ରିଲାଏନ୍ସ ହାତକୁ ଯିବା ପରେ ‘ବିଗ୍ ବଜାର’କୁ ମିଳିଲା ନୂଆ ପରିଚୟ, ଏହି ନୂଆ ନାଁ‌ରେ ଖୋଲିବ ଷ୍ଟୋର

ନୂଆଦିଲ୍ଲୀ: ଫ୍ୟୁଚର୍ ଗ୍ରୁପ୍ ଅଧୀନରେ ଥିବା ବିଗ୍ ବଜାରକୁ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗତ ସପ୍ତାହରେ ନିଜ ନିୟନ୍ତ୍ରଣକୁ ନେଇଥିଲା। ନିୟନ୍ତ୍ରଣକୁ ଯିବା ପରେ ବର୍ତ୍ତମାନ ଫ୍ୟୁଚର ଗ୍ରୁପର ଏହି ବୃହତ ବ୍ରାଣ୍ଡର ନାଁକୁ ପରିବର୍ତ୍ତନ କରିଛି ରିଲାଏନ୍ସ। ରିଲାଏନ୍ସ ରିଟେଲ ବର୍ତ୍ତମାନ ସମସ୍ତ ସ୍ଥାନରେ ନୂତନ ରିଟେଲ ଷ୍ଟୋର୍ ଖୋଲିବାକୁ ଯାଉଛି ଯେଉଁଠାରେ ପୂର୍ବରୁ ବିଗ୍ ବଜାର ଥିଲା। ଏହି ନୂତନ ଷ୍ଟୋର୍‌ର ନାମ ଏବେ ସ୍ମାର୍ଟ ବଜାର ହେବ ବୋଲି ରିଲାଏନ୍ସ କହିଛି। ରିଲାଏନ୍ସ ରିଟେଲ ହେଉଛି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରିଟେଲ ସେକ୍ଟର କମ୍ପାନି। ଏହା ପୂର୍ବରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ରିଲାଏନ୍ସ ଟ୍ରେଣ୍ଡସ୍, ରିଲାଏନ୍ସ ଫ୍ରେସ୍, ରିଲାଏନ୍ସ ଡିଜିଟାଲ୍ ଭଳି ରିଟେଲ ଷ୍ଟୋରଗୁଡ଼ିକୁ ପରିଚାଳନା କରିଆସୁଛି।

ତେବେ ରିଲାଏନ୍ସ ରିଟେଲ ୯୫୦ ସ୍ଥାନରେ ନିଜର ଷ୍ଟୋର ଖୋଲିବାକୁ ଯୋଜନା କରିଛି। ଫ୍ୟୁଚର ଗ୍ରୁପଠାରୁ କମ୍ପାନି ଦ୍ୱାରା ଏହି ସମସ୍ତ ସ୍ଥାନ ନିଆଯାଇଛି। କମ୍ପାନି ଏହି ମାସରେ ପ୍ରାୟ ୧୦୦ ଟି ସ୍ଥାନରେ ‘ସ୍ମାର୍ଟ ବଜାର’ ନାମରେ ଷ୍ଟୋର ଖୋଲିବ। ତେବେ ଏପର୍ଯ୍ୟନ୍ତ ରିଲାଏନ୍ସ ରିଟେଲ ଏବଂ ଫ୍ୟୁଚର ଗ୍ରୁପ୍ ଦ୍ୱାରା ଏନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।

dlfmallofindia

୨୦୨୦ରେ ଫ୍ୟୁଚର ଗ୍ରୁପ୍ ଏହାର ରିଟେଲ୍ ବ୍ୟବସାୟକୁ ପ୍ରାୟ ୨୪ ହଜାର କୋଟି ଟଙ୍କାରେ ରିଲାଏନ୍ସ ରିଟେଲ୍‌କୁ ବିକ୍ରି କରିବ ବୋଲି ଚୁକ୍ତି କରିଥିଲା। ମାତ୍ର, ତାହା ଉପରେ ଆମାଜନ୍ ଆପତ୍ତି ଉଠାଇବାରୁ ସେହି କାର୍ଯ୍ୟ ଆଗକୁ ବଢ଼ିପାରୁନାହିଁ। କୋର୍ଟରେ ମାମଲା ବିଚାରଧୀନ ରହିଛି। ଏବେ ଯେଉଁଭଳି ଭାବେ ଫ୍ୟୁଚର୍‌ ଗ୍ରୁପ୍‌ର ଷ୍ଟୋର୍‌ଗୁଡ଼ିକୁ ରିଲାଏନ୍ସ ନିଜ ଅକ୍ତିଆରକୁ ଆଣୁଛି ତାହା ଆମାଜନ୍‌କୁ ଚିନ୍ତାରେ ପକାଇଛି। ଖୁବ୍‌ଶୀଘ୍ର ଏହା ବିରୋଧରେ ଆମାଜନ ଅଦାଲତରେ ଆବେଦନ କରିବ ବୋଲି କୁହାଯାଉଛି। ମାତ୍ର, ସେଥିରେ ଆମାଜନକୁ ସେତେଟା ସଫଳତା ମିଳିନପାରେ। କାରଣ ରିଲାଏନ୍ସ କେବଳ ସେହି ଷ୍ଟୋର୍‌ଗୁଡ଼ିକୁ ନିଜ ଅକ୍ତିଆରକୁ ଆଣୁଛି ଯେଉଁଥିପାଇଁ ତାହା ଭଡ଼ା ଦେଉଥି‌ଲା। ଫ୍ୟୁଚର ଗ୍ରୁପ୍ ଅଧୀନରେ ବିଗ୍ ବଜାର, ବ୍ରାଣ୍ଡ୍‌ ଫ୍ୟାକ୍ଟରି ଓ ସେଣ୍ଟ୍ରାଲ ନାମରେ ୧୭୦୦ରୁ ଅଧିକ ଷ୍ଟୋର୍‌ ରହିଛି। ଏକ ଆକଳନରୁ ଜଣାପଡ଼ିଛି ଯେ ଫ୍ୟୁଚର୍‌ର ଏକ ତୃତୀୟାଂଶ ଷ୍ଟୋର୍‌କୁ ରିଲାଏନ୍ସ ନିଜ କବ୍‌ଜାକୁ ଆଣିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର