ଲୋକଙ୍କ ନିକଟରେ ନଗଦ ଅର୍ଥ ପହଞ୍ଚାଅ: ନିର୍ମଳା

ବ୍ୟାଙ୍କରେ ଭିଡ଼ ନକରିବାକୁ ଆଇବିଏର ପରାମର୍ଶ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ସମୟରେ ବ୍ୟାଙ୍କ ଅଧିକାରୀମାନେ କରୁଥିବା କାର୍ଯ୍ୟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଶଂସା କରିଛନ୍ତି। ଏଥିସହିତ ଲୋକଙ୍କ ନିକଟରେ ଟଙ୍କା ପହଞ୍ଚାଇବା ପାଇଁ ବ୍ୟାଙ୍କ ଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଠିକ୍ ସମୟରେ ଲୋକଙ୍କ ନିକଟରେ ଯେଭଳି ଟଙ୍କା ପହଞ୍ଚି ପାରିବ ସେ ନେଇ ସେ ସବୁ ବ୍ୟାଙ୍କ ଏବଂ ରାଜ୍ୟ ସରକାରଙ୍କ ସହ କଥାହେବେ ବୋଲି କହିଛନ୍ତି। ନଗଦ ଅର୍ଥ ପରିବହନ, ବ୍ୟାଙ୍କ କର୍ମଚାରୀ, ଭେଣ୍ଡର ଏବଂ ବ୍ୟାଙ୍କ ମିତ୍ରମାନଙ୍କ ଯାତାୟାତରେ ଯେଭଳି କୌଣସି ବାଧା ନପହଞ୍ଚେ ସେଥିପାଇଁ ସେ ରାଜ୍ୟ ଗୁଡ଼ିକ ସହିତ କଥା ହୋଇ ଏହାକୁ ନିଶ୍ଚିତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅର୍ଥମନ୍ତ୍ରୀ ଆଜି ଏ ନେଇ ଏକାଧିକ ଟ୍ବିଟ୍ କରିଛନ୍ତି। ବ୍ୟାଙ୍କ କାର୍ଯ୍ୟ ସହ ଜଡ଼ିତ ସବୁ ବ୍ୟକ୍ତି ପ୍ରଶଂସାର ପାତ୍ର। ବର୍ତ୍ତମାନର ପ୍ରତିକୂଳ ପରିସ୍ଥିତିରେ ବ୍ୟାଙ୍କ କର୍ମଚାରୀମାନେ ଆଗଧାଡ଼ିରେ ରହି ଲୋକଙ୍କୁ ସେବା ଯୋଗାଉଥିବାରୁ ଅର୍ଥମନ୍ତ୍ରୀ ସେମାନଙ୍କର ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଲୋକଙ୍କ ନିକଟରେ ନଗଦ ଟଙ୍କା ପହଞ୍ଚାଇବା ହେଉ କିମ୍ବା ବ୍ୟାଙ୍କ ଶାଖା ଖୋଲିବାରେ ହେଉ ବ୍ୟାଙ୍କ କର୍ମଚାରୀମାନେ ନିଷ୍ପାର ସହିତ କାର୍ଯ୍ୟ କରୁଛନ୍ତି। ଇଣ୍ଡିଆନ୍ ବ୍ୟାଙ୍କସ୍‌ ଆସୋସିଏସନର ରିପୋର୍ଟ ଅନୁଯାୟୀ, ଗତ ଶୁକ୍ରବାର ଦେଶରେ ୧ ଲକ୍ଷ ୫ ହଜାର ୯୮୮ଟି ବ୍ୟାଙ୍କ ଶାଖା ଖୋଲା ଥିଲା। କିନ୍ତୁ ଶନିବାର ଓ ରବିବାର ବ୍ୟାଙ୍କ ଛୁଟି ରହିଛି।

ଅନ୍ୟପକ୍ଷରେ କରୋନା ପାଇଁ ଜାରି ହୋଇଥିବା ଉ‌ପଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଆଇବିଏ ପକ୍ଷରୁ ଗ୍ରାହକମାନଙ୍କୁ ପରାମର୍ଶ ଦିଆଯାଇଛି। ଗୋଟିଏ ଜାଗାରେ ମେଳି ନବାନ୍ଧିବା, ପ୍ରତ୍ୟେକ ଗ୍ରାହକ ପରସ୍ପର ମଧ୍ୟରେ ଗୋଟିଏ ମିଟରରୁ ଦେଢ଼ ମିଟରର ଦୂରତା ବଜାୟ ରଖିବା ଏବଂ ବ୍ୟାଙ୍କ ଶାଖା ଭିତରକୁ ଏକ ସଙ୍ଗରେ ୫-୬ ଜଣରୁ ଅଧିକ ଲୋକ ନ ପଶିବା ପାଇଁ କୁହାଯାଇଛି। ଯେଉଁ ବ୍ୟକ୍ତିଙ୍କୁ ଥଣ୍ଡା ଏବଂ କାଶ ହେଉଛି ସେମାନଙ୍କ ସମେତ ଛୋଟ ପିଲା ଓ ବରିଷ୍ଠ ନାଗରିକମାନଙ୍କୁ ବ୍ୟାଙ୍କ ଶାଖାଗୁଡ଼ିକୁ ନଆସିବା ପାଇଁ ଆଇବିଏ ପରାମର୍ଶ ଦେଇଛି।

ସମ୍ବନ୍ଧିତ ଖବର