ନୂଆଦିଲ୍ଲୀ: ଦେଶର ଶୀର୍ଷ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ଦ୍ବାରା ପରିଚାଳିତ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଏବେ ଏକ ନୂଆ ବ୍ୟବସାୟ ଦୁନିଆକୁ ଓହ୍ଲାଇବାକୁ ଯୋଜନା କରୁଛି। ଗ୍ରୋସରି ଠାରୁ ଆରମ୍ଭ କରି ପୋଷାକ, ଫର୍ଣ୍ଣିଚର, ମୋବାଇଲ ଫୋନ, ମିଡିଆ ଓ ମନୋରଞ୍ଜନ, ପେଟ୍ରୋଲିୟମ ଉତ୍ପାଦ ‌ଆଦି କ୍ଷେତ୍ରରେ ଗ୍ରାହକଙ୍କ ନିକଟରେ ପହଞ୍ଚି ସାରିଥିବା କମ୍ପାନି ଆଗାମୀ ଦିନରେ ରିଲାଏନ୍ସ ଲୋନ୍‌, ରିଲାଏନ୍ସ ମ୍ୟୁଚୁଆଲ ଫଣ୍ଡ୍‌ ଏବଂ ରିଲାଏନ୍ସ ବ୍ରୋକରେଜ୍‌ ଆଦି ସେବା ଆରମ୍ଭ କରିବା ଯୋଜନା ରଖିଛି। ତେବେ ଏସବୁ ବାଦ୍‌ କମ୍ପାନି ଆଉ ଏକ ବଡ଼ ବଜାରକୁ ଓହ୍ଲାଇବାକୁ ଯାଉଛି। ତାହା ହେଲା କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଏବଂ ହୋମ୍‌ ଆପ୍ଲାଏନ୍‌ସେସ୍‌। ଫଳରେ ଆଗାମୀ ଦିନରେ ଲୋକଙ୍କ ଘରେ ରିଲାଏନ୍ସର ଟିଭି ସେଟ୍‌, ୱାସିଂ ମେସିନ, ରେଫ୍ରିଜରେଟର, ଏୟାର କଣ୍ଡିସନର, ଗିଜର, ଓଭେନ ଆଦି ଉପଲବ୍ଧ ହେବ। କମ୍ପାନି ୱାଇଜର ବ୍ରାଣ୍ଡ୍‌ ନାମରେ ନୂଆ କଞ୍ଜ୍ୟୁମର ଏବଂ ହୋମ୍ ଆପ୍ଲାଏନ୍ସ ସାମଗ୍ରୀ ଆଣିବା ଯୋଜନା ରଖିଛି।

Advertisment

କମ୍ପାନିର ରିଟେଲ୍‌ ଶାଖା ରିଲାଏନ୍ସର ରିଟେଲ ନିକଟରେ ୱାଇଜର ବ୍ରାଣ୍ଡ୍‌ରେ ଏୟାର କୁଲର ଉନ୍ମୋଚନ କରିଥିବାବେଳେ ଆଗାମୀ ଦିନରେ ଟେଲିଭିଜନ, ୱାସିଂ ମେସିନ, ରେଫ୍ରିଜରେଟର, ଏୟାର କଣ୍ଡିସନର, ଛୋଟ ଉପକରଣ ଏବଂ ଏଲ୍‌ଇଡି ବଲ୍‌ବ ଆଦି ଆଣିବ। ରି‌ଲାଏନ୍ସ ରିଟେଲର ମୁଖ୍ୟ ଆର୍ଥିକ ଅଧିକାରୀ ଦିନେଶ ତାଲୁଜା ଗତ ୨୨ ତାରିଖରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ‌ବୈଠକରେ ଏହି ସୂଚନା ଦେଇଥିଲେ ମଧ୍ୟ ଏ ନେଇ ଅଧିକ କିଛି କହିନାହାନ୍ତି। ରିଲାଏନ୍ସ ନିକଟରେ ବିଶାଳ ରିଟେଲ ଏବଂ ଇ-କମର୍ସ ନେଟୱର୍କ ରହିଛି। ତେଣୁ ଉକ୍ତ ନେଟୱର୍କ କମ୍ପାନି କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଓ ହୋମ୍‌ ଆପ୍ଲାଏନ୍‌ସେସ୍‌ ବ୍ରାଣ୍ଡ୍‌କୁ ସମୃଦ୍ଧ କରିବ। ରିଲାଏନ୍ସ ରିଟେଲ୍‌ର ଦେଶରେ ୧୮,୭୭୪ଟି ଷ୍ଟୋର୍‌ ରହିଛି। ପ୍ରାୟ ୩୦ କୋଟି ପଞ୍ଜୀକୃତ ଗ୍ରାହକ ଏହା ନିକଟରେ ଅଛନ୍ତି। କମ୍ପାନି ଏହାର ୱାଇଜର ବ୍ରାଣ୍ଡ୍‌ରେ ଆଣିବାକୁ ଥିବା ନିଜସ୍ବ ହୋମ୍‌ ଆପ୍ଲାଏନ୍‌ସେସ୍‌କୁ ରିଲାଏନ୍ସ ଡିଜିଟାଲ ଷ୍ଟୋର ସମେତ ବିଭିନ୍ନ ରିଟେଲ ଷ୍ଟୋର, ଆମାଜନ ଓ ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ କରାଇବ।

ଦେଶ ଭିତରେ ୱାଇଜର ବ୍ରାଣ୍ଡ୍‌ର ଉତ୍ପାଦ ନିର୍ମାଣ ପାଇଁ କମ୍ପାନି ଠିକା ନିର୍ମାତା ଡିକ୍ସନ ଟେକ୍ନୋଲୋଜିଜ୍‌ ଏବଂ ଓନିଡ଼ାର ମୂଳ କମ୍ପାନି ମିର୍କ ଇଲେକ୍ଟ୍ରୋନିକ୍ସ ସହିତ ରାଜିନାମା ଚୂଡ଼ାନ୍ତ କରୁଛି। ବଜାରଅଂଶ ବଢ଼ିବା ପରେ ନିଜସ୍ବ କାରଖାନା ସ୍ଥାପନ କରିବ। ଉଲ୍ଲେଖଯୋଗ୍ୟ, ଡିକ୍ସନ ଦେଶର ସର୍ବବୃହତ୍ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନିର୍ମାତା। ଏହି କମ୍ପାନି ୧୯୯୪ ମସିହାରେ ଭାରତରେ ରଙ୍ଗିନ ଟିଭି ଉତ୍ପାଦନ ଆରମ୍ଭ କରିଥିଲା। ବର୍ତ୍ତମାନ ଦେଶରେ ଏହାର ୨୩ଟି କାରଖାନା ରହିଛି। କୋରିଆର ସାମସଙ୍ଗ ଠାରୁ ଆରମ୍ଭ କରି ବସ, ମୋଟୋରେଲା ଓ ସାଓମି ଆଦି ପାଇଁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଓ ମୋବାଇଲ ଫୋନ ନିର୍ମାଣ କରୁଛି। ଗତ ଦୁଇରୁ ତିନି ବର୍ଷ ହେଲା ଭାରତରେ ହ୍ବାଇଟ୍‌ ଗୁଡ୍‌ସ ସାମଗ୍ରୀର ବିକ୍ରି ୬ରୁ ୮ ପ୍ରତିଶତ ହାରରେ ବଢ଼ୁଛି। ଏହା ସତ୍ତ୍ବେ ଭାରତରେ ହୋମ ଆପ୍ଲାଏନସେସ୍ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବଜାରରେ ବିରାଟ ସୁଯୋଗ ରହିଛି। କାରଣ ଦେଶରେ ୫୫ରୁ ୬୬ ପ୍ରତିଶତ ଲୋକଙ୍କ ପାଖରେ ଟିଭି ଥିବାବେଳେ ୭ରୁ ୮ ପ୍ରତିଶତ ଲୋକଙ୍କ ନିକଟରେ ଏସି ରହିଛି।