ନୂଆଦିଲ୍ଲୀ: ରିହାତିରେ ରୁଷ୍ରୁ ମିଳୁଥିବା ତେଲକୁ ଭାରତ ହାତ ଛଡ଼ା କରିବାକୁ ଚାହୁନାହିଁ। ପ୍ରତି ମାସରେ ଏହା ଅଧିକରୁ ଅଧିକ ତେଲ କିଣୁଛି। ମେ’ ମାସରେ ରୁଷ୍ ତେଲ କିଣାରେ ରେକର୍ଡ ହୋଇଛି। ଏହି ମାସରେ ଭାରତ ୪୨ ପ୍ରତିଶତ ତେଲ ରୁଷ୍ରୁ କିଣିଛି। ପୁରୁଣା ବିକ୍ରେତା ସାଉଦି ଆରବ, ଇରାକ, ୟୁଏଇ ଓ ଆମେରିକାଠାରୁ ମିଳିତ ଭାବେ ମଧ୍ୟ ଭାରତ ଏତେ ତେଲ କିଣିନଥିବା ‘ଭୋର୍ଟେକ୍ସା’ ରିପୋର୍ଟରୁ ଜଣାପଡ଼ିଛି। ଚଳିତ ବର୍ଷ ମେ’ ମାସରେ ରୁଷ୍ରୁ ଭାରତ ଦୈନିକ ୧.୯୬ ନିୟୁତ ବ୍ୟାରେଲ ତେଲ କିଣିଛି ଯାହା ଏପ୍ରିଲ୍ ତୁଳନାରେ ୧୫ ପ୍ରତିଶତ ଅଧିକ। ସାଉଦି ଆରବରୁ ଭାରତ ୫,୬୦,୦୦୦ ଟନ୍ ତେଲ କିଣିଛି ଯାହା ୨୦୨୧ ଫେବ୍ରୁଆରି ପରେ ସବୁଠୁ କମ୍। ଇରାକ୍ରୁ ଦୈନିକ ୮.୩ ଲକ୍ଷ ବ୍ୟାରେଲ୍ ତେଲ କିଣାଯାଇଥିବା ବେଳେ ୟୁଏଇରୁ ୨,୦୩,୦୦୦ ବ୍ୟାରେଲ ଓ ଆମେରିକାରୁ ୧,୩୮,୦୦୦ ବ୍ୟାରେଲ୍ ତେଲ କିଣାଯାଇଛି।
ଭାରତର ତେଲ କିଣାରେ ଓପେକ୍ର ଭାଗ ସର୍ବନିମ୍ନ ୩୯ ପ୍ରତିଶତକୁ ହ୍ରାସ ପାଇଛି। ଏକ ସମୟରେ ଭାରତ ଏହାର ୯୦ ପ୍ରତିଶତ ତେଲ ଓପେକ୍ରୁ କିଣୁଥିଲା। ମାତ୍ର ଗତବର୍ଷ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରଠାରୁ ରୁଷ୍ ରିହାତି ଦାମ୍ରେ ତେଲ ବିକିବା ଆରମ୍ଭ କରିବା ପରେ ଏସିଆର ଦୁଇ ବଡ଼ ଦେଶ ଭାରତ ଓ ଚୀନ୍ ସେହି ତେଲକୁ ପର୍ଯ୍ୟାପ୍ତ ପରିମାଣରେ କିଣୁଛନ୍ତି। ଲଗାତାର ଅଷ୍ଟମ ମାସ ଲାଗି ଭାରତ ସର୍ବାଧିକ ତେଲ ରୁଷ୍ରୁ କିଣିଛି। ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଭାରତ ୧ ପ୍ରତିଶତରୁ କମ୍ ତେଲ ରୁଷ୍ରୁ କିଣୁଥିଲା। ପରିବହନ ଖର୍ଚ୍ଚ ଏତେ ଅଧିକ ରହୁଥିଲା ଯେ ଭାରତ ସେହି ତେଲ କିଣିବା ବିଷୟରେ ଚିନ୍ତା କରୁନଥିଲା। ମାତ୍ର ୟୁକ୍ରେନ୍ ସହ ଯୁଦ୍ଧ ପରେ ଭାରତ ରୁଷ୍ରୁ ଏତେ ତେଲ କିଣୁଛି ଯେ ମୋଟ କିଣାରେ ରୁଷ୍ର ଭାଗ ୪୨ ପ୍ରତିଶତରେ ପହଞ୍ଚିଛି। ରୁଷ୍ରୁ ଭାରତ ବ୍ୟାରେଲ ପିଛା ୬୮.୨୧ ଡଲାରରେ ତେଲ ମଗାଉଥିବା ବେଳେ ସାଉଦି ତେଲ ପାଇଁ ଏହା ବ୍ୟାରେଲ ପିଛା ୮୬.୯୬ ଡଲାର ଓ ଇରାକ ତେଲ ପାଇଁ ୭୭.୭୭ ଡଲାର ଗଣୁଛି।