ଖାଇବା ତେଲରୁ ସୀମା ଶୁଳ୍କ, କୃଷି ସେସ୍‌ ହ୍ରାସ

ନୂଆଦିଲ୍ଲୀ: ‌କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ଖାଇବା ତେଲ ଉପରୁ ସୀମା ଶୁଳ୍କକୁ ହ୍ରାସ କରିଥିବା ବେଳେ କୃଷି ସେସ୍‌କୁ ମଧ୍ୟ କମ୍ କରିଛନ୍ତି। ଅଶୋଧିତ ପାମ୍, ସୋୟାବିନ୍ ଓ ସନ୍‌ଫ୍ଲାୱାର ଅଏଲ୍‌ ଉପରୁ ସୀମା ଶୁଳ୍କକୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ଏଥି ସହିତ କୃଷି ସେସ୍‌ ମଧ୍ୟ ହ୍ରାସ କରାଯାଇଛି। ଉତ୍ସବ ଋତୁରେ ଖାଇବା ‌ତେଲ ଦାମ୍‌କୁ ନିୟନ୍ତ୍ରଣରେ ରଖିବା ଓ ଦେଶରେ ତେଲର ଉପଲବ୍ଧତା ବଢ଼ାଇବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଅକ୍ଟୋବର ୧୪ରୁ ଏହି ନିଷ୍ପତ୍ତି ଲାଗୁ ହେବ ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ଜାରି କରିଥିବା ବିଜ୍ଞପ୍ତିରୁ ଜଣାପଡ଼ିଛି। ଅଶୋଧିତ ପାମ୍ ଅଏଲ୍‌ ଉପରେ ଲଗାଯାଇଥିବା କୃଷି ଭିତ୍ତିଭୂମି ବିକାଶ ସେସ୍‌କୁ ୭.୫%କୁ ହ୍ରାସ କରାଯାଇଥିବା ବେଳେ ସୋୟାବିନ୍ ଓ ସନ୍‌ଫ୍ଲାୱାର ଅଏଲ୍‌ ପାଇଁ ଏହି ହାର ୫% ରଖାଯାଇଛି। ସେସ୍‌ରେ କରାଯାଇଥିବା ହ୍ରାସ ପରେ ପାମ୍ ଉପରେ ସୀମା ଶୁଳ୍କ ହାର ୮.୨୫%କୁ ହ୍ରାସ ପାଇଥିବା ବେଳେ ସୋୟାବିନ୍‌ ଓ ସନ୍‌ଫ୍ଲାୱାର ଅଏଲ୍‌ରେ ୫.୫ ପ୍ରତିଶତକୁ ହ୍ରାସ ପାଇଛି। ବିଶୋଧିତ ସନ୍‌ଫ୍ଲାୟାର, ସୋୟାବିନ୍, ପାମୋଲିନ୍ ଓ ପାମ୍ ଅଏଲ୍‌ ଉପରୁ ମୌଳିକ ସୀମା ଶୁଳ୍କକୁ ୩୨.୫%ରୁ ୧୭.୫%କୁ ହ୍ରାସ କରାଯାଇଛି।

ସମ୍ବନ୍ଧିତ ଖବର