ନୂଆଦିଲ୍ଲୀ : ମାର୍ଚ୍ଚ ମାସରେ ଦେଶର ଜିଏସ୍‌ଟି ଆଦାୟ ରାଶି ରେକର୍ଡ ୧.୪୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ଗତ ଜାନୁଆରି ମାସରେ ରେକର୍ଡ ୧.୪୦ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। କିନ୍ତୁ ମାର୍ଚ୍ଚରେ ଜାନୁଆରିର ରେକର୍ଡ ଭଙ୍ଗ ହୋଇଛି। ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପରେ ବୃଦ୍ଧି, ଟିକସ ଠକେଇ ବିରୋଧୀ କାର୍ଯ୍ୟକ୍ରମ ଆଦି ଯୋଗୁ ଜିଏସଟି ଆଦାୟ ବଢ଼ିଛି। ଜିଏସଟି ଆଦାୟ ରାଶି ୨୦୨୧ ମାର୍ଚ୍ଚ ତୁଳନାରେ ୧୫ ପ୍ରତିଶତ ଏବଂ ୨୦୨୦ ମାର୍ଚ୍ଚ ତୁଳନାରେ ୪୬ ପ୍ରତିଶତ ବୃଦ୍ଧି ଘଟିଛି। ଦେଶରେ କ୍ରମାଗତଭାବେ ୬ ମାସ ହେଲା ଜିଏସ୍‌ଟି ଆଦାୟ ରାଶି ୧.୩୦ ହଜାର କୋଟି ଟଙ୍କାରୁ ଅଧିକ ରହିଛି। ମାର୍ଚ୍ଚରେ ଆଦାୟ ହୋଇଥିବା ମୋଟ ଜିଏସଟିରେ ସିଜିଏସଟି ରାଶି ୨୫,୮୩୦ କୋଟି ଟଙ୍କା ରହିଥିବାବେଳେ ଏସ୍‌ଜିଏସ୍‌ଟି ରାଶି ୩୨୩୭୮ କୋଟି, ଆଇଜିଏସ୍‌ଟି ରାଶି ୭୪୪୭୦ କୋଟି (୩୯୧୩୧ କୋଟିର ଆମଦାନି ଟିକସ) ଏବଂ ୯୪୧୭ କୋଟି ସେସ୍‌ (ଆମଦାନି ସାମଗ୍ରୀ ଉପରୁ ୯୮୧ କୋଟି) ଆଦାୟ ହୋଇଛି। ଜିଏସ୍‌ଟି କ୍ଷତିପୂରଣ ବାବଦରେ ମାର୍ଚ୍ଚ ମାସରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କେନ୍ଦ୍ର ସରକାର ୧୮୨୫୨ କୋଟି ଟଙ୍କା ପ୍ରଦାନ କରିଛି। ମାର୍ଚ୍ଚରେ ଓଡ଼ିଶାର ଜିଏସ୍‌ଟି ଆଦାୟ ରାଶି ୪୧୨୮ କୋଟି ଟଙ୍କା ରହିଛି, ଯାହାକି ୨୦୨୧ ମାର୍ଚ୍ଚର ୩୨୮୫ କୋଟି ଟଙ୍କା ତୁଳନାରେ ୨୬ ପ୍ରତିଶତ ଅଧିକ।

Advertisment

ସିଜିଏସ୍‌ଟି, କେନ୍ଦ୍ରୀୟ ଉତ୍ପାଦ ଓ ସୀମା ଶୁଳ୍କ ଆଦାୟରେ ୨୭% ବୃଦ୍ଧି
ଭୁବନେଶ୍ବର : କେନ୍ଦ୍ରୀୟ ଜିଏସ୍‌ଟି, କେନ୍ଦ୍ରୀୟ ଉତ୍ପାଦ ଓ ସୀମା ଶୁଳ୍କ ଆଦି ଆଦାୟ କ୍ଷେତ୍ରରେ ଭୁବନେଶ୍ବର ଜୋନ୍‌ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଭୁବନେଶ୍ବର ଜୋନ୍‌ ଏସବୁ ଟିକସ ବାବଦରେ ୫୦,୯୭୮ କୋଟି ଟଙ୍କା ଆଦାୟ କରିଛି। ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ଏହା ୨୭ ପ୍ରତିଶତ ଅଧିକ। ଲାକ୍ଷାଦୀପ ଓ ଲଦାଖ ବ୍ୟତୀତ ଦେଶର ଅନ୍ୟ ସମସ୍ତ ବୃହତ୍ ଟିକସ ପ୍ରଦାନକାରୀ ରାଜ୍ୟଗୁଡ଼ିକ ମଧ୍ୟରେ ଭୁବନେଶ୍ବରର ଟିକସ ଆଦାୟ ଅଭିବୃଦ୍ଧି ସବୁଠୁ ଅଧିକ ରହିଛି। ୨୦୨୨ ମାର୍ଚ୍ଚରେ ସିଜିଏସ୍‌ଟି ବାବଦରେ ୧୪୬୫ କୋଟି ଟଙ୍କା ଆଦାୟ ହୋଇଛି। ଗତବର୍ଷ ମାର୍ଚ୍ଚ ତୁଳନାରେ‌ ଏଥିରେ ୪୩ ପ୍ରତିଶତ ଅଭିବୃଦ୍ଧି ହୋଇଛି। ଭୁବନେଶ୍ବର ଜୋନ୍‌ର ମୁଖ୍ୟ ଆୟୁକ୍ତ ଆର୍‌ ମଙ୍ଗୁବାବୁ ଏହି ସୂଚନା ଦେଇଛନ୍ତି। ଟିକସ ଫାଙ୍କିକୁ ରୋକିବା ପାଇଁ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଫଳରେ ନକଲି ଇନଭଏସ୍‌ ଜାରି କରୁଥିବା ବ୍ୟକ୍ତିଙ୍କ ଠାରୁ ୯୩.୮୩ କୋଟି ଟଙ୍କା ଗତ ଆର୍ଥିକ ବର୍ଷରେ ଆଦାୟ ହୋଇଛି। ସେହିଭଳି ଠକେଇ ଧରପଗଡ଼ ଏବଂ ଇ-ୱେ ବିଲ୍‌ ଯାଞ୍ଚ ଦ୍ବାରା ଆର୍ଥିକ ବର୍ଷରେ ମୋଟ ୩୪୫.୧୭ କୋଟି ଟଙ୍କା ଆଦାୟ କରାଯାଇ ପାରିଛି ବୋଲି ମୁଖ୍ୟ ଆୟୁକ୍ତ କହିଛନ୍ତି। ଆମଦାନି ଓ ରପ୍ତାନି ଶୁଳ୍କ ବାବଦରେ ଭୁବନେଶ୍ବର ଜୋନ୍‌ ଗତ ଆର୍ଥିକ ବର୍ଷରେ ୧୧୧୫୪ କୋଟି ଟଙ୍କା ଆଦାୟ କରିଛି, ଯାହାକି ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ୬୫,୪୬ ପ୍ରତିଶତ ଅଧିକ।