ଗ୍ରାହକଙ୍କ ମୋବାଇଲ୍‌ ବାଲାନ୍ସ ଟଙ୍କା ଫେରାଇବ ରିଲାଏନ୍ସ

ନୂଆଦିଲ୍ଲୀ: ରିଲାଏନ୍ସ କମ୍ୟୁନିକେସନ୍ସ ଏହାର ସେବା ବନ୍ଦ କରିବା ପରେ ଅନେକ ଗ୍ରାହକଙ୍କର ବାଲାନ୍ସ ରାଶି ସେମାନଙ୍କ ରିଚାର୍ଜ କୁପନ୍‌ରେ ଖର୍ଚ ନହୋଇ ରହିଯାଇଛି। ଖର୍ଚ ହୋଇ ନଥିବା ଏହି ରାଶିକୁ ଫେରାଇବା ଲାଗି ଦୂରସଂଚାର କ୍ଷେତ୍ରର ନିୟାମକ ଟ୍ରାଇ ପକ୍ଷରୁ କମ୍ପାନିକୁ ନିର୍ଦେଶ ଦିଆଯାଇଛି। ପ୍ରିପେଡ୍‌ ଗ୍ରାହକମାନଙ୍କର ବାଲାନ୍ସ ସମେତ ପୋଷ୍ଟ ପେଡ୍‌ ଗ୍ରାହକଙ୍କ ସିକ୍ୟୁରିଟି ଅର୍ଥକୁ ଫେରାଇବା ଲାଗି ଟ୍ରାଇ ନିର୍ଦେଶ ଦେଇଛି। ଗ୍ରାହକଙ୍କ ଠାରୁ ବହୁମାତ୍ରାରେ ଅଭିଯୋଗ ମିଳିବା ପରେ ଟ୍ରାଇ ପକ୍ଷରୁ ଏଭଳି ନିର୍ଦେଶନାମା ଦିଆଯାଇଛି। ପ୍ରିପେଡ୍‌ ଗ୍ରାହକ ଓ ପୋଷ୍ଟପେଡ୍‌ ଗ୍ରାହକଙ୍କ ଅର୍ଥ ଫେରାଇବା ପରେ ଏ ସଂକ୍ରାନ୍ତ ରିପୋର୍ଟ ଯଥାକ୍ରମେ ଆସନ୍ତାମାସ ୧୫ ତାରିଖ ଓ ମାର୍ଚ ୩୧ ତାରିଖ ସୁଦ୍ଧା ଦେବାକୁ କମ୍ପାନିକୁ ଟ୍ରାଇ ନିର୍ଦେଶ ଦେଇଛି। ଯେଉଁମାନେ କମ୍ପାନି ଛାଡ଼ି ଅନ୍ୟ କମ୍ପାନିକୁ ପୋର୍ଟିଂ କରିଛନ୍ତି ଏବଂ ଯେଉଁମାନେ ପୋର୍ଟିଂ କରିପାରି ନାହାନ୍ତି ସେମାନେ ଉଭୟଙ୍କୁ ଏହି ରାଶି ଫେରାଇବାକୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଋଣବୋଝରେ ବୁଡ଼ି ରହିଥିବା ଅନିଲ ଅମ୍ବାନିଙ୍କ ରିଲାଏନ୍ସ କମ୍ୟୁନିକେସନ୍ସ ଦେଶର ପ୍ରାୟ ଅଧାଅଧି ସର୍କଲରେ ଗତ ଡିସେମ୍ବର ୧ ତାରିଖରୁ ଏବଂ ସାରା ଦେଶରେ ଡିସେମ୍ବର ୨୯ ତାରିଖରୁ ସେବା ବନ୍ଦ କରିଦେଇଛି।

ସମ୍ବନ୍ଧିତ ଖବର