ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ ପୁନର୍ଗଠିତ: ବାଦ୍ ପଡ଼ିଲେ ଦୁଇ ସଦସ୍ୟ

ନୂଆଦିଲ୍ଲୀ: ଦେଶର ଅର୍ଥନୀତିକୁ ମାନ୍ଦାବସ୍ଥାରୁ ମୁକୁଳାଇବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୋଟିଏ ପରେ ଗୋଟିଏ ପ୍ୟାକେଜ୍ ଘୋଷଣା କରି ଚାଲିଥିବାବେଳେ ଇତିମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ (ପିଏମ୍‌ଇଏସି)ର ପୁନର୍ଗଠନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ ପୂର୍ବରୁ ୫ ଜଣଙ୍କୁ ନେଇ ଗଠିତ ହୋଇଥିବାବେଳେ ଏବେ ଏହା ୪ ଜଣକୁ ହ୍ରାସ ପାଇଛି। ପୂର୍ବ ଅଧ୍ୟକ୍ଷ ବିବେକ ଦେବରାୟ ନବଗଠିତ ପରିଷଦର ମୁଖ୍ୟ ରହିଛନ୍ତି। ସେହିଭଳି ପୂର୍ବତନ ଅର୍ଥ ସଚିବ ରତନ ପି ୱତଲ ପରିଷଦର ସଦସ୍ୟ ସଚିବ ରହିଛନ୍ତି। ପରିଷଦରେ ନୂତନ ସଦସ୍ୟ ଭାବେ ଡ. ସାଜିଦ୍‌ ସେନୟଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହିତ ପୂର୍ବ ପରିଷଦରେ ଥିବା ଡ. ଅସୀମା ଗୋଏଲ ମଧ୍ୟ ନୂଆ ପରିଷଦରେ ସ୍ଥାନ ପାଇଛନ୍ତି। ନବଗଠିତ ପରିଷଦରେ ରଥିନ ରାୟ ଏବଂ ସମିକା ରବିଙ୍କୁ ସ୍ଥାନ ମିଳିନାହିଁ। ଚଳିତମାସ ୨୬ ତାରିଖରୁ ୨ ବର୍ଷ ପାଇଁ ନୂଆ ପରିଷଦ ଗଠନ କରାଯାଇଛି। ତେବେ ଦୁଇ ସଦସ୍ୟଙ୍କୁ ପରିଷଦରୁ ବିଦା କରାଯିବା ସମ୍ପର୍କରେ ସରକାର କିଛି ସ୍ପଷ୍ଟ କରି ନଥିଲେ ମଧ୍ୟ ଆର୍ଥିକ ନୀତିକୁ ନେଇ ଅତୀତରେ ଏମାନେ ମୁହଁ ଖୋଲିଥିଲେ। ତେଣୁ ଏହି ଦୁଇ ସଦସ୍ୟଙ୍କୁ ପରିଷଦରୁ ବିଦା କରାଯାଇଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର