ଜିଓର ପୁନର୍ଗଠନ କରିବ ରିଲାଏନ୍ସ, ୨୦୨୦ ମାର୍ଚ୍ଚ ସୁଦ୍ଧା ହେବ ଋଣମୁକ୍ତ କମ୍ପାନି

ମୁମ୍ବାଇ/ବେଙ୍ଗାଲୁରୁ: ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଜିଓ ସମେତ ଏହାର ଡିଜିଟାଲ ବ୍ୟବସାୟର ପୁନର୍ଗଠନ କରିବ ବୋଲି ଶୁକ୍ରବାର ଘୋଷଣା କରିଛି। ମୂଳ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡକୁ ଲାଏବିଲିଟି ସ୍ଥାନାନ୍ତର କରି ଜିଓକୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଋଣମୁକ୍ତ କମ୍ପାନି କରିବା ଯୋଜନା ଏଥିରେ ରଖାଯାଇଛି। ତେବେ ଏଥିରେ ସ୍ପେକ୍ଟ୍ରମ ସମ୍ପର୍କିତ ଆର୍ଥିକ ବୋଝକୁ ସାମିଲ କରାଯିବ ନାହିଁ। ଅର୍ଥାତ୍ ଜିଓ ପାଇଁ ରିଲାଏନ୍ସ ଏକ ନୂଆ ହୋଲଡିଂ କମ୍ପାନି ଗଠନ କରିବ ଏବଂ ଏହାକୁ ୧.୦୮ ଲକ୍ଷ କୋଟି ଟଙ୍କାର ଇକ୍ବିଟି ଯୋଗାଇ ଦେବ। ରିଲାଏନ୍ସ ଜିଓ ଇନଫୋକମ୍‌ରେ ଏପର୍ଯ୍ୟନ୍ତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ନିବେଶ କରିଥିବା ୬୫ ହଜାର କୋଟି ଟଙ୍କା ନୂଆ ହୋଲଡିଂ କମ୍ପାନି ଖାତାକୁ ଯିବ। ଆମର ଡିଜିଟାଲ ପହଞ୍ଚ ଏବଂ ବ୍ୟାପକତାକୁ ଦେଖି ଷ୍ଟ୍ରାଟେଜିକ୍ ପାର୍ଟନରମାନେ ଯଥେଷ୍ଟ ଆଗ୍ରହ ଦେଖାଇଛନ୍ତି। ଉପଯୁକ୍ତ ପାର୍ଟନର ବା ସହଯୋଗୀଙ୍କୁ ଆମେ କମ୍ପାନିରେ ସାମିଲ କରିବୁ ବୋଲି ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି। ଜିଓର ଏବେ ଗ୍ରାହକ ସଂଖ୍ୟା ୩୫୫ ନିୟୁତରେ ପହଞ୍ଚିଲାଣି। ଏଥିସହିତ କମ୍ପାନି ପ୍ରତିମାସରେ ୮ରୁ ୧୦ ନିୟୁତ ନୂଆ ଗ୍ରାହକ ଏହାର ନେଟୱାର୍କରେ ଯୋଡ଼ୁଛି। କମ୍ପାନିର ପ୍ରତ୍ୟେକ ଗ୍ରାହକଙ୍କ ଡାଟା ବ୍ୟବହାର ୧୧.୭ ଜିବିରେ ପହଞ୍ଚିଛି। ଏଥିସହିତ ଜିଓ ଟିଭି, ଜିଓ-ସାବନ, ଜିଓ ସିନେମା ଏବଂ ଜିଓ-ନ୍ୟୁଜ୍ ଭଳି ସେବା ଏହି କମ୍ପାନି ଯୋଗାଇ ଦେଉଛି। ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ କମ୍ପାନିର ନିଟ୍ ଲାଭ ୯୯୦ କୋଟି ଟଙ୍କା ରହିଛି। ଗତବର୍ଷ ଦ୍ବିତୀୟ ତ୍ରୟମାସ ତୁଳନାରେ କମ୍ପାନିର ନିଟ୍ ଲାଭ ୪୫ ପ୍ରତିଶତ ବୃଦ୍ଧି ଘଟିଛି।

ସମ୍ବନ୍ଧିତ ଖବର