ଗ୍ରାହକଙ୍କ ବିନା ଅନୁମତିରେ ଆକାଉଣ୍ଟ ଖୋଲୁଛି ଏୟାରଟେଲ ପେମେଣ୍ଟ ବ୍ୟାଙ୍କ, ୫ କୋଟିର ଜରିମାନା ଲଗାଇଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ : ଲେକଙ୍କ ବିନା ଅନୁମତିରେ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଓ କେଓ୍ଵାଇସି ନିୟମକୁ ପାଳନ ନ କରିବା ଅଭିଯୋଗରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ଉପରେ ୫ କୋଟି ଟଙ୍କାର ଜରିମାନା ଲଗାଇଛି ।

ବିଭିନ୍ନ ଲୋକଙ୍କଠାରୁ ଅଭିଯୋଗ ଓ ଗଣମାଧ୍ୟମ ରିପୋର୍ଟକୁ ଭିତ୍ତିକରି ରିଜର୍ଭ ବ୍ୟାଙ୍କ ତଦନ୍ତ ଆରମ୍ଭ କରିଥିଲା । ଏ ନେଇ ଜବାବ ରଖିବାକୁ ଗତ ଜାନୁୟାରୀ ମାସରେ ଏୟାରଟେଲକୁ କୁହାଯାଇଥିଲା । ଅନ୍ୟପକ୍ଷରେ ଏୟାରଟେଲ ବ୍ୟାଙ୍କର ଆକାଉଣ୍ଟ ଖୋଲିବା ସଂପର୍କିତ ସବୁ କାଗଜପତ୍ରକୁ ଯାଞ୍ଚ କରିବାପରେ ରିଜର୍ଭ ବ୍ୟାଙ୍କ ଜାଣିବାକୁ ପାଇଥିଲା ଯେ ଲୋକମାନଙ୍କ ଅନୁମତି ନ ନେଇ, ଏପରିକି ଲୋକମାନଙ୍କ ଅଜ୍ଞାତସାରରେ ବ୍ୟାଙ୍କ ଖାତା ଖୋଲାଯାଇଛି । ଏହା କରିବାବେଳେ ଏୟାରଟେଲ ପେମେଣ୍ଟ ବ୍ୟାଙ୍କର ପରିଚାଳନା ନିୟମାବଳୀକୁ ଉଲ୍ଲଙ୍ଘନ କରିଛି ।

ଗତ ବର୍ଷ ଏପରି ଅଭିଯୋଗ ଆସିବା ପରେ ୟୁଆଇଡିଏଆଇ ପକ୍ଷରୁ ଏୟାରଟେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସିମ୍‌କାର୍ଡ ଯାଞ୍ଚ ପାଇଁ ଉଦ୍ଦିଷ୍ଟ ଆଧାର ତଥ୍ୟ ବ୍ୟବହାର କରି କମ୍ପାନି ଗ୍ରାହକମାନଙ୍କର ବିନା ଅନୁମତିରେ ପେମେଣ୍ଟ ବ୍ୟାଙ୍କ ଖାତା ଖୋଲୁଥିବାର ବାରମ୍ବାର ଅଭିଯୋଗ ଆସିବା ପରେ ୟୁଆଇଡିଏଆଇ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏପରିକି ଏୟାରଟେଲ ପକ୍ଷରୁ ଖୋଲାଯାଇଥିବା ଗ୍ରାହକଙ୍କ ପେମେଣ୍ଟ ବ୍ୟାଙ୍କରେ ଗ୍ରାହକଙ୍କ ଏଲପିଜି ସବସିଡି ଅର୍ଥ ଜମା ହେଉଥିବା ଅଭିଯୋଗ ହୋଇଥିଲା ।

ସମ୍ବନ୍ଧିତ ଖବର