ନୂଆଦିଲ୍ଲୀ: ଆମେରିକୀୟ ସଂସ୍ଥା ହିଣ୍ଡେନ୍ବର୍ଗ ରିପୋର୍ଟ ପରେ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଶିଳ୍ପପତି ଗୌତମ ଆଦାନିଙ୍କ ଗ୍ରୁପ୍ ଆସନ୍ତା କିଛି ମାସ ଲାଗି ଦ୍ରୁତ ଗତିରେ ଦୌଡ଼ିବ ନାହିଁ। ହିଣ୍ଡେନ୍ବର୍ଗ ରିପୋର୍ଟ ନିବେଶକ ଓ ଋଣ ପ୍ରଦାନକାରୀ ସଂସ୍ଥାଙ୍କ ମଧ୍ୟରେ ଯେଉଁ ସନ୍ଦେହର ବାତାବରଣ ସୃଷ୍ଟି କରିଛି ତାହାକୁ ପ୍ରଥମେ ଦୂର କରିବା ଉପରେ କଂପାନି ଧ୍ୟାନ ଦେବ। ସେଥିପାଇଁ ଏହା କିଛି କଠୋର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ଆସନ୍ତା ଆର୍ଥିକ ବର୍ଷ (୨୦୨୩-୨୪) ଲାଗି ରାଜସ୍ବ ବୃଦ୍ଧି ଅନୁମାନକୁ ଏହା ୪୦%ରୁ ହ୍ରାସ କରି ୧୫-୨୦% କରିଛି। ସେହିପରି ବିଭିନ୍ନ ପ୍ରକଳ୍ପରେ ହେବାକୁ ଥିବା ପୁଞ୍ଜି ବ୍ୟୟକୁ ମଧ୍ୟ କଂପାନି ହ୍ରାସ କରିବ ବୋଲି ଜଣାପଡ଼ିଛି।
ଆଦାନି ଗ୍ରୁପ୍ ଏବେ ତିନିଟି ବିଷୟ ଉପରେ ଅଧିକ ଧ୍ୟାନ ଦେଉଛି। ତାହା ହେଉଛି ଯଥା ସମ୍ଭବ ଅଧିକ ନଗଦ ରାଶି ସଞ୍ଚୟ କରିବା, ଋଣ ପରିଶୋଧ କରିବା ଏବଂ ବନ୍ଧକ ଥିବା ସେୟାରଗୁଡ଼ିକୁ ମୁକୁଳାଇବା। ଆଦାନି ଗ୍ରୁପ୍ ୩.୩ ଲକ୍ଷ କୋଟି ଟଙ୍କାର ଋଣ କରିଛି ଯାହା ଭାରତୀୟ ଅର୍ଥନୀତିର ୧.୨ ପ୍ରତିଶତ ସହ ସମାନ। ଋଣ ଆଣିବା ଲାଗି କଂପାନି ନିଜ ସଂସ୍ଥାର ସେୟାରଗୁଡ଼ିକୁ ବନ୍ଧକ ରଖିଛି। ନିବେଶକମାନଙ୍କୁ ଶାନ୍ତ କରିବା ଲାଗି କଂପାନି ନିକଟରେ ୧୧୧ କୋଟି ଡଲାର ଋଣକୁ ଆଗୁଆ ପରିଶୋଧ କରିଥିଲା। ଆସନ୍ତା ଏପ୍ରିଲ୍ରେ ଆଉ ୫୦୦ ନିୟୁତ ଡଲାର ଋଣ ପରିଶୋଧ କରିବା ଲାଗି ଯୋଜନା ରହିଛି। କଂପାନି ଯଦି ତିନି ମାସ ପାଇଁ ନିବେଶକୁ ରୋକିଦେବ ତେବେ ୩୦୦ କୋଟି ଡଲାର ସଞ୍ଚୟ କରିପାରିବ ଯାହାକୁ ଋଣ ପରିଶୋଧ ଲାଗି ବ୍ୟବହାର କରିହେବ।
ଆମ ବିଭିନ୍ନ ସଂସ୍ଥାର ବାଲାନ୍ସ ସିଟ୍ ବେଶ ସୁଦୃଢ଼ ଅଛି। କର୍ପୋରେଟ୍ ପ୍ରଶାସନ ବ୍ୟବସ୍ଥା ଦୃଢ଼ ଥିବା ବେଳେ ସମ୍ପତ୍ତି ସୁରକ୍ଷିତ ରହିଛି। ନଗଦ ରାଶିର ପ୍ରବାହ ଜାରି ରହିଛି। ବ୍ୟବସାୟ ଯୋଜନା ଲାଗି ଆବଶ୍ୟକ ପାଣ୍ଠି ସମ୍ପୂର୍ଣ୍ଣ ଯୋଗାଡ଼ କରାଯାଇଛି। ଷ୍ଟକ ବଜାରରେ ସ୍ଥିରତା ଫେରିବା ପରେ ଆମ ପ୍ରତିଟି ସଂସ୍ଥା ନିଜ ପୁଞ୍ଜି ବଜାର ରଣନୀତିର ସମୀକ୍ଷା କରିବେ। ଅଂଶୀଦାରମାନଙ୍କୁ ଦୃଢ଼ ରିଟର୍ଣ୍ଣ ମିଳିବା ଜାରି ରହିବ ବୋଲି ଆଦାନି ଗ୍ରୁପ୍ର ପ୍ରବକ୍ତା କହିଛନ୍ତି।