ଚୋକ୍‌ସିଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍‌

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍‌ବି)ରେ ହୋଇଥିବା ୧୩ ହଜାର କୋଟି ଟଙ୍କା ଠକେଇର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକ୍‌ସିଙ୍କ ବିରୋଧରେ ଇଣ୍ଟରପୋଲ୍ ପକ୍ଷରୁ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି କରାଯାଇଛି ବୋଲି ସିବିଆଇ ପକ୍ଷରୁ କୁହାଯାଇଛି। ଭାରତର ଆଇନ ବ୍ୟବସ୍ଥାକୁ ସାମ୍ନା କରିବାକୁ ଚାହୁଁନଥିବାରୁ ତାଙ୍କୁ ଖୋଜିବା ପାଇଁ ଏହି ନୋଟିସ୍‌ ଜାରି କରିବାକୁ ଇଣ୍ଟରପୋଲ୍‌କୁ ସିବିଆଇ ପକ୍ଷରୁ ଅନୁରୋଧ କରାଯାଇଥିଲା। ରେଡ୍‌ କର୍ଣ୍ଣର ନୋଟିସ୍‌ ହେଉଛି ଏକ ପ୍ରକାର ଗିରଫଦାରୀ ୱାରେଣ୍ଟ୍। ଇଣ୍ଟରପୋଲ୍ ଏହାର ସଦସ୍ୟ ଦେଶଗୁଡ଼ିକୁ ସେହି ନୋଟିସ୍‌ ପଠାଇଥାଏ। ‌ସେହି ଦେଶ ମଧ୍ୟରୁ କୌଣସି ଦେଶରେ ଯଦି ପଳାତକ ଅପରାଧୀ ଲୁଚି ରହିଥାନ୍ତି ତେବେ ଉକ୍ତ ନୋଟିସ୍‌ ବଳରେ ତାଙ୍କୁ ଗିରଫ କରାଯାଏ। ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି କରିବା ପାଇଁ ସିବିଆଇ ପକ୍ଷରୁ ଯେଉଁ ଆବେଦନ କରାଯାଇଥିଲା ତାହାକୁ ନେଇ କିଛି ଦିନ ତଳେ ଚୋକ୍‌ସି ଆପତ୍ତି ଉଠାଇଥିଲେ। ଏହା ବିରୋଧରେ ସେ ଅଦାଲତରେ ମକଦ୍ଦମା ମଧ୍ୟ ଦାୟର କରିଥିଲେ। ଚୋକ୍‌ସି ଭାରତରୁ ପଳାୟନ କରିବା ପରେ ଏବେ ଆଣ୍ଟିଗୁଆରେ ରହୁଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର