ରାଜ୍ୟଙ୍କୁ କହିଲା କେନ୍ଦ୍ର: ପୁରୁଣା ଡିଜେଲ ବସ୍ ହଟାଅ, ୩୨ ହଜାର ବସ୍ ୧୦ ବର୍ଷରୁ ଅଧିକ ପୁରୁଣା

ନୂଆଦିଲ୍ଲୀ: ପୁରୁଣା ଡିଜେଲ୍ ବସ୍‌ଗୁଡ଼ିକୁ ରାସ୍ତାରୁ ହଟାଇବାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ରାଜ୍ୟର ପରିବହନ ନିଗମଗୁଡ଼ିକୁ କୁହାଯାଇଛି। ପ୍ରାୟ ୩୨,୦୦୦ ପୁରୁଣା ବସ୍ ହଟାଇ ସେହି ସ୍ଥାନରେ ଇଲେକ୍ଟ୍ରିକ୍ ଯାନ ବ୍ୟବହାର କରିବାକୁ ସେମାନଙ୍କୁ କୁହାଯାଇଛି। ସଡ଼କ ପରିବହନ ମନ୍ତ୍ରଣାଳୟ ଆକଳନ ଅନୁସାରେ ୨୫ଟି ରାଜ୍ୟ ପରିବହନ ସଂସ୍ଥା ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ୩୨,୦୬୨ଟି ବସ୍ ରହିଛି। ଚିଠା ବିଜ୍ଞପ୍ତିରେ ଅନୁସାରେ ୧୫ ବର୍ଷରୁ ଅଧିକ ପୁରୁଣା ବସ୍‌ର ଆଉ ନବୀକରଣ ହେବ ନାହିଁ। ପରୋକ୍ଷରେ ତାହାର ଅର୍ଥ ହେଉଛି ସେହି ବସ୍‌ଗୁଡ଼ିକୁ ସ୍କ୍ରାପ୍‌ରେ ପରିଣତ କରାଯିବ।

ରାଜ୍ୟ ପରିବହନ ସଂସ୍ଥାଗୁଡ଼ିକ ପାଖରେ ଥିବା ପୁରୁଣା ବସ୍‌ଗୁଡ଼ିକ ବିଏସ୍‌-୨ ଓ ବିଏସ୍‌-୩ ଡିଜେଲ୍ ବସ୍ ହୋଇଥିବା ବେଳେ ସେଗୁଡ଼ିକ କେବଳ ଅତ୍ୟଧିକ ବାୟୁ ପ୍ରଦୂଷଣ କରୁନାହାନ୍ତି ବରଂ‌ ତାହା ଚଲାଇବା ମଧ୍ୟ ବ୍ୟୟବହୁଳ ବ୍ୟାପାର। କରୋନା ମହାମାରୀ ବ୍ୟାପିବା‌ ପରେ ପରିବହନ ସଂସ୍ଥାଗୁଡ଼ିକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ବସ୍‌ରେ ପୂର୍ବଭଳି ଆଉ ଅଧିକ ଲୋକ ଯାତ୍ରା କରୁନାହାନ୍ତି। ନିତି ଆୟୋଗ ଏକ ଏକକ ପ୍ରକ୍ୟୁରମେଣ୍ଟ୍ ପୋର୍ଟାଲ୍ ପ୍ରସ୍ତୁତ କରି ସେଥିରେ ସମସ୍ତ ଅଂଶୀଦାରଙ୍କୁ ଯୋଡ଼ିଛି। ସେହି ପୋର୍ଟାଲ୍ ଜରିଆରେ ଦିଲ୍ଲୀ, ବେଙ୍ଗାଲୁରୁ, କୋଲକାତା, ହାଇଦ୍ରାବାଦ ଓ ସୁରଟ ୫,୪୫୦ ଇଲେକ୍ଟ୍ରିକ୍ ବସ୍ ମଗାଇଛନ୍ତି। ୧୨ ମିଟର ଲମ୍ବା ବସ୍‌ର ସର୍ବନିମ୍ନ ମୂଲ୍ୟ କିଲୋମିଟର ପିଛା ୪୩ ଟଙ୍କା ୪୯ ପଇସା ଓ ୯ ମିଟର ବସ୍‌ର ମୂଲ୍ୟ କିଲୋମିଟର ପିଛା ୩୯ ଟଙ୍କା ୨୧ ପଇସା ଧାର୍ଯ୍ୟ କରାଯାଇଛି।

ଏହି ମୂଲ୍ୟ ଏବେ ସାର୍ବଜନୀନ ପରିବହନ ପାଇଁ ଏକ ମାନଦଣ୍ଡରେ ପରିଣତ ହୋଇଛି। ଏହା ଦ୍ବାରା ଅନ୍ୟ ସହରଗୁଡ଼ିକ ଇଲେକ୍ଟ୍ରିକ୍ ଯାନ ଗ୍ରହଣ କରିବାକୁ ଉତ୍ସାହିତ ହେବେ ବୋଲି ନିତି ଆୟୋଗ ସିଇଓ ଅମିତାଭ କାନ୍ତ କହିଛନ୍ତି। ଏହି ପୋର୍ଟାଲ୍‌ ମାଧ୍ୟମରେ ଅଧିକ ଇଲେକ୍ଟ୍ରିକ୍ ଦୁଇ ଚକିଆ ଓ ତିନି ଚକିଆ ଯାନ ମଗାଇବା ଲାଗି ରାଜ୍ୟଗୁଡ଼ିକ ସହ ଆଲୋଚନା କରିବାକୁ ନିତି ଆୟୋଗ ଯୋଜନା ରଖିଛି। ଇଲେକ୍ଟ୍ରିକ ଯାନ ଗ୍ରହଣୀୟତା ବଢ଼ିଲେ ଅଙ୍ଗାରକାମ୍ଳ ନିର୍ଗମନକୁ ନେଇ ଭାରତ ଧାର୍ଯ୍ୟ କରିଥିବା ଲକ୍ଷ୍ୟ ହାସଲ ‌ସହଜ ହୋଇପାରିବ। ‌ତେଲେଙ୍ଗାନାର ରାଜ୍ୟ ସଡ଼କ ପରିବହନ ନିଗମର ଏମ୍‌ଡି ଭିସି ସଜ୍ଜନାର କହିଛନ୍ତି ଯେ ଇଲେକ୍ଟ୍ରିକ୍ ବସ୍ ଗ୍ରହଣୀୟତା ବଢ଼ାଇବା ଏକ ଭଲ ସ୍କିମ୍। କିନ୍ତୁ ମହାମାରୀ ପରେ ପରିବହନ ନିଗମଗୁଡ଼ିକର ଅବସ୍ଥା ଭଲ ନାହିଁ। ଡିଜେଲ୍‌ ମୂଲ୍ୟ ବଢ଼ିବା ପରେ ପରିଚାଳନା ଖର୍ଚ୍ଚ ବଢ଼ିଥିବାରୁ ଆମେ ଦୈନିକ ୪-୬ କୋଟି ଟଙ୍କାର କ୍ଷତି ସହୁଛୁ। ‌ସେହି ଖର୍ଚ୍ଚକୁ କମ୍ କରିବାରେ ଇଲେକ୍ଟ୍ରିକ୍ ବସ୍ ସହାୟକ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର