ତରବର ହୋଇ ଡିଜିଟାଲ ମୁଦ୍ରାର ପ୍ରଚଳନ କରିବନି ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ରିଜର୍ଭ ବ୍ୟାଙ୍କ ତରବର ହୋଇ ଡିଜିଟାଲ ମୁଦ୍ରାର ପ୍ରଚଳନ କରିବ ନାହିଁ । ଏହି ମୁଦ୍ରା ବଜାରକୁ ଛାଡ଼ିବା ପୂର୍ବରୁ ରିଜର୍ଭ ବ୍ୟାଙ୍କ ବିଭିନ୍ନ ପ୍ରକାରର ଟେକନଲୋଜୀ ଓ ସୁରକ୍ଷା ବ୍ୟବସ୍ଥାର ତର୍ଜମା କରିବ, ଯେପରିକି ଏହାକୁ ନକଲ କରିହେବ ନାହିଁ  ବୋଲି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ଏଣୁ କେବେ ଏହି ଡିଜିଟାଲ ମୁଦ୍ରାର ପ୍ରଚଳନ ଆରମ୍ଭ କରାଯିବ ସେ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ସମୟସୀମା  ଦେବାକୁ ସେ ମନା କରିଦେଇଛନ୍ତି ।

ଆଜି ମଧ୍ୟ ଶ୍ରୀ ଦାସ କ୍ରିପ୍ଟୋକରେନ୍ସିରେ ଭାରତୀୟଙ୍କ ନିବେଶ  ନେଇ ସତର୍କ କରାଇଦେଇଛନ୍ତି । ସେ କହିଛନ୍ତି ଯେ, କ୍ରିପ୍ଟୋକରେନ୍ସି ଦେଶର ସାମଗ୍ରିକ ଅର୍ଥନୀତି ପାଇଁ ଏକ ବିପଦ ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ୍ ଅଭିଭାଷଣରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦେଶରେ ଡିଜିଟାଲ ଟଙ୍କା ପ୍ରଚଳନ କରାଯିବ ବୋଲି ଘୋଷଣା କରିଥିଲେ । ବ୍ଲକଚେନ ଓ ଅନ୍ୟ ପ୍ରକାରର ଟେକନଲୋଜୀ ବ୍ୟବହାର କରି ଏହା କରାଯିବ । ଏହା ଅର୍ଥନୈତିକ କାର୍ଯ୍ୟକଳାପକୁ ବୃଦ୍ଧି କରିବାରେ ସହାୟକ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଥିଲେ । ପୂର୍ବରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଧ୍ୟ ଏ ସଂର୍କରେ ସଂକେତ ଦିଆଯାଇଥିଲା ।

୨୦୨୨-୨୩ ଆର୍ଥିକ ବର୍ଷ ଆରମ୍ଭରେ ରିଜର୍ଭ ବ୍ୟାଙ୍କ ଡିଜିଟାଲ ଟଙ୍କା ଆରମ୍ଭ କରିବ ବୋଲି ସେ କହିଥିଲେ । କିନ୍ତୁ ଏବେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ବୟାନ ପରେ ଏହି ମୁଦ୍ରା ପ୍ରଚଳନ ବିଳମ୍ବିତ ହେବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର