ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ନୂଆ ବିତ୍ତୀୟ ବର୍ଷ ଆରମ୍ଭ ହେଉ ହେଉ ଏକ ଧମାକା ସୃଷ୍ଟି କରିଛି। ଏପ୍ରିଲ ୧ରୁ ଜିଓ ବ୍ୟବହାରକାରୀଙ୍କୁ ‘ଜିଓ ଜୁସ୍’ ଜରିଆର ନୂଆ ସୁବିଧା ମିଳିବ ବୋଲି ଘୋଷଣା କରାଯାଇଛି। ଜିଓ ନିଜର ଅଫିସିଆଲ ଟୁଇଟର ଆକାଉଣ୍ଟରେ ଏହାର ଏକ ଭିଡିଓ ସେୟାର କରିଛି। ଏଥିରେ ସ୍ମାର୍ଟଫୋନ୍ ଚାର୍ଜଂକୁ ନେଇ ହଇରାଣ ହେଉଥିବା ଲୋକଙ୍କ ପାଇଁ ଜିଓ ଏକ ନୂଆ ଟେକ୍ନିକ୍ ବାହାର କରିଥିବା କଥା କୁହାଯାଉଛି। ଭିଡିଓରେ ଜିଓ ସିମ୍ରୁ କିଭଳି ଫୋନ୍ ଚାର୍ଜ ହେଉଛି ସେନେଇ ପୂରା ପ୍ରକ୍ରିୟା ଦେଖାଯାଇଛି।
ଭିଡିଓରେ ଦାବି କରାଯାଇଛି, ଜିଓ ଜୁସ୍ ଓ୍ଵୟାରଲେସ୍ ଜିଓ ନେଟଓ୍ଵାର୍କ ସାହାଯ୍ୟରେ ଟ୍ରାନ୍ସମିଟର ଓ ରିସିଭର ମଧ୍ୟରେ ଇଲେକ୍ଟ୍ରୋମ୍ୟାଗନୋଟିକ୍ ଫିଲ୍ଡ ବନାଇ ଥାଏ। ଏଥିରେ ଇଲେକ୍ଟ୍ରୋମ୍ୟାଗନୋଟିକ୍ ଇଣ୍ଡକସନ୍ ଜରିଆରେ ପାଓ୍ଵର ଟ୍ରାନ୍ସଫର ହୋଇ ବ୍ୟାଟେରି ଚାର୍ଜ ହୋଇଥାଏ ବୋଲି କୁହାଯାଇଛି।
ଜିଓ ମୁତାବିକ, ଜିଓ ବ୍ୟାଟେରି ଡିସ୍ଚାର୍ଜ ସମସ୍ୟାକୁ ସମାଧାନ କରିବା ପାଇଁ ଏହି ସିମ୍କାର୍ଡ ପ୍ରସ୍ତୁତ କରିଛି। ଏହାକୁ ଚାର୍ଜ କରିବା ପାଇଁ କୌଣସି ଭିନ୍ନ ପଏଣ୍ଟ କିମ୍ବା ଚାର୍ଜରର ଆବଶ୍ୟକତା ପଡ଼ିବ ନାହିଁ। କେବଳ ଏତିକି ନୁହେଁ ଏହି ସିମ୍ ଯାହା ପାଖରେ ଥିବା ତାକୁ କୌଣସି ପାଓ୍ଵର ବ୍ୟାଙ୍କର ବି ଆବଶ୍ୟକ ପଡ଼ିବ ନାହିଁ।
ଏପ୍ରିଲ ୧ରୁ ଜିଓ ଏହି ନୂଆ ସେବାର ଆରମ୍ଭ କରିଛି। ଏହି ପ୍ରମୁଖ ଟେକ୍ନିକ୍କୁ ଜିଓ ଜୁସ୍ ନାମ ଦିଆଯାଇଛି। ତେବେ ଏହି ସିମ୍ ବ୍ୟବହାରକାରୀଙ୍କ ପାଇଁ କେବେ ଲଞ୍ଚ କରାଯିବ ତାର ସୂଚନା ଭିଡିଓରେ ଦିଆଯାଇ ନାହିଁ। ଅନ୍ୟପକ୍ଷରେ ଟୁଇଟର ବ୍ୟବହାରକାରୀ ଏହାକୁ ଏପ୍ରିଲ ଫୁଲ ବୋଲି କହୁଛନ୍ତି।
Time to say goodbye to chargers and heavy power banks. Introducing #JioJuice. #WithLoveFromJio pic.twitter.com/1YaT5OC5DF
— Reliance Jio (@reliancejio) March 31, 2018