୨୦୦ ଫ୍ୟୁଚର ଷ୍ଟୋର ହାତକୁ ନେଲା ରିଲାଏନ୍ସ

କର୍ମଚାରୀଙ୍କୁ ଚାକିରି ଅଫର ଦେଲା

ନୂଆଦିଲ୍ଲୀ: କିଶୋର ବିୟାନୀଙ୍କ ମାଲିକାନାରେ ଥିବା ଫ୍ୟୁଚର ରିଟେଲ୍‌ର ଅତିକମ୍‌ରେ ୨୦୦ ଷ୍ଟୋରକୁ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ନିଜ ନିୟନ୍ତ୍ରଣକୁ ନେଇଛି। ଷ୍ଟୋରଗୁଡ଼ିକର ପରିଚାଳନା ଦାୟିତ୍ବ ରିଲାଏନ୍ସ ନେବା ସହିତ ଏହାର କର୍ମଚାରୀମାନଙ୍କୁ ରିଲାଏନ୍ସରେ ଚାକିରି ନେଇ ଅଫର୍ ଦେଇଛି। କିଶୋର ବିୟାନୀ ଷ୍ଟୋର ମାଲିକଙ୍କ ଭଡ଼ା ଦେବାକୁ ବିଫଳ ହେବା ପରେ ଏହା ରିଲାଏନ୍ସ ଅଧୀନକୁ ଯାଇଛି ବୋଲି ଏକ ସୂତ୍ରରୁ ଜଣାଯାଇଛି।

୨୦୨୦ ଅଗଷ୍ଟରେ ରିଲାଏନ୍ସ ରିଟେଲ ଫ୍ୟୁଚର ଗ୍ରୁପର ରିଟେଲ ଓ ଲଜିଷ୍ଟିକ୍ସ ଶାଖାକୁ ୨୪୭୧୪ କୋଟି ଟଙ୍କାରେ କିଣିବା ପାଇଁ ରାଜି ହୋଇଥିଲା। କିନ୍ତୁ ଆମାଜନ ମାମଲା ରୁଜୁ କରିବା କାରଣରୁ ଏହା ସଫଳ ହୋଇ ପାରି ନଥିଲା। ରିଲାଏନ୍ସ ସହ ଫ୍ୟୁଚରର ରାଜିନାମା ପୂର୍ବର ଆମାଜନ ଚୁକ୍ତି ବିରୋଧୀ ହେଉଥିବା ଅଭିଯୋଗ କରି ଆମାଜନ ଅଦାଲତକୁ ଯାଇଥିଲା।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଫ୍ୟୁଚର ରିଟେଲ ଲିମିଟେଡ ଷ୍ଟୋରଗୁଡ଼ିକ ଘରଭଡ଼ା ଦେବାରେ ବିଫଳ ହେବା କାରଣରୁ ଜମି ମାଲିକମାନେ ରିଲାଏନ୍ସ ପାଖକୁ ଯାଇଥିଲେ। ରିଲାଏନ୍ସ ଜମି ମାଲିକଙ୍କ ସହିତ ଭଡ଼ା ରାଜିନାମା କରିଥିଲା। ଏହାପରେ ସେହି ଷ୍ଟୋରଗୁଡ଼ିକୁ ଫ୍ୟୁଚର ରିଟେଲକୁ ସବ୍‌ଲେଟ୍‌ ଆକାରରେ ଦେଇଥିଲା। ଯାହାଫଳରେ ଷ୍ଟୋରଗୁଡ଼ିକ ଚାଲିପାରୁଥିଲା। ଦେଶରେ ଫ୍ୟୁଚର ରିଟେଲର ୧୭୦୦ରୁ ଅଧିକ ଷ୍ଟୋର ରହିଛି। ଏଥିରେ ବିଗ୍‌ ବଜାର ମଧ୍ୟ ଅନ୍ତର୍ଭୁକ୍ତ। ଆର୍ଥିକ ସଂକଟ ଦେଇ ଗତି କରୁଥିବା ଫ୍ୟୁଚର ଗ୍ରୁପ ଏହି ଷ୍ଟୋରଗୁଡ଼ିକ ପାଇଁ ହୋଇଥିବା ଲିଜ୍ ରାଜିନାମା ମଧ୍ୟରୁ ଅନେକକୁ ରିଲାଏନ୍ସକୁ ସ୍ଥାନାନ୍ତର କରିଥିଲା। ସୂଚନା ଅନୁଯାୟୀ ରିଲାଏନ୍ସ ବିଗ୍‌ ବଜାର ନାମକୁ ହଟାଇ ସେଠାରେ କମ୍ପାନିର ନିଜସ୍ବ ବ୍ରାଣ୍ଡ୍‌ ଲେଖିବ। ଏଥିସହିତ ଫ୍ୟୁଚର ରିଟେଲ ଷ୍ଟୋରରେ କାମ କରୁଥିବା ପ୍ରାୟ ୩୦ ହଜାର କର୍ମଚାରୀଙ୍କୁ ରିଲାଏନ୍ସ ନିଜ ଅଧୀନକୁ ନେବ।

ସମ୍ବନ୍ଧିତ ଖବର