ଦେଶର ସର୍ବବୃହତ ଫିକ୍ସଡ୍ ଲାଇନ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଣକାରୀ ହେଲା ରିଲାଏନ୍ସ ଜିଓ

ଭୁବନେଶ୍ୱର: ନିଜର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡର ବ୍ୟବସାୟିକ ‌ସେବା ପ୍ରାରମ୍ଭ ହେବାର ପ୍ରାୟ ଦୁଇବର୍ଷ ମଧ୍ୟରେ ରିଲାଏନ୍ସ ଜିଓ ଦେଶର ସର୍ବବୃହତ ଫିକ୍ସଡ୍ ଲାଇନ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ଯୋଗାଣକାରୀ ହେବାର ଗୌରବ ହାସଲ କରିଛି । ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ମଙ୍ଗଳବାର ପ୍ରକାଶିତ ନଭେମ୍ବର ମାସର ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ଜିଓ ୪.୩୪ ନିୟୁତ ଗ୍ରାହକ ସହିତ ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ସେବା ବର୍ଗରେ ସଂପ୍ରତି ଅଗ୍ରଣୀ ସ୍ଥାନରେ ରହିଛି । ପ୍ରାୟ ୨୦ ବର୍ଷ ଧରି ଏହି ବର୍ଗରେ ବିଏସ୍‌ଏନ୍‌ଏଲ୍‌ର ଆଧିପତ୍ୟ ରହିଥିଲା ।

ରିଲାଏନ୍ସ ଜିଓର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ସେବା ‘ଜିଓ ଫାଇବର୍’ ଗ୍ରାହକ ସଂଖ୍ୟା ୨୦୨୧ ଅକ୍ଟୋବରରେ ୪.୧୬ ନିୟୁତ ଥିବାବେଳେ ୨୦୨୧ ନଭେମ୍ବରରେ ୪.୩୪ ନିୟୁତକୁ ବୃଦ୍ଧିପାଇଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ଗ୍ରାହକ ତଥ୍ୟରୁ ଜଣାପଡିଛି । ଅନ୍ୟପକ୍ଷରେ ବିଏସଏନଏଲର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ଗ୍ରାହକ ସଂଖ୍ୟା ୨୦୨୧ ଅକ୍ଟୋବରରେ ୪.୭୨ ନିୟୁତ ଥିବାବେଳେ ୨୦୨୧ ନଭେମ୍ବରରେ ତାହା ୪.୨ ନିୟୁତକୁ ହ୍ରାସପାଇଛି । ନଭେମ୍ବର ମାସରେ ଭାରତୀ ଏୟାରଟେଲର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ ଗ୍ରାହକ ସଂଖ୍ୟା ୪.୦୮ ନିୟୁତ ରହିଥିଲା ।

ଜିଓ ୨୦୧୯ ସେପ୍ଟେମ୍ବରରେ ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ ସେବା ଜିଓଫାଇବରର ବ୍ୟବସାୟିକ ପ୍ରଚଳନ ଆରମ୍ଭ କରିଥିଲା । ଜିଓ ଶୂନରୁ ଆରମ୍ଭ କରିଥିବାବେଳେ ୨୦୧୯ ସେପ୍ଟେମ୍ବରରେ ବିଏସଏନଏଲ୍ ର ୮.୬୯ ନିୟୁତ ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ଗ୍ରାହକ ରହିଥିଲେ । ଭାରତୀ ଏୟାରଟେଲ୍‌ର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ଗ୍ରାହକ ସଂଖ୍ୟା ୨୦୧୯ ସେପ୍ଟେମ୍ବରରେ ୨.୪୧ ନିୟୁତ ରହିଥିଲା ।

ରିଲାଏନ୍ସ ଜିଓର ମୋଟ ବ୍ରଡବ୍ୟାଣ୍ଡ୍ ଗ୍ରାହକ ସଂଖ୍ୟା ୨୦୨୧ ନଭେମ୍ବରରେ ୪୩୨.୯୬ ନିୟୁତ ରହିଥିବା ଜଣାଯାଇଛି । ଏହା ପଛକୁ ଭାରତୀ ଏୟାରଟେଲର ୨୧୦.୧୦ ନିୟୁତ ବ୍ରଡବ୍ୟାଣ୍ଡ୍ ଗ୍ରାହକ ରହିଥିଲେ । ସେହିଭଳି ଭୋଡାଫୋନ ଆଇଡିଆ ଲିମିଟେଡର ୧୨୨.୪୦ ନିୟୁତ ଏବଂ ବିଏସଏନଏଲର ୨୩.୬୨ ନିୟୁତ ବ୍ରଡବ୍ୟାଣ୍ଡ୍ ଗାହକ ରହିଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର