ଭାରତରେ ଜିଓଫୋନ କାରଖାନା ବସାଇବ ରିଲାଏନ୍ସ

ମୁମ୍ବାଇ : ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ ପକ୍ଷରୁ ଖୁବଶୀଘ୍ର ଭାରତରେ ଏକ ମୋବାଇଲ ଫୋନ କାରଖାନା ପ୍ରତିଷ୍ଠା କରାଯିବ । କମ୍ପାନି ଏବେ କମ୍ପାନି ନିଜର ୧୫୦୦ ଟଙ୍କିଆ ଫିଚର ଫୋନ ଜିଓଫୋନ ଚୀନରୁ ଆମଦାନୀ କରୁଛି । ତେବେ ଦେଶରେ ଏବେ ଜିଓଫୋନର ପ୍ରବଳ ଚାହିଦା ଥିବାବେଳେ କମ୍ପାନିକୁ ଏହି ଫୋନ ଯୋଗାଉଥିବା ଚୀନର ମୋବାଇଲ କମ୍ପାନି ଠିକ୍‌ ସମୟରେ ମାଲ୍‌ ଯୋଗାଇପାରୁ ନାହିଁ । ଏହାଫଳରେ କମ୍ପାନିର କ୍ଷତି ହେବା ସହ ସୁନାମ ପ୍ରଭାବିତ ହେଉଛି । ଏଣୁ ଚାହିଦା ଅନୁସାରେ ଯୋଗାଣକୁ ନିଶ୍ଚିତ କରିବାକୁ କମ୍ପାନି ଭାରତରେ ହିଁ ଜିଓଫୋନ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି ବୋଲି ଏକ ଇଂରାଜୀ ଖବରକାଗଜରେ ପ୍ରକାଶ ପାଇଥିବା ରିପୋର୍ଟରୁ ଜଣାପଡିଛି । ତେବେ ମୋବାଇଲ କାରଖାନା ସ୍ଥାପନ ପାଇଁ କମ୍ପାନିର ଯୋଜନା ନୂଆ ନୁହେଁ । ଗତ ଜୁଲାଇ ମାସରେ ମୁକେଶ ଅମ୍ବାନି ଘୋଷଣା କରିଥିଲେ ଯେ ଚଳିତ ଆର୍ଥିକ ବର୍ଷର ଶେଷ ତିନିମାସ ଅର୍ଥାତ୍‌ ମାର୍ଚ୍ଚ ସୁଦ୍ଧା କମ୍ପାନି ପକ୍ଷରୁ ଭାରତରେ ମୋବାଇଲ କାରଖାନା ସ୍ଥାପନ କରାଯିବ । କିନ୍ତୁ ମିଳିଥିବା ସୂଚନା ମୁତାବକ କମ୍ପାନି ଧାର୍ଯ୍ୟ ସମୟ ପୂର୍ବରୁ ଏହି କାରଖାନା ବସାଇବା କାର୍ଯ୍ୟ ଆରମ୍ଭ କରିଦେଇଛି ।

ଚୀନରେ ଥିବା ଭେଣ୍ଡରକୁ କମ୍ପାନି ପ୍ରଥମେ ୬ ନିୟୁତ ଜିଓଫୋନ ଯୋଗାଣ ପାଇଁ ଅର୍ଡର ଦିଆଯାଇଥିଲା । ଏବେ ପୁଣି ଥରେ ଆଉ ୧୦ ନିୟୁତ ଜିଓଫୋନ ପାଇଁ ଅର୍ଡର ଦିଆଯାଇଛି । କିନ୍ତୁ ଉକ୍ତ ଚାଇନିଜ୍‌ କାରଖାନାର ଦୈନିକ ଉତ୍ପାଦନ କ୍ଷମତା ଦିନକୁ ୩ରୁ ୪ ଲକ୍ଷ । ଏଣୁ ଅର୍ଡର ଅନୁସାରେ ଉକ୍ତ କମ୍ପାନି ମାଲ ଠିକ ସମୟରେ ଯୋଗାଇପାରୁନାହିଁ । ଚୀନରୁ ଠିକ ସମୟରେ ଓ ଚାହିଦା ଅନୁସାରେ ମାଲ୍‌ ଆସିପାରୁ ନଥିବାରୁ କମ୍ପାନି ଅତି ଶୀଘ୍ର ଭାରତରେ ନିଜର କାରଖାନା ସ୍ଥାପନ କରିବାକୁ ସ୍ଥିର କରିଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର