ଋଣଗ୍ରହୀତାଙ୍କୁ ଆଶ୍ବସ୍ତ କଲେ: ସାଧାରଣ ଜନତା, ଗ୍ରାହକ, ଶିଳ୍ପ ଜଗତ, ଷ୍ଟାର୍ଟଅପ୍ ସମସ୍ତଙ୍କ କଥା ବୁଝିଲେ ଶକ୍ତିକାନ୍ତ

ଅଭିବୃଦ୍ଧି ନୁହେଁ, ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଗୁରୁତ୍ବ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଋଣଗ୍ରହୀତାଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। କରୋନା ସଙ୍କଟ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଅର୍ଥନୀତିର ଗତିକୁ ବଢ଼ାଇବା ଉପରେ ଜୋର ଦେବା ପରିବର୍ତେ ଦରଦାମ୍ ସ୍ଥିତି କିଭଳି ନିୟନ୍ତ୍ରଣରେ ରହିବ ସେଥିପ୍ରତି ସେ ଅଧିକ ଧ୍ୟାନ ଦେଇଛନ୍ତି। ସେଥିପାଇଁ ରେପୋ ହାରକୁ ୪%ରେ ଅପରିବର୍ତ୍ତିତ ରଖିବାକୁ ତାଙ୍କ ନେତୃତ୍ବାଧୀନ ମୁଦ୍ରାନୀତି କମିଟି (ଏମ୍‌ପିସି) ନିଷ୍ପତ୍ତି ନେଇଛି। ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ସାଧାରଣ ଜନତା, ଋଣ ନେଇଥିବା ଗ୍ରାହକ ଓ ବ୍ୟବସାୟ ଜଗତର ଚିନ୍ତାକୁ ଦୂର କରିବା ଲାଗି ଶକ୍ତିକାନ୍ତ ଅନେକ ପଦକ୍ଷେପ ଘୋଷଣା କରିଛନ୍ତି। ସେ ମୋରାଟୋରିଅମ୍ ଅବଧି ବଢ଼ାଇ ନାହାନ୍ତି, କିନ୍ତୁ ଋଣକୁ ଏନ୍‌ପିଏ ହେବାରୁ ବଞ୍ଚାଇବା ଲାଗି ତାହାର ପୁନର୍ଗଠନ କରିବା ସୁଯୋଗ ଦେଇଛନ୍ତି। ତେବେ କରୋନା ପ୍ରଭାବରେ ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ନେଗେଟିଭ୍ (ଋଣାତ୍ମକ) ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଥିବା ବେଳେ ମୁଦ୍ରାସ୍ଫୀତି ଚିନ୍ତାର କାରଣ ହୋଇ ରହିବ ବୋଲି କହିଛି।

ବନ୍ଧକ ରଖିଲେ ସୁନା ମୂଲ୍ୟର ୯୦% ରାଶି ଋଣ ଆକାରରେ ମିଳିବ
କୃଷି ଭିନ୍ନ ଅନ୍ୟାନ୍ୟ କାର୍ଯ୍ୟ ଲାଗି ସୁନା ବନ୍ଧକ ରଖି ଲୋକମାନେ ଯେଉଁ ଋଣ ନେଉଥିଲେ ସେଥିରେ ଯୋଗ୍ୟ ଋଣ ରାଶିର ପରିମାଣ ବୃଦ୍ଧି କରାଯାଇଛି। ପୂର୍ବରୁ ଗ୍ରାହକ ଯେତିକି ମୂଲ୍ୟର ସୁନା ବନ୍ଧକ ରଖୁଥିଲେ ତାହାର ୭୫% ରାଶି ଋଣ ଆକାରରେ ପାଉଥିଲେ। କିନ୍ତୁ ଆଗକୁ ସେମାନେ ବନ୍ଧକ ସୁନା ମୂଲ୍ୟର ୯୦% ରାଶିକୁ ଋଣ ଭାବେ ପାଇବେ। ଏହି ସୁବିଧା ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ମିଳିବ। ଏହା ଦ୍ବାରା ଲୋକମାନେ ଘରେ ରଖିଥିବା ସୁନାକୁ ବନ୍ଧକ ରଖି ନିଜ ଆର୍ଥିକ ଆବଶ୍ୟକତା ପୂରଣ କରିବା ନିମନ୍ତେ ଅଧିକ ଟଙ୍କା ଋଣ ଭାବେ ଆଣିପାରିବେ। ତେଣୁ ଅତି ଜରୁରୀ ପରିସ୍ଥିତିରେ ଲୋକମାନଙ୍କୁ ଆଉ ସୁନା ବିକ୍ରି କରିବା ଭଳି କଠିନ ନିଷ୍ପତ୍ତି ନେବାକୁ ପଡ଼ିବ ନାହିଁ।

ଏମ୍‌ଏସ୍‌ଏମ୍‌ଇ ଋଣ ପୁନର୍ଗଠନ ହେବ
କରୋନା ସଙ୍କଟ ଲାଗି ଚାପରେ ଥିବା ଏମ୍ଏସ୍‌ଏମ୍‌ଇଗୁଡ଼ିକର ଚିନ୍ତା ଦୂର କରିବା ଲାଗି ସେମାନଙ୍କ ଋଣର ପୁନର୍ଗଠନ କରିବାକୁ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ୨୦୨୦ ମାର୍ଚ୍ଚ ସୁଦ୍ଧା‌ ‌ଯେଉଁ ସଂସ୍ଥା ୨୫ କୋଟି ଟଙ୍କାରୁ କମ୍ ମୂଲ୍ୟର ଋଣ ନେଇଥିବେ ଓ ଖାତା ଏନ୍‌ପିଏ ବର୍ଗରେ ସାମିଲ ହୋଇନଥିବ, ସେଭଳି ସଂସ୍ଥାଗୁଡ଼ିକ ନେଇଥିବା‌ ଋଣର ପୁନର୍ଗଠନ କରାଯିବ। ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଏହି କାର୍ଯ୍ୟ ସମ୍ପାଦିତ ହେବ। ଋଣ ପୁନର୍ଗଠନ ସମୟରେ ସଂସ୍ଥା ଜିଏସ୍‌ଟିରେ ପଞ୍ଜୀକୃତ ହୋଇଥିବା ଦରକାର। ତେବେ ଜିଏସ୍‌ଟି ପଞ୍ଜୀକରଣରୁ ଯେଉଁମାନଙ୍କୁ ଛାଡ଼ ଦିଆଯାଇଛି ସେମାନେ ମଧ୍ୟ ଏହି ବ୍ୟବସ୍ଥାର ଲାଭ ପାଇପାରିବେ।

ନୂଆ ଇନୋଭେସନ୍ ହବ୍ ସ୍ଥାପନ କରାଯିବ
ପ୍ରଯୁକ୍ତିକୁ ବ୍ୟବହାର କରି ଆର୍ଥିକ କ୍ଷେତ୍ର ପାଇଁ ନୂତନ ସମାଧାନ ବିକଶିତ କରିବା ଲାଗି ଏକ ନୂଆ ଇନୋଭେସନ୍ ହବ୍ ସ୍ଥାପନ କରିବାକୁ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ନୂତନ ଚିନ୍ତାଧାରା ଓ ପରିକଳ୍ପନା ସୃଷ୍ଟି କରିବା ସହ ତାହାକୁ ବ୍ୟବହାରଯୋଗ୍ୟ ଉତ୍ପାଦ ଓ ସମାଧାନ ଭାବେ ବିକଶିତ କରିବା ଦିଗରେ ଏହି ‌ହବ୍‌ କାର୍ଯ୍ୟ କରିବ।

