ନୂଆଦିଲ୍ଲୀ: ଚଳିତବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ବ୍ୟାଙ୍କ୍ ଆକାଉଣ୍ଟ୍ରେ ଆଧାରକାର୍ଡ ସଂଯୋଗ ନ କରାଇଲେ ବ୍ୟାଙ୍କ୍ ଖାତା ରଦ୍ଦ ହୋଇଯିବ ବୋଲି ପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ମାତ୍ର ଏହାର ସତ୍ୟାସତ୍ୟ ଜାଣିବା ପାଇଁ ସୂଚନା ଅଧିକାର ଆଇନ୍(ଆର୍ଟିଆଇ) ଆଧାରରେ ଏକ ପ୍ରଶ୍ନ ପତ୍ର ଜାରି ହୋଇଥିଲା। ମନିଲାଇଫ୍ ପକ୍ଷରୁ ଜାରି ହୋଇଥିବା ଏହି ପ୍ରଶ୍ନ ପତ୍ରର ଉତ୍ତରରେ ଏବେ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ପକ୍ଷରୁ ଜବାବ ଆସିଛି ଯେ ବ୍ୟାଙ୍କ୍ ଆକାଉଣ୍ଟ୍ ସହିତ ଆଧାର ସଂଯୋଗ କରିବା ବାଧ୍ୟତାମୂଳକ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍ବିଆଇ) ପକ୍ଷରୁ ସେପରି କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ।
ସୂଚନଯୋଗ୍ୟ, ଚଳିତବର୍ଷ ଜୁନ ୧ ତାରିଖରେ ସରକାରଙ୍କ ପକ୍ଷରୁ ଏକ ଘୋଷଣା ହୋଇଥିଲା ଯେ ୨୦୧୭ ଡିସେମ୍ବର ଶେଷ ସୁଦ୍ଧା ବ୍ୟାଙ୍କ୍ ଖାତା ସହିତ ଆଧାରକାର୍ଡ ସଂଯୋଗ ନ କରାଇଲେ ବ୍ୟାଙ୍କ୍ ଆକାଉଣ୍ଟ୍ ରଦ୍ଦ ହୋଇଯିବ।
ଅନ୍ୟପକ୍ଷରେ, ବ୍ୟାଙ୍କ୍ ଖାତା ସହ ଆଧାର ସଂଯୋଗ ବାଧ୍ୟତାମୂଳକ ନେଇ ଆର୍ବିଆଇ ସୁପ୍ରିମ୍କୋର୍ଟଙ୍କ ନିକଟରୁ ଅନୁମତି ଆଣିଥିବା ସଂପର୍କରେ ଆରଟିଆଇ ଦ୍ୱାରା ପଚରା ଯାଇଥିବା ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ପକ୍ଷରୁ ଜବାବ ମିଳିଛି ଯେ ପୂର୍ବରୁ ଏ ସଂକ୍ରାନ୍ତରେ ସୁପ୍ରିମ୍କୋର୍ଟରେ କୌଣସି ପ୍ରକାର ମାମଲା ରୁଜୁ ହୋଇନାହିଁ।