ଅନ୍ତର୍ଜାତୀୟ ବଜାର ଉପରେ ଖାଇବା ତେଲ ଦର କମିବା ନିର୍ଭର କରୁଛି: ରେଡ୍ଡୀ

ଦେଶରେ ଏକ ନୂଆ କାରଖାନା କରିବ ଜେମିନି, ନୂଆ ଫାଷ୍ଟ କ୍ଲାସ୍ ଲାଇଟ୍ ତେଲ ବଜାରରେ

ଜେମିନି ଏଡିବଲ୍ସ ଆଣ୍ଡ୍ ଫ୍ୟାଟ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଓଡ଼ିଶା ତଥା ଦେଶର ଏକ ପ୍ରମୁଖ ଖାଇବା ତେଲ କମ୍ପାନି। ଫ୍ରିଡମ୍‌ ବ୍ରାଣ୍ଡ୍‌ରେ କମ୍ପାନି ସୂର୍ଯ୍ୟମୁଖୀ ଠାରୁ ଆରମ୍ଭ କରି ସୋରିଷ ଓ ଅନ୍ୟାନ୍ୟ ତେଲ ବିକ୍ରି କରୁଛି। ଦୀର୍ଘବର୍ଷ ହେଲା ଏହି କମ୍ପାନି ପାଇଁ ଉପସଭାପତି (ବିକ୍ରି ଏବଂ ବିପଣନ) ଭାବେ ପି ଚନ୍ଦ୍ରଶେଖର ରେଡ୍ଡୀ କାର୍ଯ୍ୟ କରି ଆସୁଛନ୍ତି। ନିକଟରେ ଶ୍ରୀ ରେଡ୍ଡୀ ଏକ ବ୍ୟବସାୟିକ କାର୍ଯ୍ୟରେ ଭୁବନେଶ୍ବର ଗସ୍ତରେ ଆସିଥିଲେ। ଏହି ଅବସରରେ ଦେଶର ତେଲ ବଜାର ଏବଂ କମ୍ପାନିର ଭବିଷ୍ୟତ ଯୋଜନା ସଂପର୍କରେ ସମ୍ବାଦକୁ ଦେଇଥିବା ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସେ ଯାହା କୁହନ୍ତି…

ଭାରତ ଏବଂ ବିଶ୍ବରେ ବର୍ତ୍ତମାନ ଦେଖାଦେଇଥିବା ଖାଇବା ତେଲ ଦରବୃଦ୍ଧି ସଂପର୍କରେ କ’ଣ କହିବେ?
କରୋନା ମହାମାରୀ ସମୟରେ ଖାଇବା ତେଲର ଯୋଗାଣ ଶୃଙ୍ଖଳରେ ଅସୁବିଧା, ଶ୍ରମିକ ଅଭାବ ଆଦି ଯୋଗୁ ଦରବୃଦ୍ଧି ଦେଖାଦେଇଥିଲା। ସରକାର ଆମଦାନି ଶୁଳ୍କ ହ୍ରାସ କରିବା ପରେ ଦର ସ୍ବାଭାବିକ ହୋଇଥିଲା। କିନ୍ତୁ ୟୁକ୍ରେନ-ରୁଷ ଯୁଦ୍ଧ ପରେ ଭାରତ ସମେତ ବିଶ୍ବର ପ୍ରାୟ ସବୁ ରାଷ୍ଟ୍ରରେ ଖାଇବା ତେଲ ଦର ବଢ଼ିବାରେ ଲାଗିଛି। ଇଣ୍ଡୋନେସିଆ ତାଳ ତେଲ ରପ୍ତାନି ବନ୍ଦ କରିବା ପରେ ଏହି ସମସ୍ୟା ଆହୁରି ବଢ଼ିଯାଇଛି। ଖାଇବା ତେଲ ବଜାର ଦର ଅନ୍ତର୍ଜାତୀୟ ବଜାର ଉପରେ ନିର୍ଭରଶୀଳ ହୋଇଯାଇଛି। ତେଣୁ ଯୁଦ୍ଧର ସମାପ୍ତି ଏବଂ ଇଣ୍ଡୋନେସିଆ ରପ୍ତାନି କଟକଣା ଉଠାଇବା ଉପରେ ଭାରତରେ ତେଲ ଦର କମିବା ନିର୍ଭର କରୁଛି।

‌ଗ୍ରାହକଙ୍କ ନିକଟରେ ‌ଖାଇବା ତେଲକୁ ଉଚିତ ଦାମ୍‌ରେ ପହଞ୍ଚାଇବା ନେଇ ସରକାର ପର୍ଯ୍ୟାପ୍ତ ପଦକ୍ଷେପ ନେଉଛନ୍ତି କି?
ସରକାର ପର୍ଯ୍ୟାପ୍ତ ପଦକ୍ଷେପ ନେଉଛନ୍ତି କି ନାହିଁ ତାହା କହିବା କଷ୍ଟକର ବ୍ୟାପାର। କେବଳ ସମୟ ହିଁ ଏହା କହି ପାରିବ। ତେବେ ଖାଇବା ତେଲ ସମସ୍ୟାର ସମାଧାନ ପାଇଁ ଅତୀତରେ କାର୍ଯ୍ୟ ହୋଇଛି। କିନ୍ତୁ ଦେଶରେ ଦୀର୍ଘମିଆଦି ଏବଂ ଏକ ଦଶନ୍ଧି ଭଳି ସମୟସୀମାର ପ୍ରତିଶ୍ରୁତିବଦ୍ଧତା ସରକାରଙ୍କ ପାଖରେ ରହିବା ଆବଶ୍ୟକ।

ଦେଶରେ ଖାଇବା ତେଲର ଉପଲବ୍ଧତା ବୃଦ୍ଧି ପାଇଁ ଆପଣଙ୍କ କମ୍ପାନିର ଯୋଜନା ରହିଛି କି?
ଦେଶର ବନ୍ଦର ଗୁଡ଼ିକରେ ୩ଟି ପ୍ଲାଣ୍ଟ ରହିଛି। ସେଠାରୁ ତେଲ ଉତ୍ପାଦନ ହେଉଛି। ଏଥିସହିତ ଆଗାମୀ ଦିନରେ କମ୍ପାନି ଆଉ ଏକ କାରଖାନା ସ୍ଥାପନ କରିବ। ଆସନ୍ତା ବର୍ଷକ ମଧ୍ୟରେ ଏ ନେଇ ଘୋଷଣା ହେବ। ତେବେ ଏହି କାରଖାନା ବନ୍ଦରରେ ନହୋଇ ଦେଶର ଆଭ୍ୟନ୍ତରୀଣ ଅଞ୍ଚଳରେ ହେବ। ସବୁ ବିଷୟକୁ ବିଚାରକୁ ନିଆଯାଇ ଏ ସଂପର୍କରେ ଉପଯୁକ୍ତ ନିଷ୍ପତ୍ତି ନିଆଯିବ।

ଓଡ଼ିଶା‌ ନେଇ କମ୍ପାନିର କି ଯୋଜନା ରହିଛି?
କଟକରେ କମ୍ପାନିର ଏକ ସୋରିଷ ତେଲ କାରଖାନା ରହିଛି। ଏଠାରେ ଦୈନିକ ୫୦ ଟନ୍ ତେଲ ପ୍ୟାକେଜିଂ ହେଉଛି। ଉକ୍ତ କ୍ଷମତାକୁ ମାସକ ମଧ୍ୟରେ ୧୦୦ ଟନକୁ ବୃଦ୍ଧି କରାଯିବ। ଏହାହେଲେ ଓଡ଼ିଶାରେ ଫ୍ରିଡମ ତେଲର ଉପଲବ୍ଧତା ବଢ଼ିବ।

ସାଂପ୍ରତିକ ସମସ୍ୟାର ତୁରନ୍ତ ସମାଧାନ ପାଇଁ କି ପଦକ୍ଷେପ ନେଇଛନ୍ତି?
ଆମ କମ୍ପାନି ବଜାରକୁ ଫାଷ୍ଟକ୍ଲାସ ଲାଇଟ୍ ନାମରେ ଏକ ରିଫାଇନ୍ ତେଲ ଆଣିଛି। ମୁଖ୍ୟତଃ ପାମୋଲିନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀରୁ ଏହି ତେଲ ପ୍ରସ୍ତୁତ ହୋଇଛି। ଏହାକୁ ଫ୍ରାଇଂ ଅଏଲ ମଧ୍ୟ କୁହାଯାଇଛି। ହୋଟେଲ, ରେସ୍ତୋରାଁ ଏବଂ କ୍ୟାଟରରଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ତେଲ ବଜାରକୁ ଅଣାଯାଇଛି। ଅନ୍ୟାନ୍ୟ ତେଲର ଅଭାବକୁ ଏହା ଅନେକ ମାତ୍ରାରେ ପୂରଣ କରିପାରିବ ବୋଲି ଆଶା ରହିଛି।

ଓଡ଼ିଶା ବଜାର ସଂପର୍କରେ କ’ଣ କହିବେ?
ଓଡ଼ିଶା ଆମ ପାଇଁ ଏକ ପ୍ରିୟ ବଜାର। କମ୍ପାନିର ଯେଉଁସବୁ ସ୍ଥାନରେ କାରଖାନା ରହିଛି ସେସବୁ ରାଜ୍ୟ ପରେ ଆମର ଉତ୍ପାଦ ଓଡ଼ିଶା ବଜାରରେ ସବୁ ସମୟରେ ଉପଲବ୍ଧ କରାଯାଇଥାଏ। ଓଡ଼ିଶା ନିଶ୍ଚିତ ଭାବେ ଏକ ଆକର୍ଷଣୀୟ ବଜାର। ଏଠାରେ ଗ୍ରାହକମାନେ ଆମ ବ୍ରାଣ୍ଡ୍‌କୁ ସ୍ବୀକୃତି ଦେଇଛନ୍ତି।

ସମ୍ବନ୍ଧିତ ଖବର