ରିଲାଏନ୍ସ ଦେଶର ପ୍ରଥମ ୧୫୦ ବିଲିଅନ୍ ଡଲାର କଂପାନି

ମୁମ୍ବାଇ: ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଦେଶର ପ୍ରଥମ କଂପାନି ଭାବେ ୧୫୦ ବିଲିଅନ୍ ଡଲାର (୧୧ ଲକ୍ଷ କୋଟି ଟଙ୍କାରୁ ଅଧିକ) ମୂଲ୍ୟର କଂପାନିରେ ପରିଣତ ହୋଇଛି। କଂପାନିର ସେୟାର ଦାମ୍‌ରେ ବୃଦ୍ଧି ହେବାରୁ ଏହି ସଫଳତା ମିଳିଛି। ଏଥି ସହିତ ବିଶ୍ବର ଶ୍ରେଷ୍ଠ ୬୦ଟି କଂପାନି ଭିତରେ ରିଲାଏନ୍ସ ସ୍ଥାନ ପାଇଛି। ଏହା ନାଇକ୍‌, ମ୍ୟାକ୍‌ଡୋନାଲ୍ଡ, କଷ୍ଟକୋ, ଆସେଞ୍ଚର୍‌, ଚାଇନା ମୋବାଇଲ୍‌, ରୟାଲ୍ ଡଚ୍‌, ଚାଇନା ନ୍ୟାସନାଲ୍ ପେଟ୍ରୋଲିୟମ୍ କର୍ପୋରେସନ, ବିପି ଓ ଚାଇନା ପେ‌ଟ୍ରୋଲିୟମ୍ ଆଣ୍ଡ୍‌ କେମିକାଲ୍ କର୍ପୋରେସନ ଭଳି ଅନେକ ବିଶ୍ବସ୍ତରୀୟ କଂପାନିକୁ ପଛରେ ଛାଡ଼ିଦେଇଛି। ୧୯୭୭ରେ ରିଲାଏନ୍ସ ଷ୍ଟକ ବଜାରରେ ପ୍ରବେଶ କରିଥିଲା। ଏକ ୨୫ ବିଲିଅନ୍ ଡଲାର କଂପାନି ହେବା ଲାଗି ରିଲାଏନ୍ସକୁ ୨୮ ବର୍ଷ ସମୟ ଲାଗିଥିଲା। ୨୦୦୫ରେ କଂପାନି ଏହି ସଫଳତା ପାଇଥିଲା। ଏହାର ମାତ୍ର ଦୁଇ ବର୍ଷ ପରେ ଅର୍ଥାତ ୨୦୦୭ ଏପ୍ରିଲ୍‌ରେ ରିଲାଏନ୍ସ ଏକ ୫୦ ବିଲିଅନ୍ ଡଲାର ଓ ତା’ର ଛଅ ମାସ ପରେ ୧୦୦ ବିଲିଅନ୍ ଡଲାର କଂପାନିରେ ପରିଣତ ହୋଇଥିଲା। ସେଥିରେ ଆଉ ୫୦ ବିଲିଅନ ଡଲାର ଯୋଡ଼ି ୧୫୦ ବିଲିଅନ୍ ଡଲାରର କଂପାନି ହେବା ଲାଗି ରିଲାଏନ୍ସକୁ ୧୨ ବର୍ଷ ସମୟ ଲାଗିଥିଲା।

ସମ୍ବନ୍ଧିତ ଖବର