ରିଲାଏନ୍ସ କମ୍ୟୁନିକେସନ ଗ୍ରାହକମାନେ ମାର୍ଚ୍ଚ ୨୦ ସୁଦ୍ଧା ନମ୍ବର ପୋର୍ଟେବିଲିଟି କରିପାରିବେ

ନୂଆଦିଲ୍ଲୀ: ବନ୍ଦ ହୋଇଥିବା ଟେଲିକମ ସେବା କମ୍ପାନି ରିଲାଏନ୍ସ କମ୍ୟୁନିକେସନର ଗ୍ରାହକମାନଙ୍କ ପାଇଁ ଏକ ଆଶ୍ୱସ୍ତିଭରା ଖବର । ଏଣିକି ସେମାନେ ଆସନ୍ତା ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ନିଜର ପୁରୁଣା ନମ୍ବରକୁ ପୋର୍ଟେବଲ କରିପାରିବେ । ଏ ବାବଦରେ ରିଲାଏନ୍ସ କମ୍ୟୁନିକେସନ୍ସ, ଅନ୍ୟ ମୋବାଇଲ ଅପରେଟର, ମୋବାଇଲ ନମ୍ବର ପୋର୍ଟେବିଲିଟି ସେବା ପ୍ରଦାନକାରୀ କମ୍ପାନିମାନଙ୍କୁ ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ସେବା ବନ୍ଦ ହେବା ପରେ ରିଲାଏନ୍ସ କମ୍ୟୁନିକେସନର ଗ୍ରାହକମାନଙ୍କୁ ଇସ୍ୟୁ କରାଯାଇଥିବା ୟୁନିକ୍‌ ପୋର୍ଟେବିଲିଟି କୋଡର ବୈଧତା ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ବୈଧ ରହିବ । ଏହାଛଡ଼ା ଏହି ସମୟ ମଧ୍ୟରେ ନୂଆ କୋଡ ମଧ୍ୟ ଜାରି କରାଯାଇପାରିବ ।
ଗତ ବର୍ଷ ଦେଶର ବିଭିନ୍ନ ସର୍କଲରେ ସେବା ବନ୍ଦ କରାଯିବା ବିଷୟ ଘୋଷଣା କରିଥିଲା ରିଲାଏନ୍ସ କମ୍ୟୁନିକେସନ୍ସ । ଗ୍ରାହକମାନେ ଏକ ମାସ ମଧ୍ୟରେ ନମ୍ବର ପୋର୍ଟେବିଲିଟି କରି ଅନ୍ୟ ଅପରେଟରଙ୍କ ସେବା ନେଇପାରିବେ ବୋଲି କୁହାଯାଇଥିଲା । ତେବେ କମ୍ପାନିର ଗ୍ରାହକମାନେ ଅନ୍ୟ କମ୍ପାନିକୁ ପୋର୍ଟିଂ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଟ୍ରାଇ(ଭାରତୀୟ ଟେଲି ନିୟାମକ କର୍ତୃପକ୍ଷ) ନିକଟରେ ଅଭିଯୋଗମାନ ପହଞ୍ଚିବା ପରେ ଏହାର ଅବଧିକୁ ବୃଦ୍ଧି କରାଯାଇଥିଲା। ପୂର୍ବରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କମ୍ପାନିକୁ ୟୁନିକ୍‌ ପୋର୍ଟିଂ କୋଡ୍‌(ୟୁପିସି) ସକ୍ରିୟ ରଖିବାକୁ ଟ୍ରାଇ କହିଥିଲା। ପରେ ଏହାକୁ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ବଢାଯାଇଥିଲା । ଏବେ ତାହାକୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ବଢାଯାଇଛି ।

ସମ୍ବନ୍ଧିତ ଖବର