ନୂଆଦିଲ୍ଲୀ: ପୂଜାକୁ ନେଇ ଗ୍ରାହକମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି। ଧନୀମାନେ କିଣାକିଣିରେ ବ୍ୟସ୍ତ ଥିବା ବେେଳ ଗରିବ ଲୋକମାନେ ଚଳନୀୟ ଖର୍ଚ୍ଚ କରିବାକୁ ଉଦ୍ୟମ କରିଛନ୍ତି। ପୂଜା ବଜାର ଦେଶର ସବୁ ଲୋକଙ୍କ ପାଇଁ ସମାନ ନୁହେଁ। ବିଶେଷ କରି ପୂଜାରେ ଖର୍ଚ୍ଚ କରିବା କ୍ଷେତ୍ରରେ ଧନୀମାନେ ଆଗରେ ରହିଛନ୍ତି। ଗରିବମାନେ ଏବେବି ମହାମାରୀର ଝଟ୍କାରୁ ମୁକୁଳିବାକୁ ସଂଘର୍ଷ କରୁଛନ୍ତି। ୟୁବିଏସ୍ର ଏକ ସର୍ଭେରୁ ଏହି ଚିତ୍ରା ସମ୍ନାକୁ ଆସିଛି।
୧୫୦୦ରୁ ଅଧିକ ଧନୀକ ବର୍ଗର ଗ୍ରାହକମାନଙ୍କୁ ନେଇ ୟୁବିଏସ୍ କରିଥିବା ସର୍ଭେରେ ଅଂଶଗ୍ରହଣ କରିବା ଅଧିକାଂଶ ଲୋକ ଗତ ତିନି ମାସ ଭିତରେ ସୁନା ଓ ଗହଣା କିଣିଥିବା ସ୍ବୀକାର କରିଛନ୍ତି। ଅଧାରୁ ଅଧିକ ଲୋକ ଆସନ୍ତା ଦୁଇ ବର୍ଷ ଭିତରେ ଘର ଓ ସମ୍ପତ୍ତି ବାଡ଼ିରେ ନିବେଶ କରିବା ଏବଂ କାର୍ ଓ ଦୁଇଚକିଆ ଯାନ କିଣିବା ଲାଗି ଯୋଜନା ରଖିଥିବା କହିଛନ୍ତି। ବଡ଼ କଥା ହେଉଛି ଏହି ସର୍ଭେର ୭୦ ପ୍ରତିଶତ ଅଂଶଗ୍ରହଣକାରୀ କହିଛନ୍ତି ଯେ ୨୦୨୩ରେ ସେମାନଙ୍କ ଆୟ ଆହୁରି ବଢ଼ିବାର ସମ୍ଭାବନା ରହିଛି। ସର୍ଭେର ୨୦ ପ୍ରତିଶତ ଲୋକ କହିଛନ୍ତି ସେମାନେ କେବଳ ଅନଲାଇନ୍ ସପିଙ୍ଗ୍, ସ୍ବାସ୍ଥ୍ୟ ସେବା, ଅନ୍ଲାଇନ ମନୋରଞ୍ଜନ, ଘରକରଣା ସାମଗ୍ରୀ, ଗ୍ରୋସରି ଓ ଖାଦ୍ୟ ସାମଗ୍ରୀ କିଣିବାରେ ଯାହା କିଛି ଖର୍ଚ୍ଚ କରିବେ। କଞ୍ଜ୍ୟୁମର ଡ୍ୟୁରେବଲ୍ ଓ ଶିକ୍ଷାରେ ବ୍ୟୟ ପୂର୍ବ ଭଳି ସମାନ ରହିବ। ୯ ପ୍ରତିଶତ ଅଂଶଗ୍ରହଣକାରୀ କହିଛନ୍ତି ଯେ ଏଥର ପୂଜାରେ ସେମାନେ କମ୍ ଖର୍ଚ୍ଚ କରିବେ।
ଅନ୍ୟପକ୍ଷରେ ଡେଲୋଏଟ୍ ପକ୍ଷରୁ କରାଯାଇଥିବା ଏକ ସର୍ଭେରେ କୁହାଯାଇଛି ଯେ ପୂଜାକୁ ନେଇ ସାରା ଦେଶରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି। କରୋନା ମହାମାରୀର ପ୍ରଭାବ ଦୂର ହୋଇଥିବାରୁ ଚଳିତ ବର୍ଷ ପୂଜାରେ ଗ୍ରାହକମାନେ ମନଖୋଲି କିଣାକିଣି କରିବା ଉପରେ ଜୋର ଦେଇଛନ୍ତି। ଡେଲୋଏଟ୍ର କମ୍ପ୍ୟୁଟର ଟ୍ରାକ୍ରରୁ ଏହା ଜଣାପଡ଼ିଛି। ଲୋକମାନେ ଦୂର ସ୍ଥାନ ଭ୍ରମଣ କରିବାଠାରୁ ଆରମ୍ଭ କରି ହୋଟେଲ୍ ରହଣୀ ଆଦିରେ ଖର୍ଚ୍ଚ କରିବାକୁ କୁଣ୍ଠା ପ୍ରକାଶ କରିବେନି। କିଛି ଲୋକ ଆସନ୍ତା ୬ ମାସ ଭିତରେ ନୂଆ କିମ୍ବା ୟୁଜ୍ଡ ଗାଡ଼ି କିଣିବାକୁ ମଧ୍ୟ ଯୋଜନା ରଖିଛନ୍ତି। ଦରବୃଦ୍ଧି ସମସ୍ୟା ଲାଗି ରହିଥିଲେ ମଧ୍ୟ ଆସନ୍ତା ଚାରି ସପ୍ତାହରେ ଲୋକମାନେ ପ୍ରବଳ କିଣାକିଣି କରିବେ ବୋଲି ଡେଲୋଏଟ୍ ଆକଳନ କରିଛି। ପୂଜାରେ ଗ୍ରାହକମାନେ ପୋଷାକ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ହୋମ୍ ଫର୍ଣ୍ଣିସିଂ ଆଦି କିଣାକିଣି କରିବେ। ଏଥି ସହିତ ରେସ୍ତୋରାଁରେ ଖାଇବା, ବୁଲାବୁଲି କରିବା, ମନୋରଞ୍ଜନ ଓ ଚିତ୍ତବିନୋଦନରେ ମଧ୍ୟ ଖର୍ଚ୍ଚ କରିବେ। ଡେଲୋଇଟ୍ ସର୍ଭେରୁ ଜଣାପଡ଼ିଛି ଯେ ଲୋକମାନେ ଦେଶ ଭିତରେ କିମ୍ବା ବିଦେଶର ଯେକୌଣସି ସ୍ଥାନ ଭ୍ରମଣ କରିବାକୁ ମଧ୍ୟ ଯୋଜନା ରଖିଛି।
ଉତ୍ସବ ଋତୁରେ ଗାଡ଼ି ଶିଳ୍ପ ବିଶେଷ ଭାବେ ଲାଭବାନ ହେବ। କାରଣ ଲୋକମାନେ ନୂଆ ଗାଡ଼ି କିଣିବାକୁ ଯୋଜନା ରଖିଛନ୍ତି। ସର୍ଭେରେ ଭାଗ ନେଇଥିବା ୮୪ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ନୂଆ ଗାଡ଼ି କିଣିବାକୁ ଚାହୁଛନ୍ତି। ପୁରୁଣା ଗାଡ଼ିର ରକ୍ଷଣାବେକ୍ଷଣ ଖର୍ଚ୍ଚ ବଢ଼ିଥିବା ବେଳେ ଉତ୍ସବ ପାଇଁ କଂପାନିଗୁଡ଼ିକ ଘୋଷଣା କରିଥିବା ଲୋଭନୀୟ ଅଫର ଯୋଗୁଁ ଅଧିକ ଲୋକ ନୂଆ ଗାଡ଼ି କିଣିବାକୁ ମନ ବଳାଇଛନ୍ତି। ଡେଲୋଇଟ୍ ପକ୍ଷରୁ ୩୪ ପ୍ରକାର ବିଷୟକୁ ଟ୍ରାକ୍ କରି ଏହି ସର୍ଭେ କରାଯାଇଛି। ଦରଦାମ୍ ସ୍ଥିତି ବେଲଗାମ ଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ଲୋକମାନେ ଖର୍ଚ୍ଚ ବଢ଼ାଇବାକୁ ଯୋଜନା ରଖିଥିବା ଜଣାପଡ଼ିଛି।