ମୁମ୍ବାଇ: ୨୦୧୭-୧୮ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସର ଆର୍ଥିକ ଫଳାଫଳ ରିଲାଏନ୍ସ ଇଣ୍ଡଷ୍ଟିଜ୍ ଲିମିଟେଡ ପକ୍ଷରୁ ଘୋଷଣା କରାଯାଇଛି। କମ୍ପାନି ଏହି ସମୟରେ ରେକର୍ଡ ୯୪୩୫ କୋଟି ଟଙ୍କାର ଲାଭ କରିଛି। ୨୦୧୬-୧୭ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟ ମାସରେ କମ୍ପାନି ୮୦୪୬ କୋଟି ଟଙ୍କାର ଲାଭ ସଂଗ୍ରହ କରିଥିଲା। ତେଣୁ ୨୦୧୬-୧୭ର ଚତୁର୍ଥ ତ୍ରୟମାସ ତୁଳନାରେ ନୂଆକରି ଘୋଷଣା ହୋଇଥିବା ଲାଭ ୧୭ ପ୍ରତିଶତ ଅଧିକ। ପେଟ୍ରୋକେମିକାଲ, ରିଟେଲ ଏବଂ ଡିଜିଟାଲ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁ କମ୍ପାନି ଏହି ଲାଭ ସଂଗ୍ରହ କରିପାରିଛି।
ଜିଓ ବ୍ରାଣ୍ଡ୍ରେ ରିଲାଏନ୍ସ ଚଳାଇଥିବା ଡିଜିଟାଲ ସେବା ବ୍ୟବସାୟରୁ ଚତୁର୍ଥ ତ୍ରୟମାସରେ ୫୧୦ କୋଟି ଟଙ୍କାର ଲାଭ ମିଳିଛି। ତୃତୀୟ ତ୍ରୟମାସ ତୁଳନାରେ ଚତୁର୍ଥ ତ୍ରୟମାସରେ ଜିଓର ଗ୍ରାହକ ସଂଖ୍ୟା ୧୬ ପ୍ରତିଶତ ବୃଦ୍ଧି ଘଟିଛି। ମୁକେଶ ଅମ୍ବାନିଙ୍କ ପରିଚାଳନାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ୨୦୧୭-୧୮ ଆର୍ଥିକ ବର୍ଷରେ ମୋଟ ୩୬,୦୭୫ କୋଟି ଟଙ୍କାର ଲାଭ ସଂଗ୍ରହ କରିଛି। ୨୦୧୬-୧୭ ଆର୍ଥିକ ବର୍ଷ ତୁଳନାରେ ଏହି ଲାଭ ୨୧ ପ୍ରତିଶତ ଅଧିକ। ୨୦୧୭-୧୮ ଆର୍ଥିକ ବର୍ଷରେ କମ୍ପାନି ଉଭୟ ପରିଚାଳନା ଏବଂ ଆର୍ଥିକ ମାନଦଣ୍ଡ କ୍ଷେତ୍ରରେ ଅନେକ ଗୁଡ଼ିଏ ରେକର୍ଡ ସ୍ଥାପନ କରିଛି ବୋଲି କମ୍ପାନି ମୁଖ୍ୟ ମୁକେଶ ଅମ୍ବାନି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/reliance.jpg)