କେନ୍ଦ୍ର ସରକାରଙ୍କୁ ୩୦ ହଜାର କୋଟିର ବଳକା ଅର୍ଥ ପ୍ରଦାନ କରିବ ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରିଜର୍ଭ ବ୍ୟାଙ୍କ ନିଜର ବଳକା ପାଣ୍ଠିରୁ ୩୦,୩୦୭ କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବ । ଏ ନେଇ ରିଜର୍ଭ ବ୍ୟାଙ୍କର ୫୯୬ତମ କେନ୍ଦ୍ରୀୟ ବୋର୍ଡ ଅଫ ଡାଇରେକ୍ଟର୍ସ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା ।

ଏହି ବୈଠକ ଅବସରରେ ବୋର୍ଡ ପକ୍ଷରୁ ବର୍ତ୍ତମାନର ଭାରତର ଓ ବିଶ୍ବର ଅର୍ଥନୈତିକ ସ୍ଥିତି, ଘରୋଇ ଓ ବିଶ୍ବସ୍ତରରେ ଦେଖାଦେଇଥିବା ନୂଆ ନୂଆ ଚ୍ୟାଲେଞ୍ଜ ଓ ୟୁକ୍ରେନ ଯୁଦ୍ଧ ପରି ଭୂ-ରାଜନୈତିକ ସ୍ଥିତିର ସମୀକ୍ଷା କରାଯାଇଥିଲା । ଏହା ସହିତ ୨୦୨୧-୨୨ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କର କାର୍ଯ୍ୟର ସମୀକ୍ଷା କରାଯାଇଥିଲା ।

୨୦୨୧-୨୨ ଆର୍ଥକ ବର୍ଷ ପାଇଁ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ଯେତିକି ପରିମାଣର ବଳକା ଅର୍ଥ ଦେବ, ତାହା ବଜେଟ ଅଟକଳଠାରୁ କମ ରହିଛି । କିନ୍ତୁ ଏହି ଆର୍ଥିକ ବର୍ଷରେ ସରକାରଙ୍କ ଟିକସ ଆୟ ଅଧିକ ଥିବାରୁ ପୂର୍ବୋକ୍ତ ନିଅଣ୍ଟର ସେତେଟା ପ୍ରଭାବ ରହିବ ନାହିଁ ବୋଲି ଅର୍ଥନିତିଜ୍ଞମାନେ କହିଛନ୍ତି ।

ପ୍ରତିବର୍ଷ ଲାଭାଂଶ ଆକାରରେ ରିଜର୍ଭ ବ୍ୟାଙ୍କ ଠାରୁ ସରକାର ମୋଟା ଅଙ୍କର ଟଙ୍କା ପାଇଥାନ୍ତି । ୨୦୨୦-୨୧ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କ ନିଜର ବଳକା ଲାଭାଂଶ ଆକାରରେ ପ୍ରାୟ ୯୯,୧୨୨ କୋଟି ଟଙ୍କା ପ୍ରଦାନ କରିଥିଲା । ଏଣୁ ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରସ୍ତାବିତ ୩୦ ହଜାର କୋଟିର ଅର୍ଥ ପୂର୍ବ ବର୍ଷ ତୁଳନାରେ ଯଥେଷ୍ଟ କମ ।

 

ସମ୍ବନ୍ଧିତ ଖବର