ରେଳବାଇ ମାଲ ପରିବହନରେ ରେକର୍ଡ, ଜୁଲାଇରେ ପହଞ୍ଚାଇଲା ୧୧୨ ନିୟୁତ ଟନ୍ ସାମଗ୍ରୀ

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁଲାଇରେ ରେଳବାଇ ରେକର୍ଡ ୧୧୨.୭୨ ନିୟୁତ ଟନ୍ ମାଲ ପରିବହନ କରିଛି। ୨୦୨୦ ସେପ୍ଟେମ୍ବର ପରଠାରୁ କ୍ରମାଗତ ଭାବେ ରେଳବାଇ ପ୍ରତି ମାସରେ ଅଧିକରୁ ଅଧିକ ମାଲ ପରିବହନ କରିବାର ଧାରା ବଜାୟ ରଖିଛି। ପୂର୍ବରୁ କୌଣସି ଗୋଟିଏ ମାସରେ ‌ଏହା ଏତେ ଅଧିକ ପରିମାଣର ମାଲ ପରିବହନ କରିନଥିଲା। ୨୦୨୦ ଜୁଲାଇ ତୁଳନାରେ ୨୦୨୧ ଜୁଲାଇରେ ୧୭.୫୪ ନିୟୁତ ଟନ୍ ଅଧିକ ମାଲ ପରିବହନ ହୋଇଛି।

ଜୁଲାଇରେ ରେଳବାଇ ୯.୩୧ ନିୟୁତ ଟନ୍ କୋଇଲା, ୨.୩୧ ନିୟୁତ ଟନ୍ ସିମେଣ୍ଟ୍‌, ୦.୪୫ ନିୟୁତ ଟନ୍ ଇସ୍ପାତ, ୧.୮୧ ନିୟୁତ ଟନ୍ ଲୁହା, ୦.୮୮ ନିୟୁତ ଟନ୍ ଇସ୍ପାତ ଓ ଲୌହ୍ୟ ଶିଳ୍ପର କଞ୍ଚାମାଲ, ୦.୪୩ ନିୟୁତ ଟନ୍ ଖାଦ୍ୟଶସ୍ୟ, ୧.୩୩ ନିୟୁତ ଟନ୍ କଣ୍ଟେନର ଓ ୧.୧୧ ନିୟୁତ ଟନ୍‌ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରିଛି। ଚଳିତ ଆର୍ଥିକ ବର୍ଷରେ ଜୁଲାଇ ସୁଦ୍ଧା ରେଳବାଇ ୩୪.୨୨ ପ୍ରତିଶତ ବୃଦ୍ଧି ସହ ୪୫୧.୯୭ ନିୟୁତ ଠନ୍ ମାଲ ପରିବହନ କରିଛି। ପୂର୍ବବର୍ଷ ଏହି ସମୟରେ ଏହା ୧୧୫.୨୩ ନିୟୁତ ଟନ୍ ମାଲ୍ ପରିବହନ କରିଥିଲା। ଆଲୋଚ୍ୟ ସମୟ ଭିତରେ ରେଳବାଇ ପକ୍ଷରୁ ଗତବର୍ଷ ତୁଳନାରେ ୩୭.୧୧ ପ୍ରତିଶତ ଅଧିକ କୋଇଲା, ୪୩.୮୮ ପ୍ରତିଶତ ଲୁହାପଥର, ୫୨.୯୧ ପ୍ରତିଶତ ସିମେଣ୍ଟ୍‌ ଓ ୩୮.୪୨ ପ୍ରତିଶତ ଅଧିକ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରାଯାଇଛି।

ସମ୍ବନ୍ଧିତ ଖବର