ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର ବିଏନପି ପରିବାସ୍ ଉପରେ ବୈଧାନିକ ଏବଂ ନିୟାମକ ଅନୁପାଳନରେ ତ୍ରୁଟି ପାଇଁ ୩୧.୮ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ଏହାବ୍ୟତୀତ କେନ୍ଦ୍ରୀୟ ବ୍ୟାଙ୍କର କେତେକ ନିୟମ ପାଳନ ନ କରିବା ପାଇଁ ହ୍ୟୁଲେଟ୍ ପ୍ୟାକାର୍ଡ ଫାଇନାନ୍ସିଆଲ ସର୍ଭିସେସ୍ (ଇଣ୍ଡିଆ), ଏସ୍ଏମ୍ଏଫଜି ଇଣ୍ଡିଆ କ୍ରେଡିଟ୍ କମ୍ପାନି ଏବଂ ମୁଥୁଟ୍ ଭେଇକିଲ୍ ଆଣ୍ଡ ଆସେଟ୍ ଫାଇନାନ୍ସକୁ ମଧ୍ୟ ଜରିମାନା କରାଯାଇଛି।ରିଜର୍ଭ ବ୍ୟାଙ୍କ ର କହିବା ଅନୁଯାୟୀ, ବିଏନପି ପରିବାଙ୍କୁ 'ଆଡଭାନ୍ସ ଉପରେ ସୁଧ ହାର' ସମ୍ବନ୍ଧୀୟ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ପାଳନ ନ କରିବା ପାଇଁ ଦଣ୍ଡିତ କରାଯାଇଥିଲା। ମାର୍ଚ୍ଚ ୩୧, ୨୦୨୩ ସୁଦ୍ଧା ବ୍ୟାଙ୍କ ଏହାର ଆର୍ଥିକ ସ୍ଥିତି ଆଧାରରେ ମୂଲ୍ୟାୟନ ପାଇଁ ଏକ ବୈଧାନିକ ଯାଞ୍ଚ କରିଥିଲା। ଏହାପରେ ବ୍ୟାଙ୍କକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। କେନ୍ଦ୍ରୀୟ ବ୍ୟାଙ୍କର କହିବା ଅନୁଯାୟୀ, କେତେକ ଋଣ କ୍ଷେତ୍ରରେ ସମାନ ଋଣ ବର୍ଗରେ ଏକ ସମାନ ବାହ୍ୟ ବେଞ୍ଚମାର୍କ ହାର ଗ୍ରହଣ କରିବାରେ ବ୍ୟାଙ୍କ ବିଫଳ ହୋଇଛି। ଶୁଣାଣି ସମୟରେ ବ୍ୟାଙ୍କର ପ୍ରତିକ୍ରିୟା ଓ ଆଭିମୁଖ୍ୟକୁ ବିଚାରକୁ ନେଇ ଏହାକୁ ପାଳନ ନ କରିବା ପାଇଁ ଆର୍ଥିକ ଜରିମାନା ଆଦାୟ କରାଯାଇଥିଲା ।

Advertisment

ଏହା ବ୍ୟତୀତ ହ୍ୟୁଲେଟ୍ ପ୍ୟାକାର୍ଡ ଫାଇନାନ୍ସିଆଲ ସର୍ଭିସେସ୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ଉପରେ ୧୦.୪୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ମୁଥୁଟ୍ ଭେଇକିଲ୍ ଆଣ୍ଡ୍ ଆସେଟ୍ ଫାଇନାନ୍ସ ଲିମିଟେଡ୍ ଉପରେ ୭.୯ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ଏସ୍ଏମ୍ଏଫ୍ଜି ଇଣ୍ଡିଆ କ୍ରେଡିଟ୍ କମ୍ପାନି ଲିମିଟେଡ୍ (ପୂର୍ବରୁ ଫୁଲର୍ଟନ୍ ଇଣ୍ଡିଆ କ୍ରେଡିଟ୍ କମ୍ପାନି ଲିମିଟେଡ୍) ଉପରେ ୨୩.୧ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଛି।