ନରମ ହେବ ଆୟକର ବିଭାଗ, ବନ୍ଧୁଙ୍କ ଭଳି ବାର୍ତା ପଠାଇବ

ନୂଆଦିଲ୍ଲୀ: ଟିକସଦାତାଙ୍କ ପ୍ରତି ଆୟକର ବିଭାଗ ଅଧିକ ସଦୟ ହେବା ଉପରେ କାମ କରୁଛି। ଆୟକର ରିଟର୍ଣ୍ଣ ଦାଖଲ ବେଳେ ଯଦି କିଛି ଛୋଟ ବଡ଼ ଭୁଲ ହୋଇଯାଇଥିବ ତେବେ ଆୟକର ବିଭାଗ ଟିକସଦାତାଙ୍କୁ ହଇରାଣ କରିବ ନାହିଁ। ଧମକପୂର୍ଣ୍ଣ ବାର୍ତା ପଠାଇବ ନାହିଁ। ଯଦି କୌଣସି ଟିକସଦାତା ଆୟକର ରିଟର୍ଣ୍ଣ ଦାଖଲ କରିବା ବେଳେ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରିବାକୁ ଭୁଲି ଯାଇଥିବେ ତେବେ ସେ ବିଷୟରେ ବନ୍ଧୁଙ୍କ ଭଳି ଆୟକର ବିଭାଗ ତ୍ରୁଟି ସମ୍ପର୍କରେ ମନେ ପକାଇ ଦେବ। ଆଉ ଆଗକୁ ଧମକପୂର୍ଣ୍ଣ ନୁହେଁ, ବନ୍ଧୁଙ୍କ ଭଳି ବାର୍ତା ପଠାଇବ ଆୟକର ବିଭାଗ।
ଟିକସଦାତାଙ୍କୁ ହଇରାଣ ନକରିବା ଲାଗି କେନ୍ଦ୍ର ସରକାର ଆୟକର ବିଭାଗକୁ ନିର୍ଦେଶ ଦେଇଛନ୍ତି। ଚଳିତ ସ୍ବାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କହିଥିଲେ ଯେ, ଯେଉଁମାନେ ଦେଶର ସମ୍ପତ୍ତି ସୃଷ୍ଟି କରୁଛନ୍ତି ସେମାନେ ହେଉଛନ୍ତି ସମ୍ମାନ ପାଇବାକୁ ଯୋଗ୍ୟ। ଲୋକଙ୍କୁ ଡରାଇବା ଓ ଧମକାଇବା ବଦଳରେ ସେମାନଙ୍କୁ ଅଧିକ ସଚେତନ କରି ଓ ପ୍ରୋ‌ତ୍ସାହନ ଦେଇ ଟିକସ ଆଦାୟ ବଢ଼ାଇବାକୁ ଆୟକର ବିଭାଗକୁ କୁହାଯାଇଛି।

ଟିଡିଏସ ଜମା କରିବା ବେଳେ ଯେଭଳି ବାର୍ତା ପଠାଯାଉଛି, ଆୟକର ରିଟର୍ଣ୍ଣରେ ହୋଇଥିବା ଭୁଲଭଟକା ପାଇଁ ମଧ୍ୟ ସେହିଭଳି ନରମ ବାର୍ତା ଟିକସଦାତାଙ୍କ ପାଖକୁ ପଠାଯିବ। ରିଟର୍ଣ୍ଣ ଦାଖଲ କରିବା ପାଇଁ ‌ଯେଭଳି ଟିକସଦାତାଙ୍କୁ ବାରମ୍ବାର ରିମାଇଣ୍ଡର ପଠାଯାଉଛି, କୌଣସି ପ୍ରକାର ତ୍ରୁଟି ପାଇଁ ମଧ୍ୟ ସେଭଳି ବାର୍ତା ପଠାଯିବ। ସରକାର କହିଛନ୍ତି ଯେ, ଯେଉଁମାନେ ଟିକସ ପଇଠ କରିବାରେ ଜାଲିଆତି କରୁଛନ୍ତି ସେମାନଙ୍କ ବିରୋଧରେ ନିର୍ଧାରିତ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଭଳି ଯେତେ ସବୁ ମାମଲା ଦାୟର ହେବ ତାହାର ଅନଲାଇନ୍ ରେକର୍ଡ ରଖାଯିବ। ଫଳରେ କୌଣସି ଅଭିଯୋଗ ଆସିଲେ ତାହାର ତୁରନ୍ତ ସମାଧାନ କରାଯାଇପାରିବ। ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଟିକସ ଆତଙ୍କବାଦ ଅଭିଯୋଗ ଉପରେ ସଫେଇ ଦେଇଥିଲେ। ଟିକସ ଲକ୍ଷ୍ୟ ହାସଲ କରିବା ଲାଗି ‌ଟିକସଦାତାଙ୍କୁ ଅଯଥା ହଇରାଣ ନକରିବାକୁ ‌ସେ ଆୟକର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର