ଭୁବନେଶ୍ବର: ଦେଶରେ ସୁନା ଓ ରୁପା ଦରରେ ପୁଣି ବଡ଼ ଧରଣର ବୃଦ୍ଧି ଦେଖାଦେଇଛି। ରୁପା ଦର ଆଜି ନୂଆ ରେକର୍ଡ କରିଛି। ଭୁବନେଶ୍ବର ବଜାରରେ କିଲୋଗ୍ରାମ ପିଛା ଦର ୯୨,୫୦୦ ଟଙ୍କା ଛୁଇଁଛି। ଗତକାଲି ତୁଳନାରେ ଆଜିର ଦାମ୍ ୧୫୦୦ ଟଙ୍କା ବଢ଼ିଛି। ଗତ କିଛିଦିନ ହେଲା ସୁନା ଓ ରୁପା ଦରରେ ଦେଖାଦେଇଥିବା ଏହି ବୃଦ୍ଧି ଗ୍ରାହକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସେହିଭଳି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ଆଜି ଭୁବନେଶ୍ବରରେ ୭୪ ହଜାର ୨୦ ଟଙ୍କାରେ ପହଞ୍ଚିଥିବାବେଳେ ୨୨ କ୍ୟାରେଟ୍ ସୁନା ଦର ୬୭,୮୫୦ ଟଙ୍କାକୁ ବୃଦ୍ଧି ପାଇଛି। ୨୪ କ୍ୟାରେଟ୍ ସୁନା ଦର ଆଜି ୧୦ ଗ୍ରାମ ପିଛା ୭୭୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ଦର ୭୦୦ ଟଙ୍କା ବଢ଼ିଛି।
ସୁନା ଦର ଉପରେ ନଜର ପକାଇଲେ ଅକ୍ଷୟ ତୃତୀୟ ପରଠାରୁ ଏହା ଲଗାତାର ଗତ ୧୪ ତାରିଖ ପର୍ଯ୍ୟନ୍ତ କମିଥିଲା। କିନ୍ତୁ ୧୪ ତାରିଖରୁ ଏହା ପୁଣି ବଢ଼ୁଛି। ଗତ ଦୁଇ ଦିନ ଭିତରେ ୨୪ କ୍ୟାରେଟ୍ ସୁନା ମୂଲ୍ୟରେ ୧୨୦୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟରେ ୧୧୦୦ ଟଙ୍କା ବୃଦ୍ଧି ଘଟିଛି। ମେ ମାସର ସୁନା ମୂଲ୍ୟକୁ ଦେଖିଲେ ଚଳିତମାସର ପ୍ରଥମ ୧୬ ଦିନରେ ୨୪ କ୍ୟାରେଟ ସୁନା ଦାମ୍ ୩.୫୧ ପ୍ରତିଶତ ଏବଂ ୨୨ କ୍ୟାରେଟ୍ ସୁନା ଦାମ୍ ୩.୫୧ ପ୍ରତିଶତ ବୃଦ୍ଧି ଘଟିଲାଣି। ଚଳିତମାସ ପହିଲାରେ ସୁନା ଦାମ୍ ଯଥାକ୍ରମେ ୭୧,୫୧୦ ଟଙ୍କା ଏବଂ ୬୫,୫୫୦ ଟଙ୍କା ରହିଥିଲା। ବିଭିନ୍ନ କାରଣରୁ ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ଘଟୁଛି। ମୁଖ୍ୟତଃ ବିଶ୍ବରେ ଭୂରାଜନୈତିକ ଅସ୍ଥିରତା ଏହାର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ଏଥିସହିିତ କେନ୍ଦ୍ରୀୟ ବ୍ୟାଙ୍କ ଅଧିକ ମାତ୍ରାରେ ସୁନା କିଣୁଛନ୍ତି। ସୁନା ଓ ରୁପାରେ ପ୍ରସ୍ତୁତ ଗହଣା ଚାହିଦା ବି ବଢ଼ୁଛି। ସେହିଭଳି ନିବେଶକମାନେ ସୁନା ଓ ରୁପାକୁ ଏକ ଉତ୍ତମ ନିବେଶ ବିକଳ୍ପ ଭାବେ ଚୟନ କରୁଛନ୍ତି। ଏସବୁ କାରଣରୁ ଉକ୍ତ ଦୁଇ ମୂଲ୍ୟବାନ ଧାତୁ ଦର ବଢ଼ୁଛି।
ବିଶେଷକରି ରୁପା ମୂଲ୍ୟ ବୃଦ୍ଧି ସଂପର୍କରେ ରାଜ୍ୟର ପ୍ରମୁଖ ରୁପା ଗହଣା ପ୍ରତିଷ୍ଠାନ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କୁହନ୍ତି, ରୁପାକୁ ମଧ୍ୟ ଗ୍ରାହକମାନେ ସୁନା ଭଳି ଏକ ନିବେଶ ବିକଳ୍ପ ଭାବେ ବିବେଚନା କରୁଛନ୍ତି। ଏହାସହିତ ସୁନା ମୂଲ୍ୟରେ ଯେଉଥିବା ବୃଦ୍ଧି ଗ୍ରାହକଙ୍କୁ ଯେଭଳି ବାଧୁଛି ରୁପା କ୍ଷେତ୍ରରେ ତାହା ହେଉନାହିଁ। ବରଂ ରୁପାର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିପାଇଁ ଆମେ ଓଡ଼ିଶାର ବିଭିନ୍ନ ସହରରେ ଆମ ସୋରୁମ୍ର ସଂପ୍ରସାରଣ କରୁଛୁ। ନିକଟରେ ଢେଙ୍କାନାଳରେ ଏକ ସୋରୁମ୍ ଖୋଲିଥିବାବେଳେ ଆଗାମୀ ଦିନରେ ତାଳଚେରରେ ମଧ୍ୟ ଏକ ସୋରୁମ୍ ଖୋଲିବାକୁ ଯାଉଛୁ ବୋଲି ଶ୍ରମତୀ ହଂସ କହିଛନ୍ତି।