ଟାର୍ଗେଟ୍‌ରେ ଏବେ ରିଅଲ ଇଷ୍ଟେଟ୍‌

ସମ୍ପତ୍ତି କିଣାବିକା ପାଇଁ ଆଧାର ହେବ ବାଧ୍ୟତାମୂଳକ!

ନୂଆଦିଲ୍ଲୀ: ମୋଦି ସରକାର ଯେତେବେଳେ ୫୦୦ ଏବଂ ହଜାରେ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରିଲେ ସେତେବେଳେ ତାଙ୍କୁ ଏନେଇ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ନଗଦ ଅର୍ଥ ପରିବର୍ତ୍ତେ ସ୍ଥାବର ସମ୍ପତ୍ତି ଆକାରରେ ଅଧିକ କଳାଧନ ରହିଥିବାରୁ ବିମୁଦ୍ରାକରଣ ସେତେଟା ଲାଭଦାୟକ ହେବ ନାହିଁ ବୋଲି କୁହାଗଲା। ତେବେ ସରକାର କହିଲେ କଳାଧନକୁ ରୋକିବା ଲାଗି ବିମୁଦ୍ରାକରଣ ଗୋଟିଏ ମାତ୍ର ପଦକ୍ଷେପ। ଆଗକୁ ଏ ନେଇ ଅଧିକ ପଦକ୍ଷେପ ନିଆଯିବ। ଏହାପରେ ସରକାର କେତେଗୁଡ଼ିଏ ପଦକ୍ଷେପ ନେଇଛନ୍ତି। ମୋବାଇଲ ନମ୍ବରଠାରୁ ଆରମ୍ଭ କରି ବ୍ୟାଙ୍କ ଖାତା ଯାଏ ସବୁଥିରେ ଆଧାର ନମ୍ବରକୁ ଯୋଡ଼ୁଛନ୍ତି। ଏବେ ପାଳି ପଡ଼ିବାକୁ ଯାଉଛି ଜମି କାରବାର ବା ରିଅଲ ଇଷ୍ଟେଟର।
ଜମି କାରବାରରେ ଆଧାର ନମ୍ବରକୁ ବାଧ୍ୟତାମୂଳକ କରାଯିବ ବୋଲି କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ପୁରୀ ଇସାରା ଦେଇଛନ୍ତି। ଫଳରେ କଳାଟଙ୍କା ବିରୋଧରେ ଚାଲିଥିବା ଲଢ଼େଇର ଟାର୍ଗେଟକୁ ଏବେ ଲୋକଙ୍କ ସ୍ଥାବର ସମ୍ପତ୍ତି ବା ରିଅଲ ଇଷ୍ଟେଟ କ୍ଷେତ୍ର ଆସିଯାଇଛି।
ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି, ଆଧାର ସଂଯୋଗ ହେବା ନେଇ ତାଙ୍କର କୌଣସି ସନ୍ଦେହ ନାହିଁ। ରିଅଲ ଇଷ୍ଟେଟ କ୍ଷେତ୍ରରୁ କଳାଟଙ୍କା ବାହାର କରିବା ଏବଂ ବେନାମୀ ସମ୍ପତ୍ତି ଠାବ କରିବାରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି। ସମ୍ପତ୍ତି କାରବାର ସହିତ ଆଧାରକୁ ଯୋଡ଼ିବା ଏକ ବଡ଼ ଚିନ୍ତାଧାରା। କିନ୍ତୁ ଏ ନେଇ ଏବେ ମୁଁ କିଛି ଘୋଷଣା କରୁନାହିଁ। ଆମେ ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ଆଧାର ସଂଯୋଗ କରୁଛୁ। ପ୍ରପର୍ଟି ମାର୍କେଟ ପାଇଁ ଆମେ ଅତିରିକ୍ତ ପଦକ୍ଷେପ ନେଇପାରୁ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଥର ଇସାରା ଦେଇସାରିଛନ୍ତି ଯେ ସରକାର ବେନାମୀ ସମ୍ପତ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ। ସେହି ଅଭିଯାନରେ ଆଧାର ନମ୍ବର ସଂଯୋଗ ଏକ ଅଂଶ ହୋଇପାରେ। ଅର୍ଥନୀତିରେ ସ୍ୱଚ୍ଛତା ଆଣିବା ଲାଗି ସରକାର ଆଧାରକୁ ଯେଉଁ ଗୁରୁତ୍ୱ ଦେଉଛନ୍ତି ସେଥିରେ ସମ୍ପତ୍ତି ସହିତ ଆଧାରକୁ ଯୋଡ଼ାଯିବାର ରହିଛି କି ବୋଲି ପ୍ରଶ୍ନ ହେବାରୁ ମନ୍ତ୍ରୀ କହିଲେ ନିଶ୍ଚିତ। ସେହି ବାଟରେ ସରକାର ଆଗକୁ ବଢ଼ୁଛନ୍ତି। ଏହା ହେବାରେ ତାଙ୍କର କୌଣସି ସନ୍ଦେହ ନାହିଁ ବୋଲି ସେ କହିଛନ୍ତି। ଦୁଇ ପକ୍ଷ ମଧ୍ୟରେ ସମ୍ପତ୍ତି ଓ ଅନ୍ୟ ବିଷୟରେ ହେଉଥିବା ବଡ଼ ଧରଣର ଆର୍ଥିକ କାରବାରରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରହିଛି ବୋଲି କୁହାଯାଇପାରିବ ନାହିଁ। ତେଣୁ ସମ୍ପତ୍ତି ଏବଂ ବିମାନ ଟିକଟ ଭଳି ମୋଟା ଅଙ୍କର କାରବାରକୁ ସରକାର ନିଶ୍ଚିତଭାବେ ନିରୀକ୍ଷଣ କରିବେ ବୋଲି ସେ କହିଛନ୍ତି। ବିଶ୍ୱରେ ଏଭଳି କୌଣସି ଅର୍ଥନୀତି ନାହିଁ ଯାହା କି ସମ୍ପୂର୍ଣ୍ଣ ଭାବେ ନଗଦ ବିହୀନ। କିନ୍ତୁ ଯେଉଁ ଅର୍ଥନୀତିରେ ଏକ ଉନ୍ନତ ବ୍ୟବସ୍ଥା ରହିଛି ସେଠାରେ ଅଧିକ ପରିମାଣର ଅର୍ଥକୁ କାରବାର ପାଇଁ ରଖିବାକୁ ଲୋକମାନେ ଠିକ୍‌ ମନେ କରି ନଥାନ୍ତି। ଉଲ୍ଲେଖଯୋଗ୍ୟ ଯେ, ସରକାର ବ୍ୟାଙ୍କ ଖାତା, ମୋବାଇଲ ନମ୍ବର ସମେତ ବିଭିନ୍ନ ଯୋଜନା ପାଇଁ ମଧ୍ୟ ଆଧାର କାର୍ଡକୁ ବାଧ୍ୟତାମୂଳକ କରି ଚାଲିଛନ୍ତି। ତେବେ ଏହା ବିରୋଧରେ କେତେକ ସଂଗଠନ ପ୍ରଶ୍ନ ଉଠାଇଛନ୍ତି। ଏହାର ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର