ଭୁବନେଶ୍ୱର: ଟିକସଦାତାଙ୍କ ଟଙ୍କାରେ ଟେଲିକମ୍ କଂପାନିଗୁଡ଼ିକୁ କୌଣସି ପ୍ରକାର ଆର୍ଥିକ ପ୍ୟାକେଜ ପ୍ରଦାନ ନକରିବା ପାଇଁ ମୁକେଶ ଅମ୍ବାନିଙ୍କ ଟେଲିକମ କଂପାନି ରିଲାଏନ୍ସ ଜିଓ ତରଫରୁ ସରକାରଙ୍କୁ ଅନୁରୋଧ କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ବକେୟା ଦେୟ ପ୍ରଦାନ କରିବାର ସମସ୍ତ କ୍ଷମତା ଟେଲିକମ ଅପରେଟରମାନଙ୍କର ରହିଛି ବୋଲି ମତ ଦେଇ ସେମାନଙ୍କୁ କୌଣସି ପ୍ରକାର ଆର୍ଥିକ ସହାୟତା ବା ପ୍ୟାକେଜ ଦିଆନଯାଉ ବୋଲି ଜିଓ ପକ୍ଷରୁ କୁହାଯାଇଛି । ଜିଓ ପକ୍ଷରୁ କୁହାଯାଇଛି ଯେ, ବକେୟା ଦେୟ ପ୍ରଦାନ କରିବା ଲାଗି କଂପାନିଗୁଡ଼ିକୁ ତିନି ମାସର ସମୟ ପ୍ରଦାନ କରାଯାଇଛି । ତାହା ଯୌକୌଣସି ସଂସ୍ଥା ପାଇଁ ଯଥେଷ୍ଟ ସମୟ ଯାହା ମଧ୍ୟରେ ସେମାନେ ଆରାମରେ ବକେୟା ଦେୟ ଦେଇପାରିବେ ବୋଲି ଜିଓ କହିଛି ।
କେନ୍ଦ୍ର ଦୂରସଂଚାର ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଏକ ଚିଠି ଲେଖି ଜିଓ ପକ୍ଷରୁ ଜଣାଇ ଦିଆଯାଇଛି ଯେ, ଦୁଇଟି ଅପରେଟରଙ୍କ ବିଫଳତାକୁ ସମ୍ପୂର୍ଣ୍ଣ ଟେଲିକମ କ୍ଷେତ୍ର ଉପରେ ପ୍ରଭାବ ବୋଲି ବିଚାର କରିବା ଠିକ ନୁହେଁ । ଏବେବି ଏହି କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ରହିଥିବା ବେଳେ ରାଷ୍ଟ୍ରାୟତ ଉଦ୍ୟୋଗର ଉପସ୍ଥିତ ରହିଛି । ଏଥି ସହିତ ନୂଆ କଂପାନି ଏହି କ୍ଷେତ୍ରକୁ ପ୍ରବେଶ କରିବାରେ ମଧ୍ୟ କେଣସି ପ୍ରତିବନ୍ଧକ ନାହିଁ ।

Advertisment

Image result for mukesh ambani NDTV.com

ତୁରନ୍ତ ସରକାରୀ ସହାୟତା ପ୍ରଦାନ କରାନଗଲେ ଟେଲିକମ ଶିଳ୍ପ ବରବାଦ ହୋଇଯିବ ବୋଲି ଟେଲିକମ ଅପରେଟର ସଂଘ ସିଓଏଆଇ କହିଥିଲେ ମଧ୍ୟ ସେଥିରେ ଜିଓ ଏକମତ ହୋଇନାହିଁ । ସିଓଏଆଇକୁ କଡ଼ା ସମାଲୋଚନା କରି ଜିଓ ପକ୍ଷରୁ କୁହାଯାଇଛି ଯେ, ସଂଘ ଏହାର ଦୁଇ ସଦସ୍ୟଙ୍କ ପ୍ରଭାବରେ ସେମାନଙ୍କ ନ୍ୟସ୍ତସ୍ୱାର୍ଥ ରଖି କାର୍ଯ୍ୟ କରୁଛି ଏବଂ ସେହି ଦୁଇ ଅପରେଟରଙ୍କ ପ୍ରବକ୍ତା ଭାବେ କାର୍ଯ୍ୟ କରୁଛି । ଏହା ଜିଓକୁ ମଧ୍ୟ ନେଇ ନାକାରାତ୍ମକ ଭାବନା ସୃଷ୍ଟି କରୁଛି ବୋଲି ଜିଓ ତରଫରୁ ଅଭିଯୋଗ କରାଯାଇଛି ।
ଟେଲିକମ କ୍ଷେତ୍ରର ଆର୍ଥିକ ସ୍ଥିତି ବହୁତ ଖରାପ ଥିବା ଜଣାଇ ସରକାରଙ୍କୁ ଲିଖିତ ଆକାରରେ ଜଣାଇଥିବା ସେଲ୍ୟୁଲାର ଅପରେଟର ଆସୋସିଏସନ ଅଫ ଇଣ୍ଡିଆ (ସିଓଏଆଇ)କୁ ଜିଓ କଡ଼ା ସମାଲୋଚନା କରିଛି । ସମସ୍ତ ଆଇନଗତ ପ୍ରକ୍ରିୟାରେ ପରାସ୍ତ ହେବା ପରେ ଉକ୍ତ ଅପରେଟରମାନଙ୍କ ଦ୍ୱାରା ଏହା ସରକାରଙ୍କୁ ବ୍ଲାକମେଲ ଓ ଧମକ ସଦୃଶ ବୋଲି ଜିଓ ପକ୍ଷରୁ ଅଭିଯୋଗ କରାଯାଇଛି ।
ସରକାରଙ୍କୁ ଲିଖିତ ଆକାରରେ ସିଓଏଆଇ ଜଣାଇଥିଲା ଯେ, ଯଦି ସରକାର ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ ନକରିବେ ତେବେ ତିନି ଘରୋଇ ଅପରେଟରଙ୍କ ମଧ୍ୟରୁ ଦୁଇଟି ଅପରେଟର ଘୋର ଆର୍ଥିକ ସଙ୍କଟ ସାମ୍ନା କରିବେ ଏବଂ ଏହି କ୍ଷେତ୍ରରେ ପୁଞ୍ଜିନିବେଶ ପ୍ରଭାବିତ ହେବ । ସିଓଏଆଇର ଏହି ପ୍ରସ୍ତାବକୁ ଆଦୌଁ ବିଚାରକୁ ନନେବାକୁ ଜିଓ ତରଫରୁ ସରକାରଙ୍କୁ ଅନୁରୋଧ କରାଯାଇଛି ।

