ସଂଘଗୁଡ଼ିକୁ ସରକାରଙ୍କ ନିର୍ଦ୍ଦେଶ: ଖାଇବା ତେଲ ଦାମ ତୁରନ୍ତ ୧୫ ଟଙ୍କା କମାଅ

ନୂଆଦିଲ୍ଲୀ : ଖାଇବା ତେଲ ଦାମ୍‌ ତୁରନ୍ତ ହ୍ରାସ କର। ଲିଟର ପିଛା ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି) ୧୫ ଟଙ୍କା କମାଇବାକୁ କେନ୍ଦ୍ର ସରକାର ଆଜି ଦେଶର ଅଗ୍ରଣୀ ତେଲ ସଂଘଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲ ଦାମ ହ୍ରାସ ପାଇଛି। ଏହାର ଲାଭ ଖାଉଟିମାନଙ୍କୁ ଦେବା ପାଇଁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ନିର୍ଦ୍ଦେଶ ଦେଇଛି। ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲ ଦାମ ନାଟକୀୟ ଭାବେ ହ୍ରାସ ପାଇଥିଲେ ମଧ୍ୟ ଘରୋଇ ବଜାରରେ ଏହାର ଦାମ ଧୀରେ ଧୀରେ କମୁଛି। ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଖାଦ୍ୟ ମନ୍ତ୍ରାଳୟ ଦେଶରେ ଖାଇବା ‌ତେଲ ମୂଲ୍ୟ ଓ ଉପଲବ୍ଧତା ଉପରେ ନିରନ୍ତର ଦୃଷ୍ଟି ରଖିଛନ୍ତି ବୋଲି କହିଛନ୍ତି।

ଜୁଲାଇ ୬ ତାରିଖରେ ‌କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେଙ୍କ ନେତୃତ୍ବରେ ଏସଇଏଆଇ, ଆଇଭିପିଏ ଓ ଏସଓପିଏ ଭଳି ଖାଇବା ତେଲ ସଂଘ ଗୁଡ଼ିକ ସହିତ ଏକ ବୈଠକ ହୋଇଥିଲା। ତେଲ ପ୍ରସ୍ତୁତକାରୀ କମ୍ପାନି ଗୁଡ଼ିକ ବିତରକମାନଙ୍କୁ ତୁରନ୍ତ କମ୍‌ ଦାମରେ ତେଲ ଯୋଗାଇ ଦିଅନ୍ତୁ। ଏହାହେଲେ ଗ୍ରାହକଙ୍କ ନିକଟରେ କମ୍‌ ମୂଲ୍ୟରେ ତେଲ ପହଞ୍ଚିବାରେ ଆଉ ଅସୁବିଧା ରହିବ ନାହିଁ। ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେଉଁ କମ୍ପାନିଗୁଡ଼ିକ ମୂଲ୍ୟ ହ୍ରାସ କରିନାହାନ୍ତି ସେମାନେ ତୁରନ୍ତ କମାନ୍ତୁ। ବୈଠକରେ ଏହା ମଧ୍ୟ କୁହାଯାଇଥିଲା ଯେ ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲ ଦାମ କମିବା ଭାରତ ପାଇଁ ଭଲ। ତେଣୁ ଦେଶରେ ମଧ୍ୟ ସେହି ଅନୁସାରେ ଖାଇବା ତେଲ ଦାମ କମିବା ଆବଶ୍ୟକ। ମୂଲ୍ୟ ହ୍ରାସ ସହିତ ଖାଇବା ତେଲ ସଂପର୍କିତ ଅନ୍ୟ କେତେକ ପ୍ରସଙ୍ଗରେ ମଧ୍ୟ ‌ବୈଠକରେ ଆଲୋଚନା ହୋଇଥିଲା।

ଉଲ୍ଲେଖଯୋଗ୍ୟ, ଭାରତ ଏହାର ମୋଟ ଖାଇବା‌ ତେଲର ପାଖାପାଖି ୬୦ ପ୍ରତିଶତ ଆମଦାନି କରୁଛି। ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲ ଦାମ ବଢ଼ିବା ପରେ ଭାରତରେ ଏହାର ଦର ବଢ଼ିଥିଲା। କିନ୍ତୁ ଏବେ ଅନ୍ତର୍ଜାତୀୟ ବଜାରରେ ଦର କମିଛି। ଗତମାସରେ ତେଲ ପ୍ରସ୍ତୁତକାରୀ କମ୍ପାନି ଗୁଡ଼ିକ ଲିଟର ପିଛା ମୂଲ୍ୟରେ ୧୦ରୁ ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଥିଲେ। ଗତ ମାସକ ଭିତରେ ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲ ଦାମ ଟନ୍ ପିଛା ୩୦୦ରୁ ୪୫୦ ଡଲାର ପର୍ଯ୍ୟନ୍ତ ହ୍ରାସ ଘଟିଛି। ଭାରତ ମୁଖ୍ୟତଃ ଇଣ୍ଡୋନେସିଆ, ମାଲେସିଆ ଓ ଥାଇଲାଣ୍ଡରୁ ତାଳ ତେଲ କିଣିଥାଏ। ସେହିଭଳି ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରୁ ସୋୟା ତେଲ କିଣୁଥିବାବେଳେ ୟୁକ୍ରେନ ଓ ରୁଷିଆରୁ ସୂର୍ଯ୍ୟମୁଖୀ ତେଲ ଆମଦାନି କରିଥାଏ।

ସମ୍ବନ୍ଧିତ ଖବର