ନାବାର୍ଡ, ଏନ୍‌ଏଚ୍‌ବିକୁ ୧୦ ହଜାର କୋଟି
ରିଅଲ ଇଷ୍ଟେଟ୍‌ କ୍ଷେତ୍ରର ପାଣ୍ଠି ଅଭାବ ଦୂର କରିବା ଲାଗି ନ୍ୟାସନାଲ୍ ହାଉସିଂ ବ୍ୟାଙ୍କ (ଏନ୍‌ଏଚ୍‌ବି)କୁ ୫୦୦୦ କୋଟି ଟଙ୍କା ଦିଆଯିବ। ବାସଗୃହ କ୍ଷେତ୍ରରେ ପାଣ୍ଠି ଅଭାବ ଏହା ଦ୍ବାରା ଦୂର ହେବ। କ୍ଷୁଦ୍ର ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା (ଏନ୍‌ବିଏଫ୍‌ସି) ଓ ମାଇକ୍ରୋଫାଇନାନ୍ସ ସଂସ୍ଥାଗୁଡ଼ିକର ପାଣ୍ଠି ଅଭାବ ଦୂର କରିବା ଲାଗି ନାବାର୍ଡକୁ ମଧ୍ୟ ୫୦୦୦ କୋଟି ଟଙ୍କା ଦିଆଯିବ।

ଋଣ ଶୁଝିପାରୁନଥିବା ଗ୍ରାହକଙ୍କୁ ଆଶ୍ବସ୍ତି
ବ୍ୟକ୍ତିଗତ ଋଣ ଠାରୁ ଆରମ୍ଭ କରି ଶିକ୍ଷା ଋଣ କିମ୍ବା ବାସଗୃହ ଋଣ ନେଇ ଯେଉଁ ଗ୍ରାହକମାନେ ତାହାକୁ ପରିଶୋଧ କରିପାରୁନାହାନ୍ତି ସେମାନଙ୍କୁ ରିଜର୍ଭ ବ୍ୟାଙ୍କ ଅତିରିକ୍ତ ସୁବିଧା ଦେଇଛନ୍ତି। ଖୁଚୁରା ଋଣଗୁଡ଼ିକର ପୁନର୍ଗଠନ କରିବା ନିଷ୍ପତ୍ତି ନିଆଯାଇଛି। ସେୟାର କିଣିବା ଲାଗି ନିଆଯାଇଥିବା ଋଣ ଉପରେ ମଧ୍ୟ ଏହି ସୁବିଧା ମିଳିବ।

ଷ୍ଟାର୍ଟଅପ୍‌କୁ ଅଗ୍ରାଧିକାର କ୍ଷେତ୍ର ମାନ୍ୟତା
ଷ୍ଟାର୍ଟଅପ୍ କ୍ଷେତ୍ରକୁ ଅଗ୍ରାଧିକାର କ୍ଷେତ୍ର ଋଣ (ପିଏସ୍‌ଏଲ୍‌) ବର୍ଗରେ ସାମିଲ କରାଯାଇଛି। ଅଗ୍ରାଧିକାର କ୍ଷେତ୍ର ଅଧୀନରେ କୃଷି ଓ ତତ୍ ସଂକ୍ରାନ୍ତୀୟ କ୍ଷେତ୍ର ଭଳି ଷ୍ଟାର୍ଟଅପ୍ କ୍ଷେତ୍ରକୁ ସାମିଲ କରାଯାଇଛି। ବ୍ୟାଙ୍କଗୁଡ଼ିକ ନିଜ ନିଟ୍ ଋଣର ୪୦ ପ୍ରତିଶତ ଅଗ୍ରାଧିକାର କ୍ଷେତ୍ରକୁ ଦେଇଥାନ୍ତି।

ଅଫ୍‌ଲାଇନ୍ କାର୍ଡ ‌ପେମେଣ୍ଟ୍‌ ବ୍ୟବସ୍ଥା ଆରମ୍ଭ ହେବ
ଦେଶରେ ଡିଜିଟାଲ୍ କାରବାର ବଢ଼ାଇବା ଲାଗି କାର୍ଡ ଜରିଆରେ ଅଫ୍‌ଲାଇନ୍ ପେମେଣ୍ଟ୍ ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ରିଜର୍ଭ ବ୍ୟାଙ୍କ ଘୋଷଣା କରିଛି। ଏହାକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର