ସଂକଟରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କ : ଏକ ମାସ ପାଇଁ ମୋରାଟୋରିୟମ୍ ଲାଗୁ କଲେ ସରକାର, ଜମାକାରୀ ସର୍ବାଧିକ ୨୫ ହଜାର ଟଙ୍କା ଉଠାଇପାରିବେ

ମୁମ୍ବାଇ : ଦେଶର ଏକ ପ୍ରମୁଖ ଘରୋଇ ବ୍ୟାଙ୍କ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଆର୍ଥିକ ସଂକଟ ମଧ୍ୟକୁ ଠେଲି ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ମଙ୍ଗଳବାରଦିନ ଏହି ବ୍ୟାଙ୍କକୁ ଏକ ମାସ ପାଇଁ ମୋରାଟୋରିୟମ ମଧ୍ୟରେ ରଖିଛନ୍ତି । ଏହି ମୋରାଟୋରିୟମ ସମୟ ଆଜି ସଂଧ୍ୟା ୬ଟାରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଲାଗୁ ରହିବ । ଏହା ସହିତ ଏହି ବ୍ୟାଙ୍କରୁ ନଗଦ ଉଠାଣ ସୀମାକୁ ୨୫ ହଜାର ମଧ୍ୟରେ ସୀମିତ ରଖାଯାଇଛି । ରିଜର୍ଭ ବ୍ୟାଙ୍କର ସୁପାରିସକ୍ରମେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଗୋଟିଏ ବ୍ୟାଙ୍କ ମୋରାଟୋରିୟମ ଅଧିନରେ ରହିବା ଅର୍ଥ ହେଉଛି ବ୍ୟାଙ୍କ ନିଜର ଜମାକାରୀଙ୍କୁ ରିଜର୍ଭ ବ୍ୟାଙ୍କର ଅନୁମତି ବିନା ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ପରିମାଣର ଉଠାଣ ରାଶି ପ୍ରଦାନ କରିପାରିବ ନାହିଁ । ଏହା ସହିତ ବ୍ୟାଙ୍କ ନୂଆ ଋଣ ମଂଜୁର କରିବା, କୌଣସି ଋଣକୁ ସଂପ୍ରସାରଣ କରିବା, ନୂଆ ନିବେଶ ଅଥବା କୌଣସି ପେମେଣ୍ଟ ପ୍ରଦାନ କରିପାରିବ ନାହିଁ ।

ଏହି ଘୋଷଣା କରିବାର କିଛି ସମୟ ପରେ ରିଜର୍ଭ ବ୍ୟାଙ୍କ ଲକ୍ଷ୍ମୀ ବିଳାସ ଓ ଡିବିଏସ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ଲାଗି ଏକ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନା ଅନୁସାର ଡିବିଏସ  ଏହି ମିଶ୍ରିତ ବ୍ୟାଙ୍କରେ ୨୫୦୦ କୋଟି ନିବେଶ କରିବ ।

ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ବୋର୍ଡ ଅଫ ଡାଇରେକ୍ଟର୍ସକୁ ଭାଙ୍ଗିଦେବା ସହ କାନାରା ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ଟି.ଏନ. ମନୋହରନଙ୍କୁ ପ୍ରଶାସକ ନିଯୁକ୍ତ କରିଛନ୍ତି ।

ତେବେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ପଦକ୍ଷେପକୁ ନେଇ ବ୍ୟାଙ୍କର ଜମାକାରୀମାନେ ବିଚଳିତ ହେବା ଉଚିତ ନୁହେଁ, କାରଣ ସେମାନଙ୍କ ଜମା ସୁରକ୍ଷିତ ରହିବ ।

ସମ୍ବନ୍ଧିତ ଖବର