଣ୍ଟ୍‌ର ଏତେ ସଂଖ୍ୟକ ଅନୁଗାମୀ ନାହାନ୍ତି। ଆଜି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି। ଶକ୍ତିକାନ୍ତ ଲେଖିଛନ୍ତି ଯେ ଆଜି ଆର୍‌ବିଆଇର ଟ୍ବିଟର୍‌ ଆକାଉଣ୍ଟ୍‌ ଏକ ନିୟୁତରୁ ଅଧିକ ଅନୁଗାମୀ ସ୍ତର ଅତିକ୍ରମ କରିଛି। ଏକ ନୂତନ ମାଇଲଖୁଣ୍ଟ। ରିଜର୍ଭ ବ୍ୟାଙ୍କରେ ମୋର ସମସ୍ତ ସହଯୋଗୀଙ୍କୁ ଏଥିପାଇଁ ଧନ୍ୟବାଦ। ପୂର୍ବରୁ ଆମେରିକାର ‌କେନ୍ଦ୍ରୀୟ ବ୍ୟାଙ୍କ ‘ୟୁଏସ୍‌ ଫେଡେରାଲ୍‌ ରିଜର୍ଭ’ ଓ ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କର ଅନୁଗାମୀ ସଂଖ୍ୟା ସର୍ବାଧିକ ଥିଲା। ଆଜି ତାହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅତିକ୍ରମ କରିଛି। ସମଗ୍ର ବିଶ୍ବରେ ସବୁଠୁ ଅଧିକ ଲୋକ ପସନ୍ଦ କରୁଥିବା କେନ୍ଦ୍ରୀୟ ବ୍ୟାଙ୍କ ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କ ଉଭା ହୋଇଛି।

Advertisment

ଚଳିତ ମାସ ୨୭ ତାରିଖରେ ରିଜର୍ଭ ବ୍ୟାଙ୍କ ଅନୁଗାମୀ ସଂଖ୍ୟା ୯.୬୬ ଲକ୍ଷ ଥିଲା। ଆଜି ତାହ‌ା ୧୦ ଲକ୍ଷରୁ ଅଧିକ ହୋଇଛି। ୟୁଏସ୍‌ ଫେଡେରାଲ୍ ରିଜର୍ଭର ଅନୁଗାମୀ ସଂଖ୍ୟା ୬.୬୭ ଲକ୍ଷ ଓ ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କର ଅନୁଗାମୀ ସଂଖ୍ୟା ୫.୯୧ ଲକ୍ଷ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଠାରୁ ଏହି ଦୁଇ କେନ୍ଦ୍ରୀୟ ବ୍ୟାଙ୍କ ବହୁ ପୂର୍ବରୁ ଟ୍ବିଟର୍‌ରେ ଆକାଉଣ୍ଟ୍‌ ଖୋଲିଥିଲେ। ୟୁଏସ୍‌ ଫେଡେରାଲ୍‌ ରିଜର୍ଭ ୨୦୦୯ ମାର୍ଚ୍ଚ ଓ ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ ସେହିବର୍ଷ ଅକ୍ଟୋବରରେ ନିଜ ଆକାଉଣ୍ଟ୍‌ ଖୋଲିଥିଲେ। ପ୍ରାୟ ତିନି ବର୍ଷ ବିଳମ୍ବରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ଟ୍ବିଟର୍‌ ଆକାଉଣ୍ଟ୍‌ ୨୦୧୨ ଜାନୁଆରିରେ ଖୋଲିଥିଲା। ୨୦୧୯ ମାର୍ଚ୍ଚ ପର୍ଯ୍ୟନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କର ଟ୍ବିଟର୍‌ ଅନୁଗାମୀ ସଂଖ୍ୟା ୩,୪୨,୦୦୦ ଥିଲା। ବର୍ଷକ ଭିତରେ ଅର୍ଥାତ ୨୦୨୦ ମାର୍ଚ୍ଚ ସୁଦ୍ଧା ସେହି ସଂଖ୍ୟା ୭,୫୦,୦୦୦ରେ ପହଞ୍ଚିଥିଲା। ଲକ୍‌ଡାଉନ୍‌ ସମୟରେ ଅନୁଗାମୀ ସଂଖ୍ୟାରେ ଦେଢ଼ ଲକ୍ଷ ବୃଦ୍ଧି ହୋଇଥିଲା। ଚଳିତ ଆର୍ଥିକ ବର୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଅନୁଗାମୀ ସଂଖ୍ୟା ଅଢ଼େଇ ଲକ୍ଷ ବଢ଼ିଛି।