ଦେଶକୁ ମିଳିଲା ସ୍ୱଦେଶୀ ୫ଜି

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବିକଶିତ କରିଛି
ସ୍ପେକ୍ଟ୍ରମ୍ ମିଳିଲେ ପରୀକ୍ଷଣ ହେବ
ଜିଓରେ ଗୁଗୁଲ୍ ନିବେଶ କରିବ ୩୩,୭୩୭ କୋଟି
ଦୁଇ ସଂସ୍ଥା ମିଶି ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ଆଣିବେ

ମୁମ୍ବାଇ : ଚୀନ୍‌ର ୫ଜି ପ୍ରଯୁକ୍ତି ଆଉ ଦରକାର ପଡ଼ିବ ନାହିଁ। ଦେଶର ସବୁଠୁ ବଡ଼ ଧନୀ ମୁକେଶ ଅମ୍ବାନି ସ୍ବଦେଶୀ ଜ୍ଞାନକୌଶଳରେ ୫ଜି ସମାଧାନ ବିକଶିତ କରିଥିବା ଦାବି କରିଛନ୍ତି। ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବାର୍ଷିକ ସାଧାରଣ ବୈଠକରେ ସେ ଏହି ସୂଚନା ଦେଇଛନ୍ତି। ମୁକେଶ କହିଛନ୍ତି, ଦେଶରେ ୫ଜି ସ୍ପେକ୍ଟ୍ରମ୍ ଉପଲବ୍ଧ ହେବା ମାତ୍ରେ ମେଡ୍‌ ଇନ୍ ଇଣ୍ଡିଆ ୫ଜି ସମାଧାନର ପରୀକ୍ଷଣ କରାଯିବ। ଆସନ୍ତାବର୍ଷ ଠାରୁ ଏହାକୁ ମୂତୟନ କରାଯାଇପାରିବ ବୋଲି ସେ କହିଛନ୍ତି। ମୁକେଶଙ୍କ ଟେଲିକମ୍ ସଂସ୍ଥା ଜିଓ ପାଖରେ ୪ଜି ‌ଓ ଅପ୍‌ଟିକାଲ୍‌ ଫାଇବର୍‌ ନେଟ୍‌ୱର୍କ ରହିଛି। ୫ଜି କ୍ଷେତ୍ରରେ ମଧ୍ୟ ଜିଓକୁ ଆଗରେ ରଖିବାକୁ ସେ ପ୍ରସ୍ତୁତ ହୋଇଛନ୍ତି। ମେଡ୍‌ ଇନ୍ ଇଣ୍ଡିଆ ୫ଜିକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ପ୍ରତି ଉତ୍ସର୍ଗ କରିଛନ୍ତି। ଜିଓ ପ୍ଲାଟଫର୍ମସ୍‌ ଅନ୍ୟ ୨୦ଟି ଷ୍ଟାର୍ଟଅପ୍ ସଂସ୍ଥା ସହ ମିଶି ବିଶ୍ବସ୍ତରୀୟ ୪ଜି, ୫ଜି, କ୍ଲାଉଡ୍‌ କମ୍ପ୍ୟୁଟିଂ, ଡିଭାଇସ୍ ଓ ଅପରେଟିଂ ସିଷ୍ଟମ୍, ବିଗ୍ ଡାଟା, ଆର୍ଟିଫିସିଆଲ ଇଣ୍ଟେଲି‌ଜେନ୍ସ, ଭର୍ଚୁଆଲ୍‌ ରିଅଲିଟି, ପ୍ରାକୃତିକ ଭାଷା ବୁଝିବା ଏବଂ କମ୍ପ୍ୟୁଟର ଭିଜନ ଭଳି ଅନେକ ପ୍ରକାର ପ୍ରଯୁକ୍ତି ବିକଶିତ କରିଛି। ଏହି ସବୁ ପ୍ରଯୁକ୍ତିକୁ ଗଣମାଧ୍ୟମ‌, ଆର୍ଥିକ ସେବା, ନୂଆ ବ୍ୟବସାୟ, ଶିକ୍ଷା, ସ୍ବାସ୍ଥ୍ୟ ସେବା, କୃଷି, ସ୍ମାର୍ଟ ସିଟି, ମାନୁଫାକ୍‌ଚରିଂ ଓ ସ୍ମାର୍ଟ ଗମନାଗମନ କ୍ଷେତ୍ରରେ ବ୍ୟବହାର କରିବାର ବିପୁଳ ସୁଯୋଗ ରହିଛି। ଆସନ୍ତା ତିନି ବର୍ଷ ଭିତରେ ଜିଓ ଏହାର ଟେଲିକମ୍ ଗ୍ରାହକ ସଂଖ୍ୟାକୁ ୫୦ କୋଟିରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବୋଲି ମୁକେଶ କହିଛନ୍ତି।

ଜିଓ ପ୍ଲାଟଫର୍ମସ୍‌ରେ ଗୁଗୁଲ୍ ୩୩,୭୩୭ କୋଟି ଟଙ୍କା ନିବେଶ କରି ୭.୭ ପ୍ରତିଶତ ଅଂଶଧନ ହାସଲ କରିବ ବୋଲି ମୁକେଶ ଘୋଷଣା କରିଛନ୍ତି। ଏହା ପୂର୍ବରୁ ଫେସବୁକ୍ ସମେତ ବିଶ୍ବର ୧୪ଟି ପ୍ରମୁଖ ନିବେଶ ସଂସ୍ଥା ଜିଓ ପ୍ଲାଟଫର୍ମସ୍‌ରେ ଦେଢ଼ ଲକ୍ଷ କୋଟି ଟଙ୍କା ନିବେଶ କରିବା ବିଷୟରେ ଘୋଷଣା କରିସାରିଛନ୍ତି। ଜିଓ ଓ ଗୁଗୁଲ୍ ମିଳିତ ଭାବେ ଭାରତୀୟ ବଜାର ପାଇଁ ସୁଲଭ ମୂଲ୍ୟର ୪ଜି ଓ ୫ଜି ସ୍ମାର୍ଟଫୋନ୍ ବିକଶିତ କରିବେ। ଏହା ବ୍ୟତୀତ ଆଣ୍ଡ୍ରଏଡ୍ ଭିତ୍ତିକ ସ୍ମାର୍ଟଫୋନ୍ ଅପରେଟିଂ ସିଷ୍ଟମ୍ ବିକଶିତ କରିବେ। ଭାରତକୁ ୨ଜି ମୁକ୍ତ ଦେଶରେ ପରିଣତ କରିବାକୁ ମୁକେଶ ଆଜି ସଂକଳ୍ପ ନେଇଛନ୍ତି। ଅର୍ଥାତ ଦେଶରେ କୌଣସି ବ୍ୟକ୍ତିଙ୍କ ପାଖରେ ୨ଜି ଫୋନ୍ ରହିବ ନାହିଁ। ସମସ୍ତଙ୍କ ହାତରେ ସେ ସ୍ମାର୍ଟଫୋନ୍ ଧରାଇବାକୁ ଯୋଜନା ରଖିଛନ୍ତି।

ଜିଓ ପକ୍ଷରୁ ଜିଓଟିଭି+ ନାମକ କଣ୍ଟେଣ୍ଟ୍‌ ଏଗ୍ରିଗେଟର ବ୍ୟବସ୍ଥା ଆରମ୍ଭ କରାଯାଇଛି। ଜିଓ ଟିଭି ଓ ଜିଓ ଫାଇବର୍‌ ଗ୍ରାହକମାନେ ଏହି ସେବା ଉପଭୋଗ କରିପାରିବେ। ରୋଗୀଙ୍କୁ ଭିଡିଓ ଜରିଆରେ ପରାମର୍ଶ ଦେବା ଲାଗି ଡାକ୍ତରମାନଙ୍କ ପାଇଁ ଜିଓ ହେଲ୍‌ଥ ହବ୍ ବିକଶିତ କରାଯାଇଛି। ଏହା ଜିଓ ମିଟ୍‌ର ଏକ ସଂପ୍ରସାରିତ ରୂପ। ହ୍ବାଟସ୍‌ଆପ୍ ଜରିଆରେ କିରାନା ସାମଗ୍ରୀର ହୋମ୍ ଡେଲିଭରି ସେବାକୁ ଦେଶର ଅନେକ ସହରକୁ ସଂପ୍ରସାରିତ କରିବା ଯୋଜନା ବିଷୟରେ ମଧ୍ୟ ମୁକେଶ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର