କୋଇଲା, ବିମାନ, ବିଦ୍ୟୁତ, ପ୍ରତିରକ୍ଷାରେ ସଂସ୍କାର
ମହାକାଶ ଯିବେ ଘରୋଇ ସଂସ୍ଥା, ଦେଶ ଭିତରେ ତିଆରି ହେବ ପ୍ରତିରକ୍ଷା ସାମଗ୍ରୀ
ଆତ୍ମନିର୍ଭର ଭାରତ ଅଭିଯାନର ଚତୁର୍ଥ ପର୍ଯ୍ୟାୟରେ ଆଜି ସଂସ୍କାର ଉପରେ ଗୁରୁତ୍ବ ଦିଆଯାଇଛି। କୋଇଲା, ଖଣିଜ ପଦାର୍ଥ, ପ୍ରତିରକ୍ଷା ଉତ୍ପାଦନ, ବିମାନବନ୍ଦର, ଆକାଶମାର୍ଗ ପରିଚାଳନା, ବିମାନ ରକ୍ଷଣାବେକ୍ଷଣ, ମରାମତି ଓ ଓଭରହାଉଲ୍, ବିଦ୍ୟୁତ ବଣ୍ଟନ କଂପାନି, ମହାକାଶ ଏବଂ ଆଣବିକ ଶକ୍ତି ଆଦି କ୍ଷେତ୍ର ପାଇଁ ଘୋଷଣା କରାଯାଇଥିବା ଆଠ ପ୍ରକାର ସଂସ୍କାରମୂଳକ ପଦକ୍ଷେପକୁ ନେଇ ଆମର ଏହି ଉପସ୍ଥାପନା…
Sambad is now on WhatsApp
Join and get latest news updates delivered to you via WhatsApp
ମହାକାଶ ଯିବେ ଘରୋଇ ସଂସ୍ଥା
ନୂଆଦିଲ୍ଲୀ: ମହାକାଶ ଯାତ୍ରା ଓ ଗବେଷଣା କ୍ଷେତ୍ରରେ ଘରୋଇ ସଂସ୍ଥାଗୁଡ଼ିକୁ ସାମିଲ କରାଯିବ। ବର୍ତ୍ତମାନ ଦେଶରେ ଏହି କାର୍ଯ୍ୟ ଇସ୍ରୋ କରୁଛି। କିନ୍ତୁ ଆମେରିକା ଭଳି ରାଷ୍ଟ୍ରରେ ସ୍ପେସ୍ଏକ୍ସ ଭଳି ଘରୋଇ କଂପାନି ମହାକାଶକୁ ନେଇ ଅନେକ ଗବେଷଣା ଓ ପରୀକ୍ଷାନିରୀକ୍ଷା କରୁଛନ୍ତି। ସେହି ଢାଞ୍ଚାରେ ଘରୋଇ କଂପାନିଗୁଡ଼ିକୁ ମହାକାଶ ଯାତ୍ରାର ଅଂଶ କରିବାକୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଉପଗ୍ରହ, ଉତ୍କ୍ଷେପଣ ଓ ମହାକାଶ ସମ୍ପର୍କିତ ସେବା କ୍ଷେତ୍ରରେ ଘରୋଇ କଂପାନିଗୁଡ଼ିକୁ ପ୍ରତିଯୋଗିତା କରିପାରିବା ଭଳି ପରିବେଶ ପ୍ରଦାନ କରାଯିବ। ଅଧିକରୁ ଅଧିକ ଘରୋଇ ସଂସ୍ଥାଙ୍କୁ ଏହି କ୍ଷେତ୍ରକୁ ଆକୃଷ୍ଟ କରିବା ଲାଗି ଅନୁମାନ ଲଗାଇ ହେଉଥିବା ନୀତି ଏବଂ ନିୟାମକ ପରିବେଶ ପ୍ରଦାନ କରାଯିବ। ଘରୋଇ କଂପାନିଗୁଡ଼ିକ ନିଜର ଦକ୍ଷତା ବଢ଼ାଇବା ଲାଗି ଇସ୍ରୋର ବିଭିନ୍ନ ବ୍ୟବସ୍ଥାକୁ ବ୍ୟବହାର କରିବାର ଅନୁମତି ପାଇବେ। ନୂତନ ଗ୍ରହ ଅନ୍ବେଷଣ, ମହାକାଶର ବାହ୍ୟପାର୍ଶ୍ବକୁ ଭ୍ରମଣ ଆଦି କ୍ଷେତ୍ରରେ ଭବିଷ୍ୟତରେ ଯେଉଁ ସବୁ ପ୍ରକଳ୍ପ ପରିକଳ୍ପନା କରାଯିବ ସେଥିରେ ଘରୋଇ ସଂସ୍ଥାଗୁଡ଼ିକୁ ସାମିଲ କରାଯିବ। ପ୍ରଯୁକ୍ତିକୁ ବ୍ୟବହାର କରି ଉଦ୍ୟୋଗୀ ହେବାକୁ ଉଦ୍ୟମ କରୁଥିବା ବ୍ୟକ୍ତିମାନଙ୍କୁ ରିମୋଟ୍ ସେନ୍ସିଂ ଡାଟା ପ୍ରଦାନ କରାଯିବ। ସେଥିପାଇଁ କୋହଳ ଜିଓ-ସ୍ପାଟିଆଲ୍ ଡାଟା ନୀତି ଆସିବ।
ଦେଶ ଭିତରେ ତିଆରି ହେବ ପ୍ରତିରକ୍ଷା ସାମଗ୍ରୀ
ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ଲାଗି କେତେକ ପଦକ୍ଷେପ ଘୋଷଣା କରାଯାଇଛି। ଗୋଳାବାରୁଦ କାରଖାନା ବୋର୍ଡକୁ କର୍ପୋରେଟ୍ ଢାଞ୍ଚା ଦିଆଯିବ। ଗୋଳାବାରୁଦ ଯୋଗାଣରେ ସ୍ବାଧୀନତା, ଉତ୍ତରଦାୟିତ୍ବ ଓ ଦକ୍ଷତାରେ ଉନ୍ନତି ଅଣାଯିବ। ପ୍ରତିବର୍ଷ ପ୍ରତିରକ୍ଷା ଉପକରଣ ଆମଦାନି କରିବାରେ ବିପୁଳ ଟଙ୍କା ଖର୍ଚ୍ଚ ହେଉଛି। ଆମଦାନି ବିଲ୍ କମ୍ କରିବା ଲାଗି ‘ମେକ୍ ଇନ୍ ଇଣ୍ଡିଆ’ ମାଧ୍ୟମରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ବୃଦ୍ଧି କରାଯିବ। ଯେଉଁ ସବୁ ଅସ୍ତ୍ର ଓ ପ୍ଲାଟଫର୍ମଗୁଡ଼ିକ ଆମଦାନି ଉପରେ ରୋକ ଲଗାଯିବ ତାହାର ଏକ ତାଲିକା ପ୍ରସ୍ତୁତ କରାଯିବ। ବର୍ତ୍ତମାନ ଯେଉଁ ସବୁ ସ୍ପେୟାର ପାର୍ଟସ୍ ଆମଦାନି କରାଯାଉଛି ତାହା ଯେଭଳି ସ୍ବଦେଶୀ ଜ୍ଞାନକୌଶଳରେ ଦେଶ ଭିତରେ ନିର୍ମାଣ କରାଯାଇପାରିବ ସେଥିପାଇଁ ବ୍ୟବସ୍ଥା କରାଯିବ। ଘରୋଇ ପୁଞ୍ଜି ଯୋଗାଡ଼ ଲାଗି ଏକ ସ୍ବତନ୍ତ୍ର ବଜେଟ୍ ବ୍ୟବସ୍ଥା କରାଯିବ।
ପ୍ରତିରକ୍ଷାରେ ଏଫ୍ଡିଆଇ ସୀମା ୭୪%କୁ ବୃଦ୍ଧି
ପ୍ରତିରକ୍ଷା କ୍ଷେତ୍ରରେ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍ଡିଆଇ) ଲାଗି ପୂର୍ବରୁ ଯେଉଁ ୪୯%ର ସୀମା ଧାର୍ଯ୍ୟ କରାଯାଇଥିଲା ତାହାକୁ ବଢ଼ାଇ ୭୪ ପ୍ରତିଶତ କରାଯାଇଛି। ଏହାର ଅର୍ଥ ହେଉଛି ଯେକୌଣସି ବିଦେଶୀ ନିବେଶକ ଏବେ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ସ୍ବୟଂକ୍ରିୟ ରୁଟ୍ରେ ଆସି ଏକ ପ୍ରକଳ୍ପରେ ୭୪ ପ୍ରତିଶତ ପର୍ଯ୍ୟନ୍ତ ପୁଞ୍ଜିନିବେଶ କରିପାରିବେ। ଫଳରେ ମାଲିକାନାସତ୍ତ୍ବ ସେମାନଙ୍କ ପାଖରେ ରହିବ। କିନ୍ତୁ ପ୍ରକଳ୍ପ ପରିଚାଳନା କରିବା ଲାଗି ସେମାନଙ୍କୁ ୨୬% ଅଂଶଧନ ପାଇଁ ଭାରତର ଯେକୌଣସି ସଂସ୍ଥା ସହ ସହଯୋଗିତା ସ୍ଥାପନ କରିବାକୁ ପଡ଼ିବ। ପ୍ରତିରକ୍ଷା ସାମଗ୍ରୀ କିଣାକିଣି ପାଇଁ ଦିଆଯାଉଥିବା ବରାଦଗୁଡ଼ିକର ପରିଚାଳନା ପାଇଁ ଏକ ପ୍ରକଳ୍ପ ପରିଚାଳନା ୟୁନିଟ୍ (ପିଏମ୍ୟୁ) ଗଠନ କରାଯିବ। ଅସ୍ତ୍ର ଓ ପ୍ଲାଟଫର୍ମ ପାଇଁ ଜେନେରାଲ୍ ଷ୍ଟାଫ୍ କ୍ବାଲିଟେଟିଭ୍ ରିକ୍ବାରମେଣ୍ଟସ୍ (ଜିଏସ୍କ୍ୟୁଆର୍) ସ୍ଥାପନ କରାଯିବ। ପରୀକ୍ଷା ଏବଂ ଟେଷ୍ଟିଂ ପ୍ରକ୍ରିୟାରେ ପରିବର୍ତ୍ତନ କରାଯିବ।