ଭୁବନେଶ୍ବର: ରିଲାଏନ୍ସ ରିଟେଲ୍ ଲିମିଟେଡ୍ ପକ୍ଷରୁ ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ୨୫ଟି ନୂଆ ସ୍ମାର୍ଟ ଷ୍ଟୋର୍ ଖୋଲାଯିବ ବୋଲି କମ୍ପାନିର ମୁଖ୍ୟ ପରିଚାଳନା ଅଧିକାରୀ (ଗ୍ରୋସରି ରିଟେଲ୍) କାମଦେବ ମହାନ୍ତି କହିଛନ୍ତି। ‘ସମ୍ବାଦ’ ସହ ଏକ ସ୍ବତନ୍ତ୍ର ଆଲୋଚନାରେ ଶ୍ରୀ ମହାନ୍ତି କହିଥିଲେ ଯେ ଓଡ଼ିଶାରେ ରିଲାଏନ୍ସ ରିଟେଲ୍ର ଭାଲ୍ୟୁ ଫର୍ମାଟ୍ର ୧୩୩ଟି ଷ୍ଟୋର୍ ରହିଛି। ସେଥିରେ ୪୨ଟି ସ୍ମାର୍ଟ ଓ ସ୍ମାର୍ଟ ବଜାର, ୧୦ଟି ସିଗ୍ନେଚର ଓ ୮୧ଟି ସ୍ମାର୍ଟ ପଏଣ୍ଟ ରହିଛି। ସର୍ବଭାରତୀୟ ସ୍ତରରେ ଏହି ଫର୍ମାଟ୍ ଅଧୀନରେ ୩୨୮୯ଟି ଷ୍ଟୋର୍ ରହିଛି। ସେଥିରୁ ୯୬୧ଟି ହେଉଛି ସ୍ମାର୍ଟ ଓ ସ୍ମାର୍ଟ ବଜାର, ୧୪୮ଟି ସିଗ୍ନେଚର/ଗୋ ଫ୍ରେସ୍, ୨୧୭୭ଟି ସ୍ମାର୍ଟ ପଏଣ୍ଟ ଓ ୩ଟି ଫ୍ରେସ୍ ପିକ୍ ଷ୍ଟୋର୍ ରହିଛି। କମ୍ପାନି ପାଇଁ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଓ ଏକ ଲାଭଜନକ ବଜାର ବୋଲି ଶ୍ରୀ ମହାନ୍ତି କହିଥିଲେ। ଜାତୀୟ ବ୍ୟବସାୟ ପ୍ରତି ଓଡ଼ିଶାର ଅବଦାନ ୫ ପ୍ରତିଶତ ରହିଛି।
ଓଡ଼ିଶାକୁ ଚାଉଳର ହବ୍ କରିବା ଲକ୍ଷ୍ୟ: ମହାନ୍ତି
ଦେଶରେ ଦିନକୁ ଦିନ ମଡର୍ଣ୍ଣ ଟ୍ରେଡ୍ (ଆଧୁନିକ ବ୍ୟବସାୟ) ଲୋକପ୍ରିୟ ହେଉଛି। ୨୦୦୬-୦୭ ବେଳକୁ ମୋଟ୍ କାରବାରରେ ମଡର୍ଣ୍ଣ ଟ୍ରେଡ୍ର ଭାଗ ୩ ପ୍ରତିଶତ ଥିଲା। ଏବେ ତାହା ୧୭ ପ୍ରତିଶତକୁ ବୃଦ୍ଧି ପାଇଛି। ଏବେବି ଭାରତ ବିଶ୍ବସ୍ତରୀୟ ହାର ୬୫-୭୦%ଠାରୁ ପଛରେ ଥିବାରୁ ଏଠାରେ ଅଭିବୃଦ୍ଧିର ବ୍ୟାପକ ସୁଯୋଗ ରହିଥିବା ସେ କହିଥିଲେ। ସ୍ମାର୍ଟ ଷ୍ଟୋର୍ଗୁଡ଼ିକରେ ଗ୍ରୋସରି ସେକ୍ସନ୍ରେ ଅଧିକ ଗ୍ରାହକ ପ୍ରବେଶ କରୁଛନ୍ତି। ଓଡ଼ିଶାକୁ ଚାଉଳର ଏକ ହବ୍ରେ ପରିଣତ କରିବାକୁ କମ୍ପାନି ଲକ୍ଷ୍ୟ ରଖିଥିବା ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ସ୍ମାର୍ଟ ଷ୍ଟୋର୍ଗୁଡ଼ିକରେ ୧୫ ପ୍ରକାର ଚାଉଳ ବିକ୍ରି ହେଉଛି। ଚାଉଳ ଦାମ୍ ୩୮ ଟଙ୍କାରୁ ଆରମ୍ଭ ହେଉଛି। ଦେଶର ବିଭିନ୍ନ ସମ୍ପ୍ରଦାୟର ଲୋକମାନଙ୍କ ଆବଶ୍ୟକତା ଅନୁସାରେ ଚାଉଳ ଉପଲବ୍ଧ ରହିଛି। ଓଡ଼ିଶାରୁ କମ୍ପାନି ଆମ୍ବ, ତରଭୁଜ, ପନିପରିବା ଓ ଚାଉଳ ସଂଗ୍ରହ କରି ସାରା ଦେଶରେ ବିକ୍ରି କରୁଛି। ସ୍ମାର୍ଟ ଷ୍ଟୋର୍ ଭଳି କମ୍ପାନିର ବ୍ୟବସାୟ ପ୍ରତି ଜିଓମାର୍ଟର ମଧ୍ୟ ଅବଦାନ ରହିଛି। ବର୍ତ୍ତମାନ ମୋଟ କାରବାରରେ ଷ୍ଟୋର୍ର ଅବଦାନ ୯୦ ପ୍ରତିଶତ ଓ ଜିଓମାର୍ଟର ୧୦ ପ୍ରତିଶତ ରହିଛି। ଉଭୟ କ୍ଷେତ୍ର ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଗ୍ରାହକ ସଂଖ୍ୟା ଓ ହାରାହାରି ବିଲ୍ ମୂଲ୍ୟରେ ଶିଳ୍ପ ହାରାହାରିଠାରୁ ରିଲାଏନ୍ସ ରିଟେଲ୍ ଅଢ଼େଇ ଗୁଣା ଅଧିକ ବେଗରେ ଆଗକୁ ବଢ଼ୁଥିବା ସେ କହିଛନ୍ତି।