ନୂଆଦିଲ୍ଲୀ: ଯେକୌଣସି କମ୍ପାନିରେ ଉପଯୁକ୍ତ କର୍ମଚାରୀ ଚୟନ କରି ତାଙ୍କୁ ନିଯୁକ୍ତି ଦେବା ଏକ ଜଟିଳ ପ୍ରକ୍ରିୟା ହୋଇରହିଛି। ବିଶେଷ କରି ଫାଙ୍କା ପଦ ଲାଗି ଆସୁଥିବା ପୁଳା ପୁଳା ଆବେଦନ ମଧ୍ୟରୁ କେଉଁ ଆବେଦନଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ସେଗୁଡ଼ିକୁ ଚିହ୍ନଟ କରି ଅଲଗା କରିବାରେ ଅଧିକ ସମୟ ଅପଚୟ ହେଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆସିବା ପରେ ସେହି ପ୍ରକ୍ରିୟାରେ ପରିବର୍ତ୍ତନ ଘଟିଛି। ଯେଉଁ ସବୁ ଆବେଦନ କମ୍ପାନି ପାଖରେ ପହଞ୍ଚୁଛି, ସେଗୁଡ଼ିକ ପ୍ରଥମେ ଏଆଇକୁ ସାମ୍ନା କରିବାକୁ ପଡ଼ୁଛି। ଏଆଇ ସ୍ତରରେ ପାସ୍ ହେଲେ ଆବେଦନଟି ମାନବ ସମ୍ବଳ ବିଭାଗର ଅଧିକାରୀମାନଙ୍କ ପହଞ୍ଚୁଛି।
ନିଯୁକ୍ତି ପ୍ରକ୍ରିୟାରେ ଏଆଇ ବ୍ୟବହାର ହେବା ପରେ ମାନବ ସମ୍ବଳ ବିଭାଗ ପାଖରେ ପହଞ୍ଚିବା ପୂର୍ବରୁ ଆବେଦନ ପ୍ରତ୍ୟାଖ୍ୟାନ ହୋଇଯିବା ଭୟ ସୃଷ୍ଟି ହୋଇଛି। ଆଶାୟୀ ପ୍ରାର୍ଥୀ ଯୋଗାଡ଼ କରିବା, ସେମାନଙ୍କ ଦକ୍ଷତାକୁ ଅନୁଶୀଳନ କରିବା ଆଦି କାର୍ଯ୍ୟକୁ ଏଆଇ ସହଜ କରିଛି। ସେଥିପାଇଁ ବିଭିନ୍ନ କ୍ଷେତ୍ରର ବହୁ କମ୍ପାନି ଏଆଇ ବ୍ୟବହାର କରୁଛନ୍ତି। ଅନେକ କ୍ଷେତ୍ରରେ କେବଳ ସାକ୍ଷାତକାର ସମୟରେ ନିଯୁକ୍ତି ଆବେଦନଟି ମାନବ ହାତରେ ପହଞ୍ଚୁଛି। ତା’ ପୂର୍ବର ସବୁ କାମ ଏଆଇ କରୁଛି। ତଥ୍ୟର ଗୋପନୀୟତା, ବୈଷମ୍ୟ, ସମ୍ଭାବ୍ୟ ପ୍ରାର୍ଥୀଙ୍କ ଲୁପ୍ତ ଦକ୍ଷତା ଆଦିକୁ ଜାଣିବାରେ ଅସୁବିଧା ଭଳି ସମସ୍ୟା ଥିବା ସତ୍ତ୍ବେ ମାନବ ସମ୍ବଳ ଅଧିକାରୀମାନେ ଏଆଇକୁ ପସନ୍ଦ କରୁଛନ୍ତି। ସେମାନଙ୍କ ମତରେ ଏହି ଉନ୍ନତ ମାନର ପ୍ରଯୁକ୍ତି ନିଯୁକ୍ତି ପ୍ରକ୍ରିୟାକୁ ଦ୍ରୁତ ଏବଂ ପ୍ରଭାବଶାଳୀ କରିପାରିଛି।
ଜେନ୍ପ୍ୟାକ୍ଟର ଗ୍ଲୋବାଲ୍ ହାୟାରିଂ ଲିଡର୍ ରିତୁ ଭାଟିଆ କହିଛନ୍ତି ଯେ ନୂଆ ନିଯୁକ୍ତି ପ୍ରକ୍ରିୟାର ୪୦ ପ୍ରତିଶତ କାର୍ଯ୍ୟକୁ ଏଆଇ ସହଜ କରିଛି। ସାକ୍ଷାତକାର ପ୍ରକ୍ରିୟା ପର୍ଯ୍ୟନ୍ତ ମାନବ ହସ୍ତକ୍ଷେପ ଦରକାର ହେଉନି। ଏଆଇ ବ୍ୟବହାର କରିବା ପରେ ନିଯୁକ୍ତିଦାତାଙ୍କ ଉତ୍ପାଦକତାରେ ୧୫ ପ୍ରତିଶତ ବୃଦ୍ଧି ଘଟିଛି। ପୂର୍ବରୁ ଜଣେ କର୍ମଚାରୀଙ୍କୁ ନିଯୁକ୍ତି ଦେବା ଲାଗି ୬୨ ଦିନ ଲାଗୁଥିଲା। ଏଆଇ ବ୍ୟବହାର ପରେ ସେହି କାମ ୪୩ ଦିନରେ ହୋଇପାରୁଛି। ଶିଳ୍ପ ପାଇଁ କେଉଁ ଦକ୍ଷତା ଆବଶ୍ୟକ ଏବଂ ବଜାରରେ କିଭଳି ପ୍ରତିଭା ଉପଲବ୍ଧ ରହିଛନ୍ତି, ତାହାର ସୂଚନା ଏଆଇ ଦେଉଛି। ସେହି ତଥ୍ୟକୁ ଆଧାର କରି କମ୍ପାନିଗୁଡ଼ିକ ସେମାନଙ୍କ ନିଯୁକ୍ତି ରଣନୀତି ପ୍ରସ୍ତୁତ କରୁଛନ୍ତି।
ସିମ୍ପ୍ଲିଲର୍ଣ୍ଣ ନାମକ ଏକ କମ୍ପାନି ଏହାର ନିଯୁକ୍ତି ପ୍ରକ୍ରିୟାରେ ଏକ ବର୍ଷରୁ ଅଧିକ ସମୟ ହେଲାଣି ଚାଟ୍ଜିପିଟି ଓ ଅନ୍ୟାନ୍ୟ ଏଆଇ ଟୁଲ୍ ବ୍ୟବହାର କରୁଛି। କମ୍ପାନିର ମୁଖ୍ୟ ମାନବ ସମ୍ବଳ ଅଧିକାରୀ କହିଛନ୍ତି ଯେ ଏହା ଦ୍ବାରା ଜଟିଳ କାମ ଲାଗି ଦରକାର ହେଉଥିବା ସମୟ ହ୍ରାସ ପାଇଛି। ସେହିପରି, ପିପୁଲ୍ଫାଏ ନାମକ ସଂସ୍ଥାର ସିଇଓ ରାଜେଶ ଭରତିଆ କହିଛନ୍ତି ଯେ ଏକସଙ୍ଗେ ବହୁ ପ୍ରାର୍ଥୀଙ୍କୁ ସ୍ବତନ୍ତ୍ର ଅନୁଭୂତି ବିଶିଷ୍ଟ ମେଲ୍ ପଠାଇବା ଲାଗି ଅଧିକ ସମୟ ଲାଗୁଥିଲା। ଏଆଇର ଉପଯୋଗ କରିବା ପରେ ସେହି କାମ ବହୁତ ସହଜ ହୋଇପାରିଛି ଏବଂ ଖୁବ୍ କମ୍ ସମୟ ଭିତରେ ମେଲ୍ ପଠାଇ ହେଉଛି। ଭିତ୍ତିଭୂମି କମ୍ପାନି ୱେଲ୍ସ୍ପନ୍ ଏଣ୍ଟରପ୍ରାଇଜେସ୍ର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ରାଜେଶ ଜୈନ୍ କହିଛନ୍ତି ଯେ ଏଆଇ ବ୍ୟବହାର କରିବା ପରେ ଚୟନ ହାର ୧୫%ରୁ ବୃଦ୍ଧି ପାଇ ୫୫%ରେ ପହଞ୍ଚିଛି।