ମୁମ୍ବାଇ: କରୋନା ମହାମାରୀ ଦ୍ବାରା ପ୍ରଭାବିତ ହୋଇଥିବା କେଉଁ କ୍ଷେତ୍ରଗୁଡ଼ିକର ଋଣ ପୁନର୍ଗଠନ କରିବା ଆବଶ୍ୟକ ତାହା ଜାଣିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଠନ କରିଥିବା କେ ଭି କାମାଥ କମିଟି ଏହାର ରିପୋର୍ଟ ଦାଖଲ କରିଛି। ଦେଶର ୨୬ଟି କ୍ଷେତ୍ରର ଋଣ ପୁନର୍ଗଠନ ହେବାର ଆବଶ୍ୟକତା ରହିଛି ବୋଲି କମିଟି ସୁପାରିସ କରଛି। ଏହି ପାଞ୍ଚ ଜଣିଆ କମିଟି ଜଣାଇଛି ଯେ, ଶକ୍ତି, ନିର୍ମାଣ, ଲୁହା ଓ ଇସ୍ପାତ, ସଡ଼କ, ରିଅଲ ଇଷ୍ଟେଟ୍, ପାଇକାରୀ କାରବାର, ବୟନ ଶିଳ୍ପ, କଂଜ୍ୟୁମର ଡ୍ୟୁରେବଲ୍, ବିମାନ ଶିଳ୍ପ, ଲଜିଷ୍ଟିକ୍ସ, ହୋଟେଲ୍ ଓ ରେସ୍ତୋରାଁ, ପର୍ଯ୍ୟଟନ, ଖଣି ଆଦି କ୍ଷେତ୍ର କରୋନା ମହାମାରୀ ଦ୍ବାରା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହି କ୍ଷେତ୍ରଗୁଡ଼ିକୁ ଦିଆଯାଇଥିବା ଋଣର ପୁନର୍ଗଠନ ଆବଶ୍ୟକ ହେଉଛି। ପାଞ୍ଚ ପ୍ରକାର ମାନଦଣ୍ଡ ଆଧାରରେ କମିଟି ଏହି କ୍ଷେତ୍ରଗୁଡ଼ିକୁ ଚୟନ କରିଛି।
ବିଭିନ୍ନ କ୍ଷେତ୍ରର ଋଣକୁ ସାଧାରଣ, ମଧ୍ୟମ ଏବଂ ଅତି ଚାପଗ୍ରସ୍ତ ଭଳି ବିଭିନ୍ନ ଭାଗରେ ବାଣ୍ଟିବା ଲାଗି କମିଟି ପରାମର୍ଶ ଦେଇଛି। ଏହା ଦ୍ବାରା ଋଣ ପରିଚାଳନାରେ ପାରଦର୍ଶିତା ଆସିପାରିବ। ପ୍ରଥମ ଦୁଇ ପ୍ରକାର ଚାପଗ୍ରସ୍ତ ଋଣ ପାଇଁ ସ୍ବାଭାବିକ ପୁନର୍ଗଠନ ପ୍ରକ୍ରିୟା ଗ୍ରହଣ କରିବାକୁ କୁହାଯାଇଥିବା ବେଳେ ଅତ୍ୟଧିକ ଚାପଗ୍ରସ୍ତ ଥିବା ଋଣ ପାଇଁ ବ୍ୟାପକ ପୁନର୍ଗଠନର ଆବଶ୍ୟକତା ରହିଛି ବୋଲି କମିଟି ଏହାର ରିପୋର୍ଟରେ ଜଣାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍ଡି ଓ ସିଇଓ କେ ଭି କାମାଥଙ୍କ ନେତୃତ୍ବରେ ଏହି ପାଞ୍ଚ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଥିଲା। କମିଟିର ଅନ୍ୟ ସଦସ୍ୟମାନେ ହେଉଛନ୍ତି ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ପୂର୍ବତନ ଅଧିକାରୀ ଦିବାକର ଗୁପ୍ତା, କାନାରା ବ୍ୟାଙ୍କର ଅଧ୍ୟକ୍ଷ ଟି ଏନ୍ ମନୋହରନ, କନସଲଟାଂଟ୍ ଅଶଭିନ୍ ପାରେଖ ଏବଂ ଭାରତୀୟ ବ୍ୟାଙ୍କ ସଂଘର ସିଇଓ ସୁନିଲ ମେହତା। ଶ୍ରୀ ମେହତା କମିଟିର ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। କମିଟି ପକ୍ଷରୁ ୧୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଋଣଗୁଡ଼ିକର ପୁନର୍ଗଠନର ଯାଞ୍ଚ କରାଯିବ। କମିଟିର ଟର୍ମ ଅଫ ରେଫରେନ୍ସକୁ ୨୦୨୧ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/loan-1.jpg)