କରୋନା ମୁକାବିଲା ଲାଗି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପିଏମ୍ କେୟାରସ୍ ଫଣ୍ଡକୁ ୫୦୦ କୋଟି ଦେଲା

ଭୁବନେଶ୍ୱର/ମୁମ୍ବାଇ: କରୋନା ଭୂତାଣୁ ବିରୋଧରେ ଲଢେଇରେ ଦେଶକୁ ସହାୟତା କରିବା ଲାଗି ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) ତରଫରୁ ଆଜି ପ୍ରଧାନମନ୍ତ୍ରୀ କେୟାରସ୍ ଫଣ୍ଡକୁ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା ଘୋଷଣା କରାଯାଇଛି । କଂପାନି ପକ୍ଷରୁ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ ପିଏମ କେୟାର ଫଣ୍ଡକୁ ସହାୟତା ରାଶି ପ୍ରଦାନ କରିବା ବ୍ୟତୀତ କୋଭିଡ-୧୯ ବିରୋଧ ଲଢେଇରେ ସହାୟତା ପାଇଁ କଂପାନି ପକ୍ଷରୁ ମହାରାଷ୍ଟ୍ର ଓ ଗୁଜରାଟ ସରକାରଙ୍କୁ ୫ କୋଟି ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି । କରୋନା ବିଶ୍ୱ ମହାମାରୀ ଲାଗି ସୃଷ୍ଟି ହୋଇଥିବା ସଂକଟର ମୁକାବିଲା ଲାଗି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ତରଫରୁ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କୋଭିଡ-୧୯ ବିରୋଧ ଲଢେଇ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ତରଫରୁ ପୂରା ରିଲାଏନ୍ସ ପରିବାରକୁ ମୁତୟନ କରାଯାଇଛି .ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ  ମୁକେଶ ଅମ୍ବାନି କହିଛନ୍ତି ଯେ, ‘ଆମର ବିଶ୍ୱାସ ଅଛି ଯେ ଶୀଘ୍ର ହେଉ କିମ୍ବା ବିଳମ୍ବରେ ହେଲେ ମଧ୍ୟ ଭାରତ କରୋନା ସଙ୍କଟ ଉପରେ ବିଜୟ ହାସଲ କରିବ । ଏହି ସଙ୍କଟ ସମୟରେ ସାରା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଟିମ ଦେଶ ସହିତ ଅଛି ଏବଂ କୋଭିଡ-୧୯ ବିରୋଧରେ ଲଢ଼େଇ ପାଇଁ ଏହା ସବୁ କିଛି କରିବାକୁ ପ୍ରସ୍ତୁତ ।”

ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ନୀତା ଅମ୍ବାନି କହିଛନ୍ତି ଯେ, “କୋଭିଡ-୧୯ ବିଶ୍ୱ ମହାମାରୀ ସହିତ ଲଢ଼େଇ ପାଇଁ ସାରା ଦେଶ ଏକଜୁଟ ହୋଇଥିବା ବେଳେ ଦେଶବାସୀ ଏବଂ ସେହି ମହିଳା ଯେଉଁମାନେ ଆଗ ଧାଡ଼ିରେ ରହି ଏହାର ସାମ୍ନା କରୁଛନ୍ତି ସେମାନଙ୍କ ସହିତ ରିଲାଏନ୍ସ ଫାଉଣ୍ଡେସନ ସାଙ୍ଗରେ ରହିଛି ଏବଂ ସେମାନଙ୍କ ପ୍ରତି ପୂର୍ଣ୍ଣ ସହାୟତା ପ୍ରଦାନ କରୁଛି । ଆମର ଡାକ୍ତର ଓ ଷ୍ଟାଫମାନେ ଭାରତର ପ୍ରଥମ କୋଭିଡ-୧୯ ହସ୍ପିଟାଲ ସ୍ଥାପନ କରିବାରେ ସହାୟତା ପ୍ରଦାନ କରିଛନ୍ତି ଏବଂ କୋଭିଡ-୧୯ର ସ୍କ୍ରିନିଂ, ଟେଷ୍ଟିଂ, ପ୍ରତିଷେଧକ ଏବଂ ଚିକିତ୍ସାରେ ସରକାରଙ୍କୁ ସହାୟତା ପ୍ରଦାନ କରିବାକୁ ପ୍ରତିବଦ୍ଧ ଅଛନ୍ତି ।”

ସମ୍ବନ୍ଧିତ ଖବର