୬.୫%ରେ ରେପୋ ରେଟ୍‌ ଅପରିବର୍ତ୍ତୀତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ୍‌

ମୁମ୍ବାଇ: ଖାଉଟି ମୁଦ୍ରାସ୍ଫୀତି ଚାପ ହ୍ରାସ କରିବା ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ୬.୫%ରେ ଅପରିବର୍ତ୍ତିତ ରଖିଥିବା କଥା ଆଜି ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି।

ଆଜି ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଗଭର୍ଣ୍ଣର୍‌ ଦାସ କହିଛନ୍ତି, ରେପୋ ରେଟ୍‌ ୬.୫%ରେ ଅପରିବର୍ତ୍ତିତ ରଖିବା ଲାଗି ‘ମନିଟାରି ପଲିସି କମିଟି’ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଫଳରେ, ‘ଷ୍ଟାଣ୍ଡିଙ୍ଗ୍‌ ଡିପୋଜିଟ୍‌ ଫେସିଲିଟି’ (ଏସ୍‌ଡିଏଫ୍‌) ରେଟ୍‌ ୬.୨୫% ରହିଥିବା ବେଳେ ‘ମାର୍ଜିନାଲ୍‌ ଷ୍ଟାଣ୍ଡିଙ୍ଗ୍‌ ଫେସିଲିଟି’ ଏବଂ ବ୍ୟାଙ୍କ୍‌ ରେଟ୍‌ ୬.୭୫% ରହିଛି।

Image Courtesy of ABP

ସୂଚନାଯୋଗ୍ୟ, ଦୀର୍ଘ ୧୮ ମାସ ପରେ ଗତ ଏପ୍ରିଲ୍‌ ମାସରେ ‘କଞ୍ଜୁମର୍‌ ପ୍ରାଇସ୍‌-ବେସ୍‌ଡ୍‌ ଇନ୍‌ଫ୍ଲାସନ୍‌’ (ସିପିଆଇ) ହ୍ରାସ ପାଇଥିବା ବେଳେ ମଙ୍ଗଳବାରରୁ ଆଜି ପର୍ଯ୍ୟନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ‘ମନିଟାରି ପଲିସି କମିଟି’ (ଏମ୍‌ପିସି) ବୈଠକ ଚାଲିଥିଲା। ଏପ୍ରିଲ୍‌ ମାସଠାରୁ ମେ ମାସରେ ମୁଦ୍ରାସ୍ଫୀତି ଆହୁରି ହ୍ରାସ ପାଇବ ବୋଲି ଅଳ୍ପ ଦିନ ତଳେ ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର କହିଥିଲେ।

ଆଜି ‘ଏମ୍‌ପିସି’ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଗଭର୍ଣ୍ଣର୍‌ ଦାସ କହିଛନ୍ତି, ସାମଗ୍ରିକ ମୁଦ୍ରାସ୍ଫୀତି ନିର୍ଦ୍ଧାରିତ ଲକ୍ଷ୍ୟ ୪%ରୁ ଅଧିକ ରହୁଛି ଏବଂ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ସେମିତି ରହିବ।

ଅଭୂତପୂର୍ବ ବୈଶ୍ବିକ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଭାରତୀୟ ଅର୍ଥନୀତି ଓ ଆର୍ଥିକ କ୍ଷେତ୍ର ସୁଦୃଢ଼ ରହିଛି। କିନ୍ତୁ, ଆର୍ଥିକ ବର୍ଷ ୨୦୨୩-୨୪ରେ ମୁଦ୍ରାସ୍ଫୀତି ୫% ଉପରେ ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର