କରୋନା ମାଡ଼: ସଂକଟରେ ରିଅଲ ଇଷ୍ଟେଟ୍‌ ଶିଳ୍ପ

ନୂଆଦିଲ୍ଲୀ: କରୋନା ଭୂତାଣୁ ପ୍ରଭାବରୁ ବିଶ୍ବର କୌଣସି ଗୋଟିଏ ବି କ୍ଷେତ୍ର ବର୍ତ୍ତି ପାରିନାହିଁ। ଭାରତରେ ମଧ୍ୟ ସମାନ ସ୍ଥିତି ରହିଛି। ଏହି ଭୂତାଣୁର ସଂକ୍ରମଣକୁ ରୋକିବା ଏବଂ ଏହାର ମୁକାବିଲା କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହା ସତ୍ତ୍ବେ ପ୍ରତିଦିନ କରୋନା ଭୂତାଣୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ଭୂତାଣୁ ଯୋଗୁ ସାମ୍ନାସାମ୍ନି ଆଲୋଚନା ଓ ବୈଠକ କରିବା ଉପରେ କଟକଣା ଲଗାଯାଇଥିବାରୁ ରିଅଲ ଇଷ୍ଟେଟ୍ ଶିଳ୍ପ ଗୁରୁତର ଭାବେ ପ୍ରଭାବିତ ହୋଇଛି। ରିଅଲ ଇଷ୍ଟେଟ୍‌ ସଂସ୍ଥାଗୁୁଡ଼ିକ ବିକ୍ରି ଓ ବିପଣନ କାର୍ଯ୍ୟକୁ ଅଟକାଇ ଦେଇଛନ୍ତି। ଘର କିଣାବିକା ଲାଗି ଯେଉଁ ସବୁ ଡିଲ୍‌ ହୋଇଥିଲା ସେଗୁଡ଼ିକ ଏକ ଅନିର୍ଦିଷ୍ଟ କାଳ ଯାଏଁ ଘୁଞ୍ଚାଇ ଦେଇଛନ୍ତି। ଗମନାଗମନ ଓ ଭିସା ଉପରେ କଟକଣା ଲଗାଯାଇଥିବାରୁ ବିଦେଶୀ ପୁଞ୍ଜି ସହାୟତାରେ ନିର୍ମାଣ କରାଯାଉଥିବା ପ୍ରକଳ୍ପଗୁଡ଼ିକ ଅଧାବାଟରେ ଅଟକି ରହିଛି। ନିର୍ମାଣ କାର୍ଯ୍ୟ ମଧ୍ୟ ଏକ ପ୍ରକାର ଠପ୍ ହୋଇଯାଇଛି।

ବିଶ୍ବ ଅର୍ଥନୈତିକ ମାନ୍ଦାବସ୍ଥା ଆରମ୍ଭ ହୋଇଯାଇଥିବାରୁ ସମ୍ପତ୍ତି ମୂଲ୍ୟରେ ଆହୁରି ହ୍ରାସ ଘଟିବ ବୋଲି ଆକଳନ କରାଯାଇଛି। କରୋନା ପ୍ରଭାବରେ ଲୋକମାନେ ଅଧିକ ଟଙ୍କା ସଞ୍ଚୟ କରି ରଖିବାକୁ ଚାହୁଥିବାରୁ ଘର ପ୍ରତି ଚାହିଦା କମିବ। କଂପାନିଗୁଡ଼ିକ କର୍ମଚାରୀଙ୍କ ବେତନ କାଟ କରିବାକୁ ଯାଉଥିବାରୁ ଲୋକମାନଙ୍କ ଆୟ ମଧ୍ୟ ପ୍ରଭାବିତ ହେବ। ତେଣୁ ଅନେକ ବେତ‌ନଭୋଗୀ ଲୋକ ଘର କିଣିବାକୁ ସାହସ ଜୁଟାଇ ପାରିବେ ନାହିଁ। କେବଳ ଆବାସିକ ବାସଗୃହ ପ୍ରକଳ୍ପ ନୁହେଁ ବ୍ୟବସାୟ ବାଣିଜ୍ୟ ଉଦ୍ଦେଶ୍ୟରେ ନିର୍ମାଣ କରାଯାଉଥିବା ରିଅଲ ଇଷ୍ଟେଟ୍‌ ପ୍ରକଳ୍ପଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇଛି। ୟୁରୋପ, ଆମେରିକା ଓ ଚୀନ୍‌ରେ ପର୍ଯ୍ୟଟନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଆନ୍ତର୍ଜାତିକ ଗମନାଗମନ ଏକ ପ୍ରକାର ବନ୍ଦ ହୋଇଯାଇଛି। ଅନେକ ଲୋକ ସେମାନଙ୍କ ଯାତାୟାତ ବୁକିଂକୁ ବାତିଲ କରୁଛନ୍ତି।

ସମ୍ବନ୍ଧିତ ଖବର