ଭୁବନେଶ୍ବର: ଦୁଇ ବର୍ଷର ବ୍ୟବଧାନ ପରେ ପ୍ରଧାନ ମହାଲେଖାକାର (ଅଡିଟ୍-୧)ଙ୍କ କାର୍ଯ୍ୟାଳୟରେ ରାଜ୍ୟ ଅଡିଟ୍ ଉପଦେଷ୍ଟା ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅର୍ଥନୀତିଜ୍ଞଙ୍କଠାରୁ ଆରମ୍ଭ କରି ଶିକ୍ଷାବିତ୍, ସାହିତ୍ୟ ଓ ସଂସ୍କୃତି ଜଗତର ବିଭିନ୍ନ ପ୍ରତିନିଧିମାନେ ଭାଗ ନେଇ ଅଡିଟ୍ ପରିସର ବ୍ୟାପକ କରିବାକୁ ସୁପାରିସ କରିଥିଲେ। ଆସୁଥିବା ବିଦ୍ୟୁତ୍ (ସଂଶୋଧନ) ବିଲ୍, ୨୦୨୫ର ଅଡିଟ୍ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା। ସେହିପରି, କୌଣସି କ୍ଷେତ୍ରର ଅଳ୍ପ କିଛି ବିଷୟକୁ ନେଇ ଅଡିଟ୍ କରିବା ବଦଳରେ ସମ୍ପୂର୍ଣ୍ଣ କ୍ଷେତ୍ରର ବ୍ୟାପକ ଅଡିଟ୍ କରିବାକୁ ବୋର୍ଡର ସଦସ୍ୟ ପରାମର୍ଶ ଦେଇଥିଲେ। ଏଭଳିକି ଗୋଟିଏ ଗୋଟିଏ କ୍ଷେତ୍ରର ଅଡିଟ୍କୁ ଲଗାତାର ପାଞ୍ଚ ବର୍ଷ ପର୍ଯ୍ୟନ୍ତ କରିବାକୁ ମଧ୍ୟ ସେମାନେ କହିଥିଲେ।
ଡିଏମ୍ଏଫ୍, ଲଘୁ ଖଣିଜ, ଶକ୍ତି କ୍ଷେତ୍ରର ବ୍ୟାପକ ଅଡିଟ୍ ହେଉ
ଅଡିଟ୍ରେ ସାହିତ୍ୟ, ସଂସ୍କୃତି କ୍ଷେତ୍ରକୁ ସାମିଲ କରାଯାଉ
ଜନସଚେତନତା ଆରମ୍ଭ କରିବା ପାଇଁ ଆହ୍ବାନ
ଜିଲ୍ଲା ଖଣିଜ ଫାଉଣ୍ଡେସନ (ଡିଏମ୍ଏଫ୍)ର ବ୍ୟାପକ ଅଡିଟ୍ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା। ସଂସ୍କୃତି କ୍ଷେତ୍ରକୁ ଅଡିଟ୍ ପରିସରରେ ସାମିଲ କରିବା ଏବଂ ସାହିତ୍ୟ ଏକାଡେମିର ଅଡିଟ୍ କରିବାକୁ ସୁପାରିସ କରାଯାଇଥିଲା। ଓଡ଼ିଶା କଳା ଓ ଐତିହ୍ୟର ଏକ ପେଣ୍ଠସ୍ଥଳ ହୋଇଥିବାରୁ ସଂସ୍କୃତି ବିଭାଗ ପାଇଁ ଏକ ଦୃଢ଼ ଅଡିଟ୍ ବ୍ୟବସ୍ଥା ଆରମ୍ଭ କରିବାକୁ କୁହାଯାଇଥିଲା। ଅଡିଟ୍ ବେଳେ ବିଶ୍ବବିଦ୍ୟାଳୟ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଓ ପ୍ରଫେସନାଲ ସଂସ୍ଥାମାନଙ୍କୁ ଯୋଡ଼ିବାକୁ ପରାମର୍ଶ ଦିଆଯାଇଥିଲା। ଅଡିଟ୍ ପ୍ରକ୍ରିୟାକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, କେବଳ ହିସାବ ଖାତା ଓ ଦସ୍ତାବିଜ ଆଧାରରେ ସମୀକ୍ଷା ନ କରି ଲୋକମାନଙ୍କ ମତାମତ ନେବାକୁ ମଧ୍ୟ ସଦସ୍ୟମାନେ ପରାମର୍ଶ ଦେଇଥିଲେ। ଅଡିଟ୍ ପ୍ରକ୍ରିୟାରେ କେବଳ ସରକାରଙ୍କ ଦୋଷତ୍ରୁଟି ଚିହ୍ନଟ ନ କରି ସଫଳତାକୁ ମଧ୍ୟ ଦର୍ଶାଇବାକୁ ଜଣେ ସଦସ୍ୟ ପରାମର୍ଶ ଦେଇଥିଲେ। ପ୍ରଦର୍ଶନ ଆଧାରିତ ଅଡିଟ୍, ଲିଙ୍ଗଗତ ବଜେଟ୍ ଓ ଜଳବାୟୁ ବଜେଟ୍ର ଅଡିଟ୍ କରିବାକୁ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।
କାର୍ଯ୍ୟକ୍ରମରେ ବୋର୍ଡର ମନୋନୀତ ସଦସ୍ୟମାନଙ୍କୁ ପ୍ରମୁଖ ମହାଲେଖାକାର (ଅଡିଟ୍-୧) ସୁବୁ ଆର୍ ସମ୍ବର୍ଦ୍ଧିତ କରିଥିଲେ। ଅଡିଟ୍ ବେଳେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଓ ମେସିନ୍ ଲର୍ଣ୍ଣିଂ ବ୍ୟବହାର କରାଯାଉଥିବା ବିଷୟରେ ମହାଲେଖାକାର (ଅଡିଟ୍-୨) ଅବଗତ କରିଥିଲେ। ଉପଦେଷ୍ଟା ବୋର୍ଡ ସଦସ୍ୟଙ୍କ ମଧ୍ୟରେ ଜାଭିୟର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ର ପ୍ରଫେସର ଡି ଭେଙ୍କଟ ରମଣ, ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ. ସୌମେନ୍ଦ୍ର ମୋହନ ପଟ୍ଟନାୟକ, ବିଶିଷ୍ଟ ଅର୍ଥନୀତିଜ୍ଞ ଡ. ପ୍ରଭାସ ମିଶ୍ର, ଗ୍ରିନ୍ପିସ୍ ଇଣ୍ଡିଆର ସଭାପତି ବିଶ୍ବଜିତ ମହାନ୍ତି, ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର, ବିଶିଷ୍ଟ ଲେଖିକା ହିରଣ୍ମୟୀ ମିଶ୍ର, ଏଏସ୍ବିଏମ୍ର କୁଳପତି ପ୍ରଫେସର ରଞ୍ଜନ କୁମାର ବଳ, ରେଖା ଫିନ୍ସର୍ଭର ନିର୍ଦ୍ଦେଶକ ଅକ୍ଷୟ କୁମାର ପାଢ଼ୀ ଓ ବିଶିଷ୍ଟ କାର୍ଟୁନିଷ୍ଟ କମଳାକାନ୍ତ ରଥ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/30/fshfhshfsxvb-2025-10-30-00-44-29.jpg)
