ନୂଆଦିଲ୍ଲୀ: ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସ ଗ୍ରୁପ କେବେ ବି (ଏହାର ସଫଳତାରେ) ସନ୍ତୁଷ୍ଟ ହେବ ନାହିଁ ଏବଂ ଏହା ବିଶ୍ୱର ଶ୍ରେଷ୍ଠ ୧୦ ଟି ବ୍ୟବସାୟିକ ସଂସ୍ଥା ମଧ୍ୟରୁ ଅନ୍ୟତମ ହେବ। ଏହି ଗ୍ରୁପ୍ ମାତ୍ର କିଛି ବର୍ଷ ମଧ୍ୟରେ ବିଶ୍ୱର ସର୍ବବୃହତ ତୈଳ ବିଶୋଧନ କମ୍ପ୍ଲେକ୍ସରୁ ଦେଶର ସର୍ବବୃହତ ମୋବାଇଲ ନେଟୱାର୍କ ଅପରେଟରରେ ପରିଣତ ହୋଇଛି।

Advertisment

ସୂଚନାଯୋଗ୍ୟ ଯେ, ବିଶ୍ବର ଶ୍ରେଷ୍ଠ ୧୦ଟି କମ୍ପାନି ମଧ୍ୟରେ ଅଛନ୍ତି ଆପଲ, ମାଇକ୍ରୋସଫ୍ଟ, ସାଉଦି ଆରାମକୋ, ଆଲଫାବେଟ୍, ଆମାଜନ, ମେଟା, ବର୍କସାୟାର ହାଥଓ୍ବେ, ଟେସଲା, ଏଲି ଲିଲି ପରି କମ୍ପାନି । କିନ୍ତୁ ଭାରତର କୌଣସି କମ୍ପାନି ଏହି ତାଲିକାରେ ନାହାନ୍ତି । ତେବେ ବିଶ୍ବର ଶ୍ରେଷ୍ଠ ୧୦୦ କମ୍ପାନି ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଟାଟା କନସଲଟାନ୍ସି ସର୍ଭିସେସ ପରି କମ୍ପାନି ଅଛନ୍ତି ।

ରିଲାଏନ୍ସ ଫ୍ୟାମିଲି ଡେ' ଅବସରରେ ଗ୍ରୁପ୍ ପ୍ରତିଷ୍ଠାତା ଧୀରୁଭାଇ ଅମ୍ବାନୀଙ୍କ ଜୟନ୍ତୀ ଅବସରରେ କର୍ମଚାରୀମାନଙ୍କୁ ସମ୍ବୋଧିତ କରି ମୁକେଶ ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସ ଗ୍ରୁପ୍ ଏବେ ଡିଜିଟାଲ୍ ଡାଟା ପ୍ଲାଟଫର୍ମ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜିକୁ ଗ୍ରହଣ କରିବାରେ ବିଶ୍ୱ କଂପାନିଗୁଡ଼ିକ ମଧ୍ୟରେ ନିଜର ସ୍ଥାନ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ଆଜି ବ୍ୟବସାୟ ପାଇଁ ଘରୋଇ ଓ ବୈଶ୍ୱିକ ପରିବେଶ ଦ୍ରୁତ ଗତିରେ ବଦଳୁଛି। ଆତ୍ମସନ୍ତୋଷର କୌଣସି ସ୍ଥାନ ନାହିଁ। ରିଲାଏନ୍ସ ଅତୀତରେ କେବେ ବି ଆତ୍ମସନ୍ତୋଷ ପ୍ରକାଶ କରିନାହିଁ କି ଭବିଷ୍ୟତରେ କେବେ ବି ହେବ ନାହିଁ।