ମାର୍ଚ୍ଚରେ ରେକର୍ଡ ଜିଏସଟି ଆଦାୟ ; ଛୁଇଁଲା ୧ ଲକ୍ଷ ୨୪ ହଜାର କୋଟି

ଓଡ଼ିଶାର ଜିଏସଟି ଆଦାୟ ୨୫ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ : ମାର୍ଚ୍ଚ ମାସରେ ଦେଶର ଜିଏସଟି ରାଜସ୍ୱ ରେକର୍ଡ ୧ ଲକ୍ଷ ୨୩ ହଜାର ୯୦୨ କୋଟି ଛୁଇଁଛି । ଏହା ମାର୍ଚ୍ଚ ୨୦୨୦ ତୁଳନାରେ ୨୭ ପ୍ରତିଶତ ଅଧିକ ହୋଇଥିବାବେଳେ ପୂର୍ବମାସ ଅର୍ଥାତ ଫେବ୍ରୁଆରି ୨୦୨୧ ତୁଳନାରେ ପ୍ରାୟ ୯.୭ ପ୍ରତିଶତ ଅଧିକ । ଫେବ୍ରୁଆରି ୨୦୨୧ରେ ଜିଏସଟି ଆଦାୟ ୧,୧୩,୧୪୩ କୋଟି ଟଙ୍କା ଥିଲା । ଗତ ୨୦୧୭ ଜୁଲାଇରେ ଦେଶରେ ଜିଏସଟି ଲାଗୁ ହେବା ପରଠାରୁ ଏହା ହେଉଛି ସର୍ବାଧିକ ମାସିକ ଜିଏସଟି ସଂଗ୍ରହ ।

ମାର୍ଚ୍ଚ ମାସରେ ସଂଗ୍ରହ ହୋଇଥିବା ୧,୨୩,୯୦୨ କୋଟିରୁ କେନ୍ଦ୍ରୀୟ ଜିଏସଟି ଟ. ୨୨୯୭୩ କୋଟି, ରାଜ୍ୟ ଜିଏସଟି ଟ.୨୯୩୨୯ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୬୨,୮୪୨ କୋଟି ଟଙ୍କା ଓ ସେସ ୮୭୫୭ କୋଟି ଟଙ୍କା ଅନ୍ତର୍ଭୁକ୍ତ । ଏପ୍ରିଲ ୨୦୨୦ରେ ଦେଶରେ ଲକଡାଉନ ଚାଲିଥିବାରୁ ସରକାରଙ୍କ ଜିଏସଟି ରାଜସ୍ୱ ହ୍ରାସ ପାଇ ୩୨୧୭୨ କୋଟିକୁ ହ୍ରାସ ପାଇଥିଲା । ସେହିପରି ମେ ୨୦୨୦ରେ ଏହା ୬୨,୧୫୧ କୋଟିକୁ ବୃଦ୍ଧି ପାଇଥିଲା । ଜୁନ ମାସରେ ସରକାର ୯୦,୯୧୭ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ କରିଥିଲେ । ମାତ୍ର ଗତ ଅକ୍ଟୋବର ପରଠାରୁ ଜିଏସଟି ଆଦାୟ କ୍ରମାଗତ ଭାବେ ୧ ଲକ୍ଷ କୋଟି ଉପରେ ରହୁଛି । ଏହା ଅର୍ଥନୀତିରେ କ୍ରମାଗତ ସୁଧାରର ଲକ୍ଷଣ ବୋଲି କୁହାଯାଉଛି ।

ଓଡ଼ିଶାରେ ମାର୍ଚ୍ଚ ୨୦୨୧ରେ ୩୨୮୫.୨୯ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗ୍ରହ ହୋଇଛି, ଯାହାକି ମାର୍ଚ୍ଚ ୨୦୨୦ର ଜିଏସଟି ସଂଗ୍ରହ ୨୬୩୨.୮୮ କୋଟି ତୁଳନାରେ ୨୫ ପ୍ରତିଶତ ଅଧିକ ।

ସମ୍ବନ୍ଧିତ ଖବର