Image result for mukesh ambani Forbes India

ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ବକେୟା ପ୍ରାପ୍ୟ ପ୍ରଦାନ କରିବା ଲାଗି ଟେଲିକମ ଅପରେଟରଙ୍କ ପାଖରେ ଟଙ୍କାର ଅଭାବ ଅଛି ବୋଲି କୁହାଯାଇପାରିବ ନାହିଁ । ପ୍ରାପ୍ୟ ପ୍ରଦାନ କରିବାରେ ସେମାନଙ୍କ ମନୋଭାବର ଅଭାବ ରହିଛି ବୋଲି ଜିଓ ପକ୍ଷରୁ ଦୂରସଂଚାର ମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି । ସିଓଏଆଇ ବାସ୍ତବରେ ଟେଲିକମ୍ କ୍ଷେତ୍ରକୁ ପ୍ରତିନିଧିତ୍ୱ କରୁନଥିବା ଦର୍ଶାଇ ଏହାକ୍ୁ ଟେଲିକମ୍ ସେବା ପ୍ରଦାନକାରୀଙ୍କ ସଂଘ ଭାବେ ଗ୍ରହଣ ନକରିବା ପାଇଁ ମଧ୍ୟ ଜିଓ ପକ୍ଷରୁ ଅନୁରୋଧ କରାଯାଇଛି ।
ଜିଓ ପକ୍ଷରୁ କୁହାଯାଇଛି ଯେ ରିଲାଏନ୍ସ ଜିଓର ପ୍ରମୋଟର ମାନେ ଏହି କ୍ଷେତ୍ରରେ ୧ ଲକ୍ଷ ୭୫ ହଜାର କୋଟି ଟଙ୍କାର ନିବେଶ କରିଛନ୍ତି । ଏୟାରଟେଲ ଓ ଭୋଡାଫୋନ-ଆଇଡିଆର ଇକ୍ୱିଟି ନିବେଶ ଖୁବ୍ କମ୍ ରହିିଛି । ତେଣୁ ନିଜର ବର୍ତମାନର ସ୍ଥିତି ପାଇଁ ଏହି ଅପରେଟରମାନେ ନିଜେ ଦାୟୀ ବୋଲି ଅଭିହିତ କରି ଆର୍ଥିକ କୁପରିଚାଳନା ଓ ଭୁଲ ବ୍ୟାବସାୟିକ ନିଷ୍ପତି ଯୋଗୁଁ ପୁରୁଣା ଟେଲିକମ ଅପରେଟରଙ୍କ ବିଫଳତା ପାଇଁ ସରକାରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଜିଓ ତରଫରୁ କୁହାଯାଇଛି । ଜିଓ ପକ୍ଷରୁ କୁହାଯାଇଛି ଯେ ଏହି କ୍ଷେତ୍ରରେ ରହିଥିବା ଟିକସ ଓ ଜିଏସ୍ଟି କ୍ରେଡିଟ୍ ଭଳି ବାସ୍ତବ ସମସ୍ୟାଗୁଡ଼ିକୁ ଏହ ପ୍ରସଙ୍ଗରୁ ଅଲଗା ଭାବେ ବିଚାରକୁ ନେବାକୁ ଜିଓ ପକ୍ଷରୁ କୁହାଯାଇଛି